ବେଦାନ୍ତର ବେଆଇନ ଟାଉନସିପ୍ ବିରୋଧରେ ଲୋକହସା ମାମଲା!
ଝାରସୁଗୁଡ଼ା: ବେଦାନ୍ତ ପକ୍ଷରୁ ଝାରସୁଗୁଡ଼ା ସୁନାରୀମୁଣ୍ଡାରେ ୫୬ ହଜାର ଏକରରୁ ଅଧିକ ଜମିରେ ଗଢ଼ି ଉଠିଥିବା ଟାଉନସିପ୍ ପାଇଁ ରାଜ୍ୟର କ୍ଷମତାସୀନ ବିଜେଡି ସରକାରକୁ ବଦନାମ ହେବାକୁ ପଡ଼ିଛି ।
ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଇଲାକାରେ ଏତେବଡ଼ ବେଆଇନ ଟାଉନସିପ ଗଢ଼ାଯିବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବେଦାନ୍ତ ପ୍ରୀତି ନିଶ୍ଚିତ ରୂପେ ଦାୟୀ ।
ସରକାରଙ୍କ ବିନା ଅନୁମତିରେ ବେଦାନ୍ତ ଗ୍ରୁପ ଏତେବଡ଼ ଦୁଃସାହସ ଦେଖାଇପାରିଲା କେମିତି? ୨୦୧୩ରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ପକ୍ଷରୁ ବେଦାନ୍ତକୁ ଚିଠି ଲେଖାଯାଇ ଉକ୍ତ ଟାଉନସିପକୁ ଅବୈଧ ଘୋଷଣା କରାଯାଇଥିଲା ।
ତା’ ପରଠାରୁ ବେଦାନ୍ତକୁ ବାରମ୍ବାର ତାଗିଦ କରାଯାଇଥିଲେ ମଧ୍ୟ କମ୍ପାନୀ ଉପରେ ତା’ର କୌଣସି ପ୍ରଭାବ ପଡ଼ିଲାନି ।ଅନ୍ୟ ଉପାୟ ନପାଇ ବେଦାନ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଗୁପ୍ତା ଓ ଝାରସୁଗୁଡ଼ାର ପୂର୍ବ ପୌରନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଝାରସୁଗୁଡ଼ାର ଜୁଡିସିଆଲ ମାଜିଷ୍ଟ୍ରେଟ ବଡ଼ମାଳ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବେଦାନ୍ତ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃପାଦୃଷ୍ଟି ରହିଥିବାରୁ ଏ ମାମଲାର କୌଣସି କୁପ୍ରଭାବ କମ୍ପାନୀ ଉପରେ ପଡ଼ିବନି ବୋଲି ଝାରସୁଗୁଡ଼ା ମାଟି ସୁରକ୍ଷା ମଂଚ ଅଭିଯୋଗ କରିଛି ।