ଓଡ଼ିଶାରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ

ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ପରିଦର୍ଶନ କଲେ ଗୁଜରାଟର ସେମିକଣ୍ଡକ୍ଟର ଫ୍ୟାସିଲିଟି କେନ୍ଦ୍ର…

ଭୁବନେଶ୍ବର(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶାରେ ଏକ ସୁଦୃଢ଼, ସ୍ଥାୟୀ ଓ ଆତ୍ମନିର୍ଭର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ଗଠନ ଲକ୍ଷ୍ୟରେ ଆଜି ଗୁଜରାଟର ସାନନ୍ଦସ୍ଥିତ ସିଜି ସେମି ସେମିକଣ୍ଡକ୍ଟର ଫ୍ୟାସିଲିଟି ପରିଦର୍ଶନ କରିଛନ୍ତି ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ।ମାନ୍ୟବର ମନ୍ତ୍ରୀ ଏହି ଅବସରରେ ଫ୍ୟାସିଲିଟିର ବିଭିନ୍ନ ବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳୀକୁ ନିକଟରୁ ଅନୁଧ୍ୟାନ କରିବା ସହ ସିଜି ସେମିର ଫ୍ୟାସିଲିଟିର ନେତୃବୃନ୍ଦ ଓ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଶିଳ୍ପ, ମାନବ ସମ୍ବଳ, ଯୋଗାଣ ଶୃଙ୍ଖଳ, ଦକ୍ଷତା ବିକାଶ ଓ ଶିଳ୍ପ-ସରକାର ସମନ୍ୱୟ ସମ୍ପର୍କରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା ।

 

ସାନନ୍ଦରେ ବିକଶିତ ହେଉଥିବା ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ର ଅଭିଜ୍ଞତା ଓ ଶିକ୍ଷାକୁ ଓଡ଼ିଶାର ପରିପ୍ରେକ୍ଷୀରେ ଅନୁପ୍ରୟୋଗ କରି ରାଜ୍ୟରେ ଏକ ସ୍ଥିର ସେମିକଣ୍ଡକ୍ଟର ଇକୋସିଷ୍ଟମ ଗଠନ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହା ମାଧ୍ୟମରେ ଓଡ଼ିଶାକୁ ଭାରତର ଉଦୀୟମାନ ସେମିକଣ୍ଡକ୍ଟର ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବାର ଦିଗରେ ନୂଆ ସୁଯୋଗ ସୃଷ୍ଟି ହେବ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ଉଚ୍ଚ ପ୍ରଯୁକ୍ତି ଓ ଭବିଷ୍ୟତମୁଖୀ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ । ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ, ରୋଜଗାର ଓ ଦକ୍ଷତା ବିକାଶର ନୂଆ ସୁଯୋଗ ସୃଷ୍ଟି ସହ ଓଡ଼ିଶାକୁ ଏକ ଶକ୍ତିଶାଳୀ ଓ ପ୍ରତିସ୍ପର୍ଦ୍ଧୀ ସେମିକଣ୍ଡକ୍ଟର ହବ୍‌ ଭାବେ ଗଢ଼ି ତୋଳିବା ଦିଗରେ ଏହି ପଦକ୍ଷେପ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।
ସେହିପରି କେନ୍ସ ସିଲିକନ୍ ସେମିକଣ୍ଡକ୍ଟର ପରିଦର୍ଶନ କରି ପରୀକ୍ଷଣ ଠାରୁ ଆରମ୍ଭ କରି ଡାଇସିଂ ପର୍ଯ୍ୟନ୍ତ ଲେଜର ମାର୍କିଂ, ପ୍ଲେଟିଂ ଏବଂ ଚିପ୍ସର ପ୍ୟାକେଜିଂ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ୟାକେଜିଂ ପ୍ରକ୍ରିୟା ବୁଲି ଦେଖିଛନ୍ତି । ଏହା ସହ ରାଜ୍ୟରେ ସମାନ ଇକୋସିଷ୍ଟମ ବିକଶିତ କରିବାର ଲକ୍ଷ୍ୟରେ ମାଇକ୍ରୋନ ସେମିକଣ୍ଡକ୍ଟର ପରିଦର୍ଶନ କରିବା ସହ ଏବଂ ବ୍ୟାପକ ସେମିକଣ୍ଡକ୍ଟର ଇକୋସିଷ୍ଟମ ଉପରେ ଆଲୋଚନା କଋଛନ୍ତି ।

ଏହି ପରିଦର୍ଶନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲ ଚେୟାରମ୍ୟାନ ଭାସ୍କର ଜ୍ୟୋତି ଶର୍ମା, ଓକାକ ସିଇଓ ଡ଼. ପ୍ରଦୀପ କୁମାର ରାଉତ, ଯୁଗ୍ମ ସଚିବ କୌସ୍ତୁଭ ପାଣିଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।