ମୋଦୀ ଗ୍ୟାରେଂଟିର ନଗ୍ନ ନମୁନା: ମାଗଣା ରାସନ ଗୋଟିଏ ପ୍ରହସନ

ଭୁବନେଶ୍ୱର: ବିକଶିତ ଭାରତର ଦ୍ୱାହି ଦେଇ ୭୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଣ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଂଟି ତାଲିକାଭୁକ୍ତ ହୋଇଛି ।

ଦେଶର ଅନେକ ସ୍ଥାନରେ ଗରିବଙ୍କୁ ମାଗଣା ଚାଉଳ ବିତରଣ ଏକ ପ୍ରହସନ ମନେହୁଏ; ତା’ର ପ୍ରତ୍ୟକ୍ଷ ପ୍ରମାଣ ଆପଣଙ୍କୁ ଭୁବନେଶ୍ୱର ଲୋକସଭା ସୀମା ସରହଦ ଭିତରେ ଦେଖିବାକୁ ମିଳିବ ।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଂଚଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି ।ଭୁବନେଶ୍ୱର ଫାୟାର ଷ୍ଟେସନ ବସ୍ତି ବାସିନ୍ଦା ଅହଲ୍ୟା ରାସନ କାର୍ଡ ଖଣ୍ଡିଏ ପାଇବା ପାଇଁ କରୋନା ପୂର୍ବରୁ ଆବେଦନ କରିଥିଲେ; କାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ତାଙ୍କୁ ଏ ଯାଏ କାର୍ଡ ମିଳିଲାନି । ମାଗଣା ରାସନ କଥା ଛାଡ଼ନ୍ତୁ ।

ଶିଖରଚଣ୍ଡି ଅଂଚଳରେ ଗଢ଼ି ଉଠିଥିବା ବସ୍ତି ବାସିନ୍ଦା ଦେବାଶିଷଙ୍କ କ୍ଷେତ୍ରରେ ମଧ୍ୟ ସେହି ଦଶା । ଅଢେ଼ଇ ବର୍ଷ ଭିତରେ ବାରମ୍ବାର ରାସନ କାର୍ଡ ପାଇଁ ଆବେଦନ କରୁଛନ୍ତି; ମାତ୍ର କାର୍ଡଟିଏ ମିଳିଲାନି । ଏଭଳି ସ୍ଥିତିରେ ମୋଦୀଙ୍କ ଗ୍ୟାରେଂଟି ଧୂଅାଁବାଣ ନୁହେଁ ତ ଆଉ କ’ଣ ହୋଇପାରେ ।

ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ପ୍ରତିଟି ବିଧାନସଭା କ୍ଷେତ୍ରର କାନ୍ଥରେ ‘ଆଉ ଥରେ ଅପରାଜିତା’ ଲେଖା ଦେଖିବାକୁ ମିଳୁଛି ।ଅନ୍ଧ ଥରେ ବାଡ଼ି ହଜାଇଛି; ଆଉ ବାଡ଼ି ହଜାଇବନି । ଥରେ ଅପରାଜିତାଙ୍କୁ ଭୋଟ ଦେଇ ୫ ବର୍ଷ ଭିତରେ ମାଗଣା ରାସନ କାର୍ଡ ମିଳିଲାନି । ଆଉ ଥରେ ଭୋଟ ଦେଲେ ମାଗଣା ରାସନ ମିଳିବ ବୋଲି କୋଉ ଗ୍ୟାରେଂଟି?

ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂଚନା ଅନୁସାରେ ୮ ମାସରୁ ଅଧିକ ସମୟ ହେଲାଣି ନୂଆ କାର୍ଡ ପାଇଁ ପୋର୍ଟାଲ ଖୋଲୁନି । ପରିଣାମ ସ୍ୱରୂପ ନୂତନ କାର୍ଡ ତିଆରି କରାଯାଇନି । ପୋର୍ଟାଲ କେବେ ଖୋଲିବ, ତାହା କହିବା ମୁସ୍କିଲ ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୩୩ ହଜାର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧ ଲକ୍ଷ ୨୭ ହଜାର ଲୋକଙ୍କୁ ରାସନ କାର୍ଡ ଦିଆଯାଇନି । ସୁବାସନଗର ବସ୍ତିର ୬୦ ବର୍ଷୀୟ ସୁଦର୍ଶନ ମିସ୍ତ୍ରି, ଶିଖରଚଣ୍ଡୀ ସେଲୁନ କର୍ମଚାରୀ କେ ପୁଷ୍ପାଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କୁ ଅବହେଳା କରାଯିବା ପଛରେ ମୋଦୀ ଗ୍ୟାରେଂଟି ଦାୟୀ ନୁହେଁ କି?

ବିଶେଷ କରି ଶାଶୁଘରକୁ ବୋହୁ ହୋଇ ଆସିଥିବା ହିତାଧିକାରୀଙ୍କୁ ବେଶି ଅସୁବିଧାର ସାମ୍ନା କରିବାକୁ ପଡୁଛି ।