ପୁଣି କରୋନା: ଥଣ୍ଡା ପୂର୍ବରୁ ଡରାଇଲାଣି

କରୋନା ନାଁ ଶୁଣିବା କ୍ଷଣି ଲୋକମାନେ ଛାନିଆ ହେଲେଣି । ସାରା ଭାରତକୁ ଥଣ୍ଡା କବଳିତ କରିବା ପୂର୍ବରୁ କରୋନାର ଦୁଇଟି ଭିନ୍ନ ପ୍ରଜାତି ବିକଶିତ ହୋଇଥିବା ଜାଣିବାକୁ ପାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କରୋନାର ପ୍ରଥମ ପ୍ରଜାତି ଯେତିକି ଭୟଙ୍କର ଥିଲା, ବିକଶିତ ଦୁଇଟି ପ୍ରଜାତି ସେତେ ଭୟଙ୍କର ନୁହନ୍ତି । ତଥାପି ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ପ୍ରଥମ ଦଫାରେ ଚୀନ ଲାବରୁ ବିକଶିତ କରୋନା ସାରା ବିଶ୍ୱକୁ ଦଖଲ କଲା । ମାତ୍ର ତା’ର ପରପିଢ଼ିଗୁଡ଼ିକ ବିଭିନ୍ନ ଦେଶର ଜଳବାୟୁ ସହିତ ଖାପ ଖୁଆଇ ବିଭିନ୍ନ ପ୍ରଜାତି ସୃଷ୍ଟି କରିବା ଫଳରେ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ଏରିସ ଓ ପିରୋଲା ପରେପରେ କୋଭିଡ୍‌-୧୯ର ଦୁଇଟି ନୂଆ ପ୍ରଜାତି ବିକଶିତ ହୋଇଛି । ପ୍ରଥମଟି ଓମିକ୍ରନ ସ୍ପିନ୍‌ ଅଫ୍‌ ଯାହାର ଅନ୍ୟ ନାମ ଏଚ୍‌ ଭି.୧ । ଏ ପ୍ରଜାତି ଏକ୍ସବିବି ପରିବାର ସଭ୍ୟ ଇଜି.୫ରୁ ବିକଶିତ ହୋଇଛି । ଆମେରିକାରେ ବିକଶିତ ଏହି ପ୍ରଜାତି ଏବେ ଚିନ୍ତାର କାରଣ ହୋଇଛି ।

ଦ୍ୱିତୀୟ ପ୍ରଜାତି ଜେଏନ୍‌.୧ ଯାହା ପିରୋଲା ବଂଶଧର । ବ୍ରିଟେନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ଆଇସଲାଣ୍ଡ, ପର୍ତୁଗାଲ ଓ ସ୍ପେନ୍‌ ସମେତ ପ୍ରାୟ ୧୨ଟି ଦେଶରେ ଜେଏନ୍‌.୧ ଚିହ୍ନଟ ହୋଇଛି । ପିରୋଲାଠାରୁ ଅଧିକ ସଂକ୍ରମଣ କ୍ଷମତା ରଖିଛି ଜେଏନ୍‌.୧ । ତେବେ ତାକୁ ମୁକାବିଲା କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପୂର୍ଣ୍ଣ ସକ୍ଷମ ।

ବିଦେଶରେ ବସବାସ କରୁଥିବା କୌଣସି ଭାରତୀୟ ବିକଶିତ କରୋନାକୁ ସାଙ୍ଗରେ ଧରି ଭାରତକୁ ଫେରିବା ଚିନ୍ତାର ବିଷୟ ।