ଭୁବନେଶ୍ୱର : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଛି । ଅନ୍ୟପକ୍ଷରେ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ଲଗାତର ପ୍ରୟାସ ପ୍ରସ୍ତୁତି କରିଛନ୍ତି । ଏହାରି ଭିତରେ ଓଡିଆଙ୍କୁ ଉଦ୍ଧାର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ପଦକ୍ଷେପ ନେଇଛନ୍ତି । ଓଡ଼ିଆଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ୪ଜଣ ଅଧିକାରୀଙ୍କୁ ନିଯୁକ୍ତି କରିଛନ୍ତି । ଏମାନେ ୟୁକ୍ରେନ ଓ ତାର ପଡୋଶୀ ଦେଶରେ ଫସି ରହିଥିବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବେ । ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାଜ୍ୟ ସରକାର ମନୋନୀତ କରିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ଅଛନ୍ତି କିଟ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟ । ତାଙ୍କୁ ପୋଲାଣ୍ଡ ସମେତ ସମୁଦାୟ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି । ବିକ୍ରମାଦିତ୍ୟ କିଟ୍ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ବିଭାଗ ଦାୟିତ୍ୱରେ ରହିଛନ୍ତି ।
ସେହିଭଳି ୟୁଏନଏଚସିଆରରେ ଥିବା ବରିଷ୍ଠ ଟିଡିପିଏସ ଅଫିସର ଆଶିଷ ରାୟଙ୍କୁ ହଙ୍ଗେରୀ ସହିତ ସମନ୍ୱୟ ରକ୍ଷା ଦାୟିତ୍ୱ ଦିଆଯାଇଛି । ସେହଭଳି ରୋମରେ ଥିବା ଜାତିସଂଘର ପଲିସୀ ଅଫିସର ବୈଶାଳୀ ମହାନ୍ତି ରୋମାନିଆ ସହିତ ସମନ୍ୱୟ ରକ୍ଷା କରିବେ । ହଙ୍ଗେରୀରେ ଥିବା ପରାମର୍ଶଦାତା ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ସହିତ ସମନ୍ୱୟ ରକ୍ଷା ଲାଗି ଓଡିଶା ସରକାର ଦାୟିତ୍ୱ ଦେଇଛନ୍ତି । ଓଡିଆଙ୍କୁ ୟୁକ୍ରେନରୁ ଫେରାଇ ଆଣିବା ପାଇଁ ଟିମ ଗଠନ ସହିତ ନୂଆଦିଲ୍ଲୀରେ ଥିବା ଓଡିଶାର ଆବାସିକ କମିଶନରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ସେ ଉଦ୍ଧାର କାର୍ଯ୍ୟ ସହିତ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବେ । ଅନ୍ୟପକ୍ଷରେ ଓଡ଼ିଆ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଉଦ୍ଧାର ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସୂଚନାଯୋଗ୍ୟ ଯେ, ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ‘ଅପରେସନ ଗଙ୍ଗା’ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।