ବୋମା ମାଡ ଘଟଣାରେ ପୁଣି ଜଣଙ୍କୁ ବାନ୍ଧିଲା ଜଟଣୀ ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଟଣୀ ବେଣାପଞ୍ଜରୀ ଗ୍ରାମର ସେକ୍ କୁରୁବାନ୍ (୨୫)। ତାଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି। ଜଟଣୀ ଥାନାର ଏସ୍.ଆଇ. ଦିଲୀପ କୁମାର ପରିଡାଙ୍କ ଲିଖିତ ରିପୋର୍ଟ ଆଧାରରେ ଗତ ୨୭.୦୭.୨୦୨୫ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ୨୭.୦୭.୨୦୨୫ ସନ୍ଧ୍ୟା ବେଳେ ବେଣାପଞ୍ଜରୀ ଗ୍ରାମର ଅଭିଯୁକ୍ତ ମହମ୍ମଦ ସମଶେର ଓରଫ ହାମା, ସାବିତ୍ ଖାନ ଓରଫ ବଣ୍ଟି ଓ ଏସ୍. କୁର୍ବାନ ସାଙ୍ଗରେ ଲୁହା ଖଣ୍ଡା ଓ ସୁତଲି ବୋମା ନେଇ ଜଟଣୀ ଥାନା ଅନ୍ତର୍ଗତ ବଡ଼ି ମସଜିଦ୍ ଛକରେ ଏକତ୍ରିତ ହୋଇଥିଲେ । ସେମାନେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ପୂର୍ବକ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ ଏବଂ ହତ୍ୟା କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ଉପରେ ସୁତୁଲି ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କରିଥିଲେ । ଏହା ଫଳରେ ଦୁଇରୁ ତିନିଟି ବୋମା ବିସ୍ଫୋରଣ ଘଟି ମହମ୍ମଦ ଫରହାନ ଓ ସନ୍ତୋଷ ଗୁରୁ ଆହତ ହୋଇଥିଲେ। ତଦନ୍ତ ସମୟରେ ଘଟଣା ସ୍ଥଳରୁ ବିସ୍ଫୋରକ ଅବଶିଷ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ଅଭିଯୁକ୍ତ ମହମ୍ମଦ ସମଶେର ଓରଫ ହାମା ଏବଂ ସାବିତ୍ ଖାନ ଓରଫ ବଣ୍ଟି ଗ୍ୟାଙ୍ଗ ସଦସ୍ୟ ହୋଇ ସ୍ଥାନୀୟ ଅଞ୍ଚଳରେ ପ୍ରଭାବ ବିସ୍ତାର କରିବା ପାଇଁ ପ୍ରାୟତଃ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି । ଗତ ୦୫.୧୧.୨୦୨୫ ରେ ଅଭିଯୁକ୍ତ ମହମ୍ମଦ ସମଶେର ଓରଫ ହାମାଙ୍କ ବେଣାପଞ୍ଜରୀ ଗ୍ରାମରେ ଉପସ୍ଥିତି ବିଷୟରେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପୁଲିସ ଚଢ଼ଉ କରି ଅଭିଯୁକ୍ତ ମହମ୍ମଦ ସମଶେରଙ୍କୁ ଗିରଫ କରିଥିଲେ ଏବଂ ପଚରାଉଚରା ବେଳେ ସେ ନିଜ ଦୋଷ ସ୍ୱୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବେଳେ, ପୁଲିସ ଅଭିଯୁକ୍ତ ଏସକେ ଇବାଦୁଲାଙ୍କୁ ବେଣାପଞ୍ଜରୀ ଅଞ୍ଚଳରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଥାନାର ଏକ ଚୋରୀ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି । ସମସ୍ତ ଆଇନଗତ ଔପଚାରିକତା ପୂରଣ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାର ଅଧିକ ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।