ଧୂଷୁରୀ ଥାନା ଅଞ୍ଚଳରେ ବଡ଼ଧରଣର ଡକାୟତି

ବେକରେ ଭୁଜାଲି ଦେଖାଇ ଲୁଟିନେଲେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ସହ ୪୦ ହଜାର ଟଙ୍କା

ଭଦ୍ରକ(ସାକ୍‌ସୀ ନ୍ୟୁଜ୍‌):  ଧୁଷୁରୀ ରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ଦିଗକୁ ଯାଉଥିବାବେଳେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଡକାୟତି ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ଧୂଷୁରୀ ଥାନା ଅଧୀନ ଅସୁରାଳି ପଞ୍ଚାୟତର ହଂସପୁର ଗ୍ରାମରେ ଘରର କବାଟ ଭାଙ୍ଗି ମରଣାସ୍ତ୍ର ଦେଖାଇ ଏକ ପରିବାରକୁ ଭୟଭୀତ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ଦେଖାଦେଇଛି।ପ୍ରାପ୍ତ ସୂଚନା ମୁତାବକ, ହଂସପୁର ଗ୍ରାମର ନିରଞ୍ଜନ ନାଥଙ୍କ ପରିବାର ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଗଭୀର ନିଦ୍ରାରେ ଥିବାବେଳେ, ହଠାତ୍ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶିଥିଲେ ।

ଦୁର୍ବୃତ୍ତମାନେ ହାତରେ ମରଣାସ୍ତ୍ର ଧରି ପରିବାରର ସମସ୍ତ ସଦସ୍ୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ବନ୍ଦୀ କରି ରଖିଥିଲେ। ଭୟର ବାତାବରଣ ମଧ୍ୟରେ ଦୁର୍ବୃତ୍ତମାନେ ଘରର ଅଲମାରୀ ଓ ବାକ୍ସ ଭାଙ୍ଗି ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଏବଂ ୪୦ ହଜାର ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ଧୂଷୁରୀ ଥାନା ଅଧିକାରୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଧୂଷୁରୀ ଥାନାରେ କେସ୍ ନଂ ୪୫୮/୨୬ ରୁଜୁ କରାଯାଇଛି। ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସନ୍ଧାନୀ କୁକୁର (Sniffer Dog) ଏବଂ ସାଇଣ୍ଟିଫିକ୍ ଟିମ୍କୁ ଘଟଣାସ୍ଥଳକୁ ଅଣାଯାଇ ତନତନ କରି ଯାଞ୍ଚ କରାଯାଉଛି। ଫିଙ୍ଗର ପ୍ରିଣ୍ଟ୍ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଉଥିବା ଜଣାପଡିଛି ।

ଧୂଷୁରୀ ଅଞ୍ଚଳରେ ଇତିପୂର୍ବେ ମଧ୍ୟ ଏପରି ଚୋରି ଓ ଡକାୟତି ଘଟଣା ବୃଦ୍ଧି ପାଉଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାତ୍ରୀକାଳୀନ ପାଟ୍ରୋଲିଂ କୋହଳ ହେତୁ ଏପରି ଅସାମାଜିକ ବ୍ୟକ୍ତିମାନେ ସାହସ ବାନ୍ଧୁଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ପୁଲିସ ଶୀଘ୍ର ଏହି ଡକାୟତ ଦଳକୁ ଧରିବା ସହ ଲୁଟ୍ ହୋଇଥିବା ସାମଗ୍ରୀ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ ।