ସବୁ ନାଟର ଗୋବର୍ଦ୍ଧନ ମୋବାଇଲ : ସେକ୍ସ ଭିଡିଓ ଦେଖି ପାଗଳ ହୋଇଗଲି

ଅଭିଯୁକ୍ତ ପ୍ରଶାନ୍ତ କହିଲା, ‘ମୋବାଇଲରେ ସେକ୍ସ ଭିଡିଓ ଦେଖି ତା’ ମୁଣ୍ଡ କାମ କଲାନି । ଏକୁଟିଆ ଝିଅଟିକୁ ଦେଖି ତା’ ମନଟା ନିୟନ୍ତ୍ରଣ ବାହାରକୁ ଚାଲିଗଲା । ସେହି ସମୟରେ ତାକୁ ଯାହା ଠିକ ଲାଗିଲା, କଲା । ଆଗପଛ ବିଚାର କରିବାର ଶକ୍ତି ହରାଇଥିଲା । ଅଭିଯୁକ୍ତ ମୁହଁରୁ ଏ କଥା ଶୁଣିବା ପରେ କ’ଣ କରିବ ପୁଲିସ । କ’ଣ କରିବ ଆମ ବିଜେପି ସରକାର । ଅଭିଯୁକ୍ତ କହୁଛି ସେ ଦୁଷ୍କର୍ମ କରିବାର କାରଣ ମୋବାଇଲ ।

ଆଜିକାଳି ପିଲାଠୁ ବୁଢ଼ା ସମସ୍ତଙ୍କ ହାତରେ ମୋବାଇଲ । ମୋବାଇଲ ହାତରେ ନଥିଲେ ପୁଲିସ ମଧ୍ୟ  ତାଗିଦ କରୁଛି ମୋବାଇଲ ଧରି ବାଟ ଚାଲିବାକୁ । କାରଣ କ’ଣ? ମୋବାଇଲ ବିନା ଜୀବନ ବିତାଇବା କଷ୍ଟକର କରିଛି କିଏ? ୟା’ର ଜବାବ ଆମ ସରକାରଙ୍କ ପାଖରେ ରହିଛି । ଓଳିଏ ନଖାଇଲେ ଚଳିବ, ମାତ୍ର ହାତରେ ମୋବାଇଲ ନ ଥିଲେ ଚଳି ହେବନି ।

ଯାହା ହାତରେ ମୋବାଇଲ ନାହିଁ, ସରକାରଙ୍କ ଦୃଷ୍ଟିରେ ସେ ମଣିଷ ନୁହେଁ । ମଣିଷର ମାନସିକତାକୁ ଆପଣମାନେ ଭଲ କରି ଜାଣନ୍ତି । ଯୋଉଟା ବାରଣ କରିବ, ମଣିଷ ସେଇ କାମଟାକୁ ଆଗ କରିବ । ତା’ର ପରିଣାମ ଜାଣିବାକୁ ଚେଷ୍ଟା କରିବ । ସେଇ ଚେଷ୍ଟା ଆଜି ପ୍ରଶାନ୍ତକୁ ଅପରାଧୀ ଭାବେ ସଜାଇ ଦେଇଛି ।

ନବମ ଶ୍ରେଣୀର ଝିଅଟି ଟ୍ୟୁସନ୍ ସାରି ସାଇକେଲ ଚଳାଇ ଘରକୁ ଫେରୁଥିଲେ । ତା’ ଉପରେ ଦୃଷ୍ଟି ପଡ଼ିଗଲା ଅନ୍ତରା ଗ୍ରାମର ପ୍ରଶାନ୍ତ ସାମଲଙ୍କ ନଜର । ବାସ୍ ଝିଅଟିକୁ ଏକୁଟିଆ ପାଇ ପ୍ରଶାନ୍ତ ତାକୁ କେନାଲବନ୍ଧ ନିକଟରେ ଅଟକାଇଥିଲା । ଝିଅଟିର ବହି ଓ ସାଇକେଲକୁ କେନାଲକୁ ପକାଇଦେଲା । ଝିଅଟିକୁ ଟେକି ନେଇ ଗୋଟିଏ ଗଛମୂଳକୁ ଚାଲିଗଲା । ସେଠାରେ ଦୁଷ୍କର୍ମ କଲା । ଝିଅଟିର ଚିତ୍କାର ଶୁଣି ରାସ୍ତାରେ ଯାଉଥିବା କିଛି ବାଟୋଇ ଓ ସ୍ଥାନୀୟ ଗ୍ରାମବାସୀ ଗଛମୂଳକୁ ଧାଇଁଥିଲେ । ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ । ପ୍ରଶାନ୍ତକୁ ନିସ୍ତୁକ ମାଡ଼ ମାରିଲେ । ଉତ୍ୟକ୍ତ ଲୋକମାନେ ଅଭିଯୁକ୍ତକୁ ଗୋଟିଏ ଗାମୁଛା ପିନ୍ଧାଇ ଦେଲେ । ତା’ ପ୍ୟାଂଟ ସାର୍ଟ ଓ ବାଇକକୁ ପୋଡ଼ିଦେଲେ ।

ଖବରଟା କାନରେ ପଡ଼ିବା ମାତ୍ରେ ଦଳବଳ ଧରି ଧାଇଁ ଆସିଲେ ସିମୂଳିଆ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା । ନାବାଳିକାକୁ ଭଦ୍ରକ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କଲେ । ଅଭିଯୁକ୍ତକୁ ଧରି ଥାନାକୁ ନେଇଗଲେ । ଅଭିଯୁକ୍ତ ବିରୋଧରେ ଟାଣୁଆ ଟାଣୁଆ ଦଫା ଲଗାଇ ଦିଆଯାଇଛି, ତାକୁ କୋର୍ଟଚାଲାଣ କରାଯାଇଛି ।

କଥାଟିକୁ ଏଇଠି ସାରିଦେଲେ, ଚଳିବନି । ବିଗତ କିଛିଦିନ ଧରି ରାଜ୍ୟର ଝିଅମାନଙ୍କ ପ୍ରତି ଯୋଉ ପ୍ରକାର ଆଚରଣ ପ୍ରଦର୍ଶନ କରାଯାଉଛି । ତା’ର କିଛି ଗୋଟିଏ ସ୍ଥାୟୀ ବ୍ୟବସ୍ଥା କରାଯିବା ଜରୁରୀ । ରାଜ୍ୟର ନିର୍ବାଚିତ ସରକାର ଓ ସ୍ଥାୟୀ ପ୍ରଶାସନିକ ମହଲ ଭିତରୁ କେହି କାହାକୁ ଦୋଷ ଦେବାକୁ ଚାହୁଁନାହାନ୍ତି ।

ଖୋଦ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଗୋଟିଏ ଦିନ ପରେ ଗୋଟିଏ ସଭାରେ କହିଲେ, ପୂର୍ବ ସରକାରଙ୍କ ଅମଳରେ ପୁଲିସ ରାଜନେତାଙ୍କ କଥାରେ ଉଠବସ ହେଉଥିଲେ । ଏପରିକି ମୋହନ ଚରଣ ମାଝିଙ୍କୁ କୌଣସି ଗୋଟିଏ ଥାନାର ଅଧିକାରୀ ଅସଦାଚରଣ କରିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଚରଣ ମାଝି ସଂପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କି ପଦକ୍ଷେପ ଗ୍ରହଣ କଲେ, ତାହା ଆମର ଜାଣିବା ଦରକାର ନାହିଁ ।

ଆମ କହିବା କଥା ହେଉଛି, ମୋହନ ମାଝିଙ୍କ ଶାସନ କାଳରେ ପୁଲିସ କର୍ମଚାରୀମାନେ ପୀଡ଼ିତାଙ୍କ ନିକଟରୁ ଏଫ୍‌ଆଇଆର୍ ଗ୍ରହଣ ନକରିବାର କାରଣ କ’ଣ ହୋଇପାରେ? ଆମେ ଶୁଣିବାକୁ ପାଉଛୁ, ରାଜ୍ୟର ଅପରାଧ ହାର କମାଇ ବାହାଦୁରି ନେବା ଚକ୍କରରେ ମୁଖ୍ୟମନ୍ତ୍ରୀ କୁଆଡ଼େ ସବୁ ଥାନାକୁ  ଅଘୋଷିତ ନିର୍ଦ୍ଦେଶନାମା ଜାରି କରି କୌଣସି ଏଫ୍‌ଆଇଆର୍‌କୁ ଚଟାପଟ୍ ଗ୍ରହଣ କରିବାକୁ ମନା କରିଛନ୍ତି । ମାମଲା ରୁଜୁ କରିବାକୁ ମନା କରିଛନ୍ତି । ଏହା ଯଦି ସତ ହୋଇଥାଏ, ତେବେ ବିଜେପି ସରକାରଙ୍କ ଭବିଷ୍ୟତ ସାଂଘାତିକ ବୋଲି ଧରିନେବାକୁ ହେବ ।

ସିମୂଳିଆ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବିଜେପି, ବିଜେଡି, ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏକାକାର ହୋଇ ଯାଇଛନ୍ତି । ମାମଲାଟି ଥଣ୍ଡା ପଡ଼ିଗଲା ପରେ ସମସ୍ତେ ଆପଣା ଆପଣା ବାଟ କାଟି ଚାଲିଯିବେ । ରହିଯିବେ ପୀଡ଼ିତା ଓ ଅଭିଯୁକ୍ତଙ୍କ ପରିବାର । ଉଭୟ ପରିବାର ସାରା ଜୀବନ ହୁତାଶମୟ ଜୀବନ ବିତାଇବେ ।