ଆସନ୍ତା ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଠପଢା ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ଏବଂ ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ପାଠପଢା ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ହେବ।

ସ୍କୁଲ ପିଲାଙ୍କ ପାଇଁ ଏହା ଏକ ବଡ଼ ଖବର । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେପଟେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ସତର୍କ କରାଇଛି ।

ତେବେ ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୩୧ ଯାଏଁ ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲା ଲାଗି ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ୭ଟି ଜିଲ୍ଲା ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।