Odisha Health Administration: ରୋଗୀଙ୍କୁ ଠକି ଚାଲିଛନ୍ତି ଘରୋଇ ଡାକ୍ତରଖାନା
Odisha Health Administration: ରୋଗୀଙ୍କୁ ମୌଳିକ ଅଧିକାର ଜଣାଇବା ଉଚିତ ମଣୁନାହାନ୍ତି ମୋହନ ସରକାର । ଏମିତି ଏକ ଅଭିଯୋଗ ବିଜେପି ସରକାରଙ୍କ ସାଧୁତାକୁ ଇଙ୍ଗିତ କରୁଛି ।
ମାନବାଧିକାର ଆୟୋଗଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ପଛାଇ ଯାଇଛନ୍ତି । ଘରୋଇ ଡାକ୍ତରଖାନାକୁ ସୁହାଇବା ଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି କି ମୋହନ ସରକାର ।
ରୋଗୀଙ୍କ ମୌଳିକ ଅଧିକାର ସଂପର୍କରେ ଜନସଚେତନତା ସୃଷ୍ଟି ପାଇଁ ହାଇକୋର୍ଟ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍ ଏସ୍ ରମଣଙ୍କ ଖଣ୍ଡପୀଠ ମାମଲାର ବିଚାର କରୁଛନ୍ତି ।
ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି ଓଡ଼ିଶା ରାଜ୍ୟ ରୋଗୀ ଅଧିକାର ମଂଚ । ନଭେମ୍ବର ୧୨ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ ।
ମାନବାଧିକାର ଆୟୋଗଙ୍କ ସୁପାରିଶ ଆଧାରରେ ରାଜ୍ୟର ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ରୋଗୀଙ୍କ ସୂଚନା ଅଧିକାର, ତକ୍ରାଳ ଗୁଣାତ୍ମକ ସେବା, ବିକଳ୍ପ ଚିକିତ୍ସା ଅଧିକାର, ଔଷଧ ଓ ପରୀକ୍ଷା ନିରୀକ୍ଷା ଚୟନ, ହସ୍ପିଟାଲରୁ ଡିସ୍ ଚାର୍ଜ କିମ୍ବା ମୃତଦେହ ଗ୍ରହଣ ସଂପର୍କୀତ ଅଧିକାର କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଶାସନ ମୁଖ୍ୟଙ୍କ ନିକଟକୁ ଚିଠି ଲେଖିଥିଲେ ।
ଉକ୍ତ ଆଦେଶକୁ ରାଜ୍ୟ ସରକାର ଗଡାଇ ଚାଲିଛନ୍ତି । ରାଜ୍ୟ ସରକାରଙ୍କୁ ନିଦରୁ ଉଠାଇବା ପାଇଁ ଏକ ଆବେଦନ ଜରିଆରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
ଉକ୍ତ ଆବେଦନ ଜରିଆରେ ଓଡ଼ିଶାର ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନା, ନର୍ସିଂହୋମ୍, ଘରୋଇ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, କ୍ଲିନିକାଲ ଏଷ୍ଟାବ୍ଲିଶମେଂଟ ଓ ନିଦାନ କେନ୍ଦ୍ରଗୁଡ଼ିକରୁ ରୋଗୀମାନେ କେଉଁ ଅଧିକାର ଦାବି କରିପାରିବେ, ସେ ସଂପର୍କୀତ ବିସ୍ତାରିତ ଫଳକ ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନା ବୋର୍ଡରେ ଝୁଲାଇ ଦିଆଯିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେବାକୁ ପ୍ରାର୍ଥନା କରାଯାଇଛି ।