ବିଶ୍ୱ କୋଟିପତିଙ୍କ ଭିତରେ ଦୁଇ ଭାରତୀୟ

ବିଶ୍ୱରେ କୋଟିପତିଙ୍କ ସଂଖ୍ୟା ବଢୁଛି….

ନୂଆଦିଲ୍ଲୀ: ବିଶ୍ୱରେ କୋଟିପତିଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ସମ୍ପତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ କୋଟିପତିମାନଙ୍କ ତାଲିକା ସାମ୍ନାକୁ ଆସିଛି, ତା’ ଉପରେ ଯଦି ନଜର ପକାଯାଏ ତେବେ ସମସ୍ତଙ୍କ ସମ୍ପତି ମୋଟ ୧୮.୩ ଟ୍ରିଲିୟନ୍‌ ଡଲାରରେ ପହଂଚିଛି। ୨୦୨୫ ମସିହାରେ ବିଶ୍ୱବ୍ୟାପୀ କୋଟିପତିଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଂଚିଛି। ପ୍ରଥମ ଥର ପାଇଁ, ବିଶ୍ୱବ୍ୟାପୀ ୩,୦୦୦ ରୁ ଅଧିକ କୋଟିପତି ବନିପାରିଛନ୍ତି ଏବଂ ସେମାନଙ୍କର ମିଳିତ ସମ୍ପତି ୧୮.୩ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଅକ୍ସଫାମ୍‌ ରିପୋର୍ଟ ଅନୁଯାୟୀ, ଆମେରିକୀୟ କୋଟିପତିଙ୍କ ସମ୍ପତି ଦ୍ରୁତ ଗତିରେ ବୃଦ୍ଧି ପାଇଛି, କିନ୍ତୁ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ବି କୋଟିପତିଙ୍କ ସମ୍ପତି ଦୁଇଗୁଣା ବୃଦ୍ଧି ପରିଲକ୍ଷିତ ହୋଇଛି ।

ଅକ୍ସଫାମ୍‌ ରିପୋର୍ଟ କରିଛି ଯେ, ୨୦୨୫ ମସିହାରେ କୋଟିପତିଙ୍କ ମୋଟ ସମ୍ପତି ୧୬% ବୃଦ୍ଧି ପାଇଛି। ଏହି ସମ୍ପତି ୨୦୨୦ ତୁଳନାରେ ୮୧% ଅଧିକ, ଅର୍ଥାତ୍‌ ପ୍ରାୟ ୮.୨ ଟ୍ରିଲିୟନ ଡଲାର। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିଶ୍ୱର ୧୨ ଜଣ ଧନୀ ବ୍ୟକ୍ତିଙ୍କ ପାଖରେ ବିଶ୍ୱର ଜନସଂଖ୍ୟାର ଅଧା ବା ୪ ବିଲିୟନ ଲୋକଙ୍କଠାରୁ ଅଧିକ ସମ୍ପତି ଅଛି। କୋଟିପତିଙ୍କ ସମ୍ପତି ବର୍ତମାନ ଇତିହାସର ସର୍ବୋଚ୍ଚ ସ୍ତରରେ ଅଛି। ଏହି ରିପୋର୍ଟରେ ବିଶେଷ ଭାବରେ ଏଲନ ମସ୍କଙ୍କ ସମ୍ପତି ଉପରେ ଧ୍ୟାନ ଦିଆଯାଇଛି। ଅକ୍ଟୋବର ୨୦୨୫ରେ, ଏଲନ ମସ୍କ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଥିଲେ ଯିଏକି ୫୦୦ ବିଲିୟନ ଡଲାର ଅତିକ୍ରମ କରିଥିଲେ। ପରେ ତାଙ୍କର ସମ୍ପତି ୬୦୦ ବିଲିୟନ ଡଲାର ଏବଂ ତା’ ପରେ ୭୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା। ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କର ସମ୍ପତି ୧୦୪.୬ ବିଲିୟନ ଡଲାରକୁ ଛୁଇଁଛି। ଗୌତମ ଆଦାନୀଙ୍କ ସଂପତି ୮୯.୬ ବିଲିୟନ ଡଲାର ଓ ସାବିତ୍ରୀ ଜିନ୍ଦଲଙ୍କ ସଂପତି ୪୦.୨ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି। ମୁକେଶଙ୍କ ମାଲିକାନାରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ, ଗୌତମ ଆଦାନୀଙ୍କ ମାଲିକାନାରେ ଆଦାନୀ ଗ୍ରୁପ ଓ ସାବିତ୍ରୀ ଜିନ୍ଦଲଙ୍କ ମାଲିକାନାରେ ଓପି ଜିନ୍ଦଲ ଗ୍ରୁପ ଅଛି।