ବଜରଙ୍ଗ ଦଳର ଦୋମୁହାଁ ନୀତିକୁ ସମାଲୋଚନା

ସ୍ୱେଚ୍ଛାକୃତ ଧର୍ମାନ୍ତରଣ ମୌଳିକ ଅଧିକାର ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ବଳପୂର୍ବକ ଧର୍ମାନ୍ତରଣ କେବେ ମୌଳିକ ଅଧିକାର ଅନ୍ତର୍ଭୁକ୍ତ ହୋଇ ନପାରେ । ମାତ୍ର ସ୍ୱେଚ୍ଛାକୃତ ଧର୍ମାନ୍ତରଣ ନିଶ୍ଚିତ ରୂପେ ମୌଳିକ ଅଧିକାର ପରିସୀମାଭୁକ୍ତ ବୋଲି ରାଇଟ୍‌ ପର୍ସନ୍ସ ଡ୍ରାଇଭ ଆବାହକ ସୁଶାନ୍ତ ସର୍ବେଶ୍ୱର ଦୃଢ଼ତାର ସହ କହିଛନ୍ତି । ତା’ ସହିତ ‘ଗୋରକ୍ଷକ’ ବୋଲାଉଥିବା ନ୍ୟସ୍ତସ୍ୱାର୍ଥ ସଂଗଠନର କାର୍ଯ୍ୟଧାରାକୁ ସେ ତୀବ୍ର ସମାଲୋଚନା କରିଛନ୍ତି । କେବଳ ଗାଈଗୋରୁଙ୍କର ଜୀବନ ପାଇଁ ଅଂଟା ଭିଡୁଥିବା ଲୋକମାନେ ମନେ ରଖିବା ଦରକାର ଯେ ଜୀବେ ଦୟା ପରମ ଧର୍ମ । ସନାତନ ଧର୍ମକୁ ନିଷ୍ଠାପର ଭାବେ ପାଳନ କରୁଥିବା ଲୋକମାନେ କୌଣସି ପ୍ରକାର ଆମିଷ ଖାଦ୍ୟ ଭକ୍ଷଣ କରିବା ଅନୁଚିତ ।

ରାସ୍ତାଘାଟରେ ଗୋରୁ ନେଇ ଯାଉଥିବା ଭ୍ୟାନକୁ ଅଟକାଇ ସେଥିରୁ ଗୋରୁ ଉଦ୍ଧାର କରି ନିଜକୁ ଗୋରକ୍ଷକ ବୋଲାଇବା ଅତି ସହଜ । ମାତ୍ର ଆଜୀବନ ଆମିଷ ଖାଦ୍ୟ ବର୍ଜନ କରି ନିରାମିଷ ଜୀବନ ବିତାଇବା ଗୋରକ୍ଷକ କର୍ମୀମାନଙ୍କ ପାଇଁ କଷ୍ଟଦାୟକ ।

ଗୋଟିଏ ପଟେ ଗାଈଗୋରୁଙ୍କ ଜୀବନ ପ୍ରତି ଦୟା ଭାବ ରଖୁଥିବା ଲୋକମାନେ ଛେଳି, ମେଣ୍ଢା, କୁକୁଡ଼ା, ବତକ, ପାରା, ମାଛ ପ୍ରତି ଲୋଲୁପ ଦୃଷ୍ଟି ପକାଇ ସମାଜକୁ କ’ଣ ଜଣାଇବାକୁ ଚାହାନ୍ତି । ସାପ ବଂଚିବା ପାଇଁ ବେଙ୍ଗଟିର ଆବଶ୍ୟକତା ପଡ଼ିଥାଏ । ଆଜି ଯୋଉମାନେ ଛେଳି ବିନା ବଂଚି ପାରୁନାହାନ୍ତି । ସେମାନେ ଜଣକ ମୁହଁରୁ ଗାଈଟିକୁ ଛଡ଼ାଇ ନେବା କେତେଦୂର ଯୁକ୍ତିସଂଗତ । ବିଜେପିର ବରିଷ୍ଠ ନେତା ଭେଙ୍କୟା ନାଇଡୁ ମଧ୍ୟ ଗୋଟିଏ ସଭାରେ କହିଥିଲେ ଯେ ଗୋମାଂସ ଭକ୍ଷଣକୁ ନିଷେଧ କରାଯିବା ଅନୁଚିତ ।