‘ଅମିତାଭଙ୍କ ଭଳି ଅଭିନେତା ଆପଣା ସ୍ୱାର୍ଥ ପାଇଁ ବଂଚନ୍ତି’

‘ଅଭିନେତାଙ୍କ କଥାରେ ପଡ଼ି ଠକାମିର ଶିକାର ହୁଅନ୍ତୁ ନାହିଁ’

ନୂଆଦିଲ୍ଲୀ: ‘ଲୋକପ୍ରିୟ ଅଭିନେତା ଅଭିନେତ୍ରୀଙ୍କ କଥାରେ ପଡ଼ି କୌଣସି ବ୍ୟବସାୟିକ ସଂସ୍ଥା, କମ୍ପାନୀର ଆଖିକୁ ଚକଚକ୍‌ କରୁଥିବା ଜିନିଷ କିଣି ଠକାମିର ଶିକାର ହୁଅନ୍ତୁ ନାହିଁ ।’ ଆଜି ସର୍ବଭାରତୀୟ ସ୍ତରରେ ଏଭଳି ଆହ୍ୱାନ କରିଛି ରାଷ୍ଟ୍ରୀୟ ପରିବର୍ତନ ଦଳ (ରାପଦ) । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାଂବାଦିକ ସମ୍ମିଳନୀରେ ରାଇଟ୍‌ ପର୍ସନ୍ସ ଡ୍ରାଇଭ ଆବାହକ ସୁଶାନ୍ତ ସର୍ବେଶ୍ୱର କହିଛନ୍ତି, ଅଭିନେତା ଅଭିନେତ୍ରୀମାନେ ସେମାନଙ୍କ ଅଭିନୟ, ଉଚ୍ଚାରଣ ଓ ଫଟୋ ପାଇଁ କମ୍ପାନୀଠାରୁ ବିପୁଳ ପରିମାଣର ପାରିଶ୍ରମିକ ପାଇଥାନ୍ତି ।

ସମାଜର ମଙ୍ଗଳ ପାଇଁ ବହୁତ କମ୍‌ ଅଭିନେତା ଅଭିନେତ୍ରୀମାନେ କାମ କରନ୍ତି । ବିଶେଷ କରି ଅମିତାଭଙ୍କ ଭଳି ଉଚ୍ଚକୋଟୀର ଅଭିନେତା ସମାଜର କୌଣସି କାମରେ ଯୋଗ ଦେଇପାରନ୍ତି ନାହିଁ । କାରଣ ପ୍ରତିଟି ସେକେଣ୍ଡକୁ ଟଙ୍କାରେ ପରିଣତ କରିବା ସେମାନଙ୍କର ଗୋଟିଏ ନିଶା ବା ଅଭ୍ୟାସ । ସମାଜ ରସାତଳକୁ ଚାଲିଗଲେ, ସେମାନଙ୍କର କିଛି କ୍ଷତି ଘଟିବ ନାହିଁ । କେତୋଟି ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଦାତବ୍ୟ ଶିକ୍ଷାନୁଷ୍ଠାନ, ଦାତବ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଥିବାର ଦୃଷ୍ଟାନ୍ତ ଅଛି କି?

ଯୋଉ ଅଭିନେତା ଅଭିନେତ୍ରୀମାନେ ପ୍ରତିଷ୍ଠିତ କମ୍ପାନୀର ଉତ୍ପାଦ କିଣିବା ପାଇଁ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଉପଦେଶ ଦେଇଥାନ୍ତି । ସେମାନଙ୍କ ଘରେ ସେହି କମ୍ପାନୀର ଜିନିଷଗୁଡ଼ିକ ମହଜୁଦ ଥିବ କି ନା’ ସନ୍ଦେହ । ଅଭିନେତା ଅଭିନେତ୍ରୀମାନେ କେବଳ ଅଭିନୟ କରିଥାନ୍ତି । କାରଖାନାରେ ପ୍ରସ୍ତୁତ ସାମଗ୍ରୀର ବିକ୍ରୟ ପରିମାଣ ଅଧିକ କରିବା ଆଶାରେ ମାଲିକଟିଏ ବିଜ୍ଞାପନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ।

ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିଥିବା ଟଙ୍କା ଫେରିପାଇବା ପାଇଁ ଜିନିଷର ମୂଲ୍ୟକୁ ବୃଦ୍ଧି କରିଥାନ୍ତି । ଅଭିନେତା ଅଭିନେତ୍ରୀମାନେ ଜିନିଷ କିଣିବା ପାଇଁ ଆପଣଙ୍କୁ ଉପଦେଶ ଦେବା ବାବଦକୁ ବିପୁଳ ପରିମାଣର ଟଙ୍କା ପାଇଥାନ୍ତି । ମାତ୍ର ସେମାନଙ୍କ ଉପଦେଶ ଗ୍ରହଣ କରି ଆପଣ ଜିନିଷ କିଣୁଥିବାରୁ ଆପଣ କିଛି ଫାଇଦା ପାଆନ୍ତି କି? ତେଣୁ ମୋ ମତରେ ଅଭିନେତା ଅଭିନେତ୍ରୀ କ୍ରିକେଟିୟର ପ୍ରତିଷ୍ଠିତ ଲୋକଙ୍କ କଥାରେ ମାତି ଠକାମିର ଶିକାର ହୋଇ ପରେ ପସ୍ତାଇବା ବୋକାମିର ପରିଚୟ ।

ଅମିତାଭଙ୍କ ବିନା ଅନୁମତିରେ ତାଙ୍କ କଣ୍ଠସ୍ୱର ଓ ଫଟୋକୁ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ଉଚିତ ପଦକ୍ଷେପ । ଆପଣମାନେ ଭୁଲିଯାଆନ୍ତୁ ନାହିଁ ଯେ ଏହି ଅଭିନେତା ଅଭିନେତ୍ରୀମାନେ ରୋଗରେ ପଡ଼ିଲେ, କିଛି ପ୍ରଶଂସକମାନେ ଖାଇବା ପିଇବା ବନ୍ଦ କରି ମନ୍ଦିରରେ ଅନିଦ୍ରା ରହି ଦୀପ ଜଳାନ୍ତି । ମାତ୍ର କୌଣସି ପ୍ରଶଂସକର ଦେହ ଖରାପ ହୋଇଗଲେ, କେତେଜଣ ଅଭିନେତା ଅଭିନେତ୍ରୀ ସେମାନଙ୍କ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଜଳାଇଥାନ୍ତି ।