ଡକାୟତି ପାଇଁ ଚାଲିଥିଲା ଯୋଜନା, ୪ଜଣଙ୍କୁ ମାଡି ବସିଲା ପୁଲିସ

ଖଣ୍ଡା,ଭୁଜାଲି, ଚାପଡ ଲଙ୍କାଗୁଣ୍ଡ ଜବତ

ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା …

ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ବରାଦେଇ ମନ୍ଦିର ପଡିଆରେ ଡକାୟତି ପାଇଁ ଚାଲିଥିଲା ବ୍ଲୁ ପ୍ରିଣ୍ଟି। ହାତରେ ମାରଣାସ୍ତ୍ର ଧରି ରାତିରେ ବଡ ଧରଣର ଲୁଟ୍ପାଟ ପାଇଁ ଯୋଜନା ଚାଲିଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ। ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ଅତର୍କିତ ଭାବେ ପଡିଆରେ ଚଢ଼ାଉ କରି ୪ ଜଣଙ୍କଙ୍କୁ କାବୁ କରିଥିବାବେଳେ ୨ ଜଣ ଖସି ପଳାଇଥିଲେ। ଗିରଫ ଡକାୟତମାନଙ୍କଠାରୁ ପୁଲିସ ଖଣ୍ଡା, ଜାପଡ, ମଦବୋତଲ, ଲଙ୍କାଗୁଣ୍ଡ ଆଦିକୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ନିକଟସ୍ଥ ଦାରୁଠେଙ୍ଗା ଗ୍ରାମର ବୁଦ୍ଧଦେବ ବାରିକ(୨୦), ମଞ୍ଚେଶ୍ୱର ଥାନା ନିକଟସ୍ଥ ଇଞ୍ଚନର ଲକି ସୋରେନ୍(୧୯), ଇନଫୋସିଟି ଥାନା ନିକଟସ୍ଥ କିଟ୍ ନିକଟରେ ରହୁଥିବା ସାଗର ବିଶୋୟୀ(୨୬) ଓ ମୈତ୍ରୀବିହାର ଥାନା ନିକଟସ୍ଥ ସାଲିଆସାହିର କରୁଣାକର ଦିଗାଲ(୨୪)। ସମସ୍ତଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି ।

ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ୦୩.୧୨.୨୦୨୫ ରାତିରେ ଆଇଆଇସି, ଚନ୍ଦ୍ରଶେଖରପୁରଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଟ୍ରୋଲିଂ ଟିମ ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ପ୍ରାୟ ୩ ଟା ୩୦ ବେଳେ ବିଶ୍ୱସ୍ତ ସୂଚନା ପାଇଥିଲେ ଯେ କିଛି ବ୍ୟକ୍ତି ମାରଣାସ୍ତ୍ର ସହିତ ସଜ୍ଜିତ ହୋଇ ପଟିଆ ବରାଦେଇ ମନ୍ଦିର ନିକଟସ୍ଥ ଏକ ଖୋଲା ପଡ଼ିଆରେ ଏକତ୍ରିତ ହୋଇ ପଥଚାରୀଙ୍କ ଉପରେ ଡକାୟତି କରିବାକୁ ଯୋଜନା କରୁଛନ୍ତି। ପୁଲିସ ଟିମ ପ୍ରାୟ ୩ଟା ୫୫ ବେଳେ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ଛଅଜଣ ବ୍ୟକ୍ତିଙ୍କୁ ମଦ୍ୟପାନ କରୁଥିବା ଏବଂ ପ୍ରବଳ ଆଲୋଚନାରେ ବ୍ୟସ୍ତ ଦେଖିଥିଲା। ପୁଲିସକୁ ଦେଖି ସେମାନେ ଖସିଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଚାରିଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା ଯେତେବେଳେ ଅନ୍ୟ ଦୁଇଜଣ ମୋଟରସାଇକେଲ୍ ଯୋଗେ ପଳାଇବାରେ ସଫଳ ହୋଇଥିଲେ। ବ୍ୟକ୍ତିଗତ ତଲାସୀ ସମୟରେ ଗିରଫ ଅଭିଯୁକ୍ତମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଲଙ୍କା ଗୁଣ୍ଡ ଜବତ କରାଯାଇଥିଲା। ତଦନ୍ତ ସମୟରେ ଜଣାପଡିଥିଲା ଯେ ଅଭିଯୁକ୍ତମାନେ ପଟିଆ ଷ୍ଟେସନ୍ ରୋଡ୍ ଅଞ୍ଚଳରେ ଡକାୟତି କରିବାକୁ ମିଳିତ ଯୋଜନା କରିଥିଲେ।

ସେମାନେ ଅନେକ ଦିନ ଧରି ମାରଣାସ୍ତ୍ର ଧରି ସହର ଭିତରେ ବୁଲୁଥିବା ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିଲେ। ତଦନ୍ତ କ୍ରମରେ ଜଣାଗଲା ଯେ ଅଭିଯୁକ୍ତ ସାଗର ବିଷୋଇ ପୂର୍ବରୁ ଇନ୍ଫୋସିଟି ଥାନାର ଏକ ମାମଲାରେ ଜଡିତ ଥିଲେ। ପ୍ରାଥମିକ ପ୍ରମାଣ ଆଧାରରେ ଅପରାଧ ସ୍ପଷ୍ଟ ହେବାରୁ, ଆଇନସମ୍ମତ ପ୍ରକ୍ରିୟା ପାଳନ କରି ଗିରଫ ଅଭିଯୁକ୍ତମାନଙ୍କୁ ଗୁରୁବାର ଦିନ କୋର୍ଟକୁ ଚାଲାଣ କରାଯାଇଛି। ପଳାତକ ଅଭିଯୁକ୍ତମାନେ ଶେଖ ଜାଇଦୁଲ ଏବଂ ଶେଖ ତୌଫିକଙ୍କୁ ଗିରଫ କରିବା ସହିତ ସମସ୍ତ ଗୋଷ୍ଠୀର ଅପରାଧିକ କାର୍ଯ୍ୟକଳାପ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।