ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ୨୦୨୫-୨୬ ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯେପରିକି ନୂଆ ଟ୍ୟାକ୍ସ ସ୍ଲାବ,ନୂଆ ପେନସନ ଯୋଜନା ଓ ୟୁପିଆଇ ଟ୍ରାଞ୍ଜାକ୍ସନ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ର ସରକାର ଚଳିତ ବଜେଟ୍ରେ ହୋଇଥିବା ନୂଆ ନିୟମ ଗୁଡ଼ିକୁ କାର୍ଯ୍ୟକାରୀ କରିବେ । କେନ୍ଦ୍ରୀୟ ବଜେଟ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଟ୍ୟାକ୍ସ ସ୍ଲାବ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କଦ୍ଵାରା କେନ୍ଦ୍ରୀୟ ବଜେଟରେ ଉପସ୍ଥାପନ କରାଯାଇଥିବା ନୂଆ ଟ୍ୟାକ୍ସ ସ୍ଲାବକୁ ଆସନ୍ତା ୧ ତାରିଖରୁ କାର୍ଯ୍ୟକାରୀ ହେବ । ଯେଉଁଥିରେ ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ କରାଯିବ । ସେହିପରି ଅଗଷ୍ଟ ୨୦୨୪ରେ ଉପସ୍ଥାପିତ ୟୁନିଫାଏଡ ପେନସନ ସ୍କିମ ମଧ୍ୟ ମାସ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ଦ୍ଵାରା ୨୩ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଲାଭବାନ ହୋଇପାରିବେ । ସେହିଭଳି ୟୁପିଆଇର ସୁରକ୍ଷା ଓ ଦକ୍ଷତା ବୃଦ୍ଧିକୁ ଆଖି ଆଗରେ ରଖି କିଛି ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି ।
ଦୀର୍ଘ ଦିନ ଧରି ବନ୍ଦ ଥିବା ବା କାର୍ଯ୍ୟକ୍ଷମ ହେଉନଥିବା ସିମ ସହ ୟୁପିଆଇ ଯୋଡ଼ି ହୋଇ ଥିଲେ ୟୁପିଆଇ ଆଇଡି ଡିଆକ୍ଟିଭ ହେଇଯିବ । ଦୀର୍ଘ ଦିନ ଧରି ଆପଣ ନମ୍ବର ବ୍ୟବହାର କରୁନାହାନ୍ତି କିନ୍ତୁ ୟୁପିଆଇ ଆକ୍ଟିଭ ଅଛି, ତେବେ ଏପ୍ରିଲ ୧ ପୂର୍ବରୁ ବ୍ୟାଙ୍କ ଅପଡେଟ କରିବାକୁ ପଡ଼ିବ। ନଚେତ୍ ୟୁପିଆଇ ସୁବିଧାରୁ ଆପଣ ବଞ୍ଚିତ ହୋଇପାରନ୍ତି । ସେହିଭଳି ଜିଏସଟି ନିୟମରେ ପରିବର୍ତ୍ତନ, ସୁଧହାରରେ ପରିବର୍ତ୍ତନ, ଡିଭିଡେଣ୍ଡ ଓ ମ୍ୟୁଚୁଆଲ ଫଣ୍ଡ ଆୟରେ TDS ରିହାତି, ଅତ୍ୟାବଶ୍ୟକ ଔଷଧର ଦରବୃଦ୍ଧି ଆଦି ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି ।