ଓଡ଼ିଶାରେ ମନରେଗା ମଜୁରି ଦିନକୁ ୨୫୪ ଟଙ୍କା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ମଜୁରି ବୃଦ୍ଧି ଘୋଷଣା କରାଯାଇଛି । ସାଧାରଣ ନିର୍ବାଚନ ଘୋଷଣା କରାଯିବା ପରେ କେନ୍ଦ୍ରରେ କ୍ଷମତାସୀନ ମେଂଟ ଏଭଳି ଘୋଷଣାନାମା ଜାରି କରି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି କି?

ବିଭିନ୍ନ ରାଜ୍ୟରେ ମନରେଗା ମଜୁରି ଅଲଗା ଅଲଗା । ୨୦୨୩-୨୪ରେ ରାଜ୍ୟରେ ମନରେଗା ମଜୁରି ୨୩୭ ଟଙ୍କା ଥିଲା । ବର୍ଷକ ଭିତରେ ଉକ୍ତ ମଜୁରିରେ ୧୭ ଟଙ୍କା ବୃଦ୍ଧି କରି ସରକାର ଆତ୍ମସନ୍ତୋଷ ଲାଭ କରିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରେ ମନରେଗା ଅନ୍ତର୍ଭୁକ୍ତ କାମଗୁଡ଼ିକ ମେସିନ କରୁଥିବା ଦେଖିବାକୁ ମିଳୁଛି । ଅତଏବ ସର୍ବଭାରତୀୟ ସ୍ତରରେ ମନରେଗା ଯୋଜନା କେବଳ ହାସ୍ୟାସ୍ପଦ ହୋଇ ରହିଯାଇଛି । ଯୋଉ ଉଦ୍ଦେଶ୍ୟ ରଖି ମନରେଗା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା; ମାଗଣା ଚାଉଳ ଓ ଭତା ବିତରଣ କରି ଖୋଦ ସରକାର ମନରେଗା ଯୋଜନାକୁ ବିଫଳ କରିଥିବା ପ୍ରତୀୟମାନ ହୋଇଛି ।

ବର୍ଦ୍ଧିତ ମଜୁରି ଏପ୍ରିଲ ପହିଲାରୁ ଲାଗୁ କରାଯିବ । ଜାତୀୟସ୍ତରରେ ମନରେଗା ମଜୁରି ହାରାହାରି ୨୮୯ ଟଙ୍କା ଧାର୍ଯ୍ୟ କରାଯାଇଛି ।

ସୂଚନା ମୁତାବକ ଗୋଆରେ ମନରେଗା ମଜୁରି ୩୫୬ ଟଙ୍କା, ଆନ୍ଧ୍ରପ୍ରଦେଶରେ ମନରେଗା ମଜୁରି ୩୦୦ ଟଙ୍କା, ହରିୟାଣାରେ ୩୭୪ ଟଙ୍କା, କର୍ଣ୍ଣାଟକରେ ୩୪୯ ଟଙ୍କା, ପଞ୍ଜାବରେ ୩୨୨ ଟଙ୍କା, କେରଳରେ ୩୪୬ ଟଙ୍କା, ତେଲେଙ୍ଗାନାରେ ୩୦୦ ଟଙ୍କା ଓ ତାମିଲନାଡୁରେ ୩୧୯ ଟଙ୍କା ଧାର୍ଯ୍ୟ କରାଯାଇଛି ।