ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କାମଚଳା ବଜେଟ୍: କେଉଁ ବିଭାଗକୁ କେତେ ଟଙ୍କା ଆବଣ୍ଟନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ବିଧାନସଭାରେ ଆଜି ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Niranjan Pujari) କାମଚଳା ବଜେଟ୍ (Interim Budget) ଉପସ୍ଥାପନ କରିଛନ୍ତି । ୪ ମାସ ପାଇଁ ମୋଟ୍ ୧ ଲକ୍ଷ ୬ ହଜାର ୪୯୭ କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି ।

କେନ୍ଦ୍ରୀୟ ସହାୟତା ଉପରେ ନିର୍ଭର କମିଛି । ରାଜ୍ୟରେ ପୁଞ୍ଜି ନିବେଶ ବଢିବାରେ ଲାଗିଛି । ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବିକାଶ ଦିଗରେ କାମ କରୁଛନ୍ତି । ଜାତୀୟ ଅଭିବୃଦ୍ଧି ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ଅଧିକ ରହିବାର ଆକଳନ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟର ଆର୍ଥିକ ସ୍ଥିତି ଜାତୀୟ ହାର ଠାରୁ ଅଧିକ ରହିବ । ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯ ରୁ ୯.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି ।

ସେହିପରି ୨୦୨୨-୨୩ରେ ରାଜ୍ୟର GSDP ଅଭିବୃଦ୍ଧି ୧୨%ରୁ ଅଧିକ ସମ୍ଭାବନା ରହିଥିବାବେଳେ ୨୦୦୫-୦୬ ପରଠାରୁ ରାଜ୍ୟ କ୍ରମାଗତ ରାଜସ୍ୱ ବଳକା ହାସଲ କରୁଥିବା ସୂଚନା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଆକଳନ କରାଯାଇଛି ।

କେଉଁ ବିଭାଗକୁ କେତେ ଟଙ୍କା ଆବଣ୍ଟନ କରାଯାଇଛି:

> ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ ୨୬ ହଜାର ୪୯୨ କୋଟି ବ୍ୟୟବରାଦ
> ପଞ୍ଚାୟତିରାଜ ପାଇଁ ୧୧ ହଜାର ୧୨୩ କୋଟି
> ଗୃହ ବିଭାଗ ପାଇଁ ୩ ହଜାର ୧ ୮୮ କୋଟି
> ଶକ୍ତି ବିଭାଗ ପାଇଁ ୧ ହଜାର ୭୩୯ କୋଟି
> ଜଳ ସମ୍ପଦ ବିଭାଗ ପାଇଁ ୫ ହଜାର ୨୫ କୋଟି
> କାଳିଆ ଯୋଜନା ପାଇଁ ୧ ହଜାର ୮୭୪ କୋଟି ଟଙ୍କା
> ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୮ ହଜାର ୨୫୫ କୋଟି
> ବିଜୁ ସେତୁ ଯୋଜନାରେ ୧ ହଜାର ୬୮୮ କୋଟି
> ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବାବଦରେ ୬୭୫ କୋଟି
> କୃଷି ପାଇଁ ୬ ହଜାର ୧୩୮ କୋଟି
> ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା
> ଅବଢ଼ା ଯୋଜନା ପାଇଁ ୧ ହଜାର ୪୦୮ କୋଟି
> ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଶହେ ୫୦ କୋଟି
> ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୨ ଶହ କୋଟି
> ବିପର୍ଯ୍ୟୟ ପରିଚାଳନା ପାଇଁ ୬ ହଜାର ୪୪୪ କୋଟି
> ଉଚ୍ଚଶିକ୍ଷା ବିଭାଗ ପାଇଁ ୧ ହଜାର ୪୦୩ କୋଟି ଟଙ୍କା
> ଗଣଶିକ୍ଷା ବିଭାଗ ପାଇଁ ୧୦ ହଜାର ୧୬୫ କୋଟି
> ବିଶ୍ୱବିଦ୍ୟାଳୟ ପାଇଁ ଶହେ ୬୫ କୋଟି ଟଙ୍କା
> ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା
> ମିଶନଶକ୍ତି ଗୃହ ନିର୍ମାଣ ପାଇଁ ଶହେ ୭୬ କୋଟି ଟଙ୍କା
> କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୨ ହଜାର ୩ଶହ ୪୪ କୋଟି ଟଙ୍କା
> ମହିଳା ଓ ଶିଶୁ ବିଭାଗ ପାଇଁ ୧ ହଜାର ୭୮୩ କୋଟି

ସେହିଭଳି ରାଜସ୍ୱ ବ୍ୟୟ ୧ ଲକ୍ଷ ୪୪ ହଜାର ୩୪୯ କୋଟି ଟଙ୍କା ହେବାର ସମ୍ଭାବନା । ଅର୍ଥାତ୍ ରାଜସ୍ୱ ବଳକା ୧୯ ହଜାର ୬୧୮ କୋଟି ରହିବ । ବିତ୍ତୀୟ ନିଅଣ୍ଟ ୨୧ ହଜାର ୫୮୮ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି ।