ଗତ ୨୪ ଘଣ୍ଟାରେ ନୂଆ ୬୬୨ ଆକ୍ରାନ୍ତ ଚିହ୍ନଟ

ସାରା ରାଜ୍ୟରେ କରୋନା ପୁଣି ଥରେ ନିଜ କାୟା ବିସ୍ତାର କରୁଥିବା….

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ପୁଣି ଥରେ ନିଜ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ଶହଶହ କୋଭିଡ ପଜିଟିଭ ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଲାଣି । ଆଜି ରାଜ୍ୟରେ ମୋଟ ୬୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩୮୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭୫ଟି ଲୋକାଲ କେସ ରହିଛି । ତେବେ ୧୦୪ ଜଣଙ୍କ ବୟସ ୧୮ କିମ୍ବା ତା’ଠାରୁ କମ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡରୁ ୧୪୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ମୟୁରଭଞ୍ଜରୁ ୭୮, ସମ୍ବଲପୁରରୁ ୪୮ ଏବଂ କଟକରେ ୩୮ ଜଣଙ୍କ ଦେହରେ କରୋନା ଭାଇରସ ଚିହ୍ନଟ ହୋଇଛି ।

ଅନ୍ୟ ୨କ୍ଷରେ କୋରାପୁଟ ଜିଲ୍ଲାରେ ଏହି ସଂଖ୍ୟା ୧୫ ରହିଥିବା ବେଳେ ସୋନପୁର ଏବଂ ଭଦ୍ରକ ଜିଲ୍ଲାରେ ୧୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଏହାପରେ ବରଗଡ, କଳାହାଣ୍ଡି, ନୟାଗଡ ଆଦି ଜିଲ୍ଲାରୁ ୧୨ ଜଣ, ରାୟଗଡା ଓ ନୂଆପଡା ଜିଲ୍ଲାରୁ ୧୧ ଜଣ ଲେଖାଏ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ୬୬୨ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟ ମୋଟ କୋଭିଡ ସଂଖ୍ୟା ୧୩ ଲକ୍ଷ ୭୯୧୧କୁ ବୃଦ୍ଧି ପାଇଛି ।