ଧରାପଡ଼ିଲା ମଣିପୁର ମହିଳାଙ୍କ ନଗ୍ନ ଭିଡିଓ ଉତୋଳକ

ଯୋଉ ବିବାଦୀୟ ଭିଡିଓ ସଂସଦକୁ ଅଚଳ କରିଦେଇଛି । ଯୋଉ ବିବାଦୀୟ ଭିଡିଓ ସାରାଦେଶର ମୁଣ୍ଡକୁ ତଳକୁ କରିଦେଇଛି । ସେଇ ଭିଡିଓ ସୁଟିଂ କରିଥିବା ସଇତାନକୁ ପୁଲିସ ଗିରଫ କରିଛି । ଦୀର୍ଘ ଅଢେ଼ଇ ମାସ ଧରି ମଣିପୁରରେ ଚାଲିଥିବା ରକ୍ତପାତ ଓ ଅରାଜକତା ସାରାଦେଶକୁ ଯେତିକି ଯନ୍ତ୍ରଣା ଦେଇନାହିଁ; ଦୁଇଜଣ ମହିଳାଙ୍କୁ ସାଧାରଣରେ ବିବସ୍ତ୍ର କରି ଚଲାଇବା ଓ ଦୁଷ୍କର୍ମ ଘଟଣାରେ ସାରାଦେଶ ଲଜ୍ଜିତ ଅନୁଭବ କରିଥିଲା ।

ଅଭିଯୁକ୍ତ ବ୍ୟବହାର କରୁଥିବା ମୋବାଇଲ ଏବେ ପୁଲିସ ହେପାଜତରେ ଅଛି । ଇତିମଧ୍ୟରେ ସିବିଆଇ ମଣିପୁର ଯୌନ ନିର୍ୟାତନା ମାମଲାର ତଦନ୍ତ ଦାୟିତ୍ୱ ମୁଣ୍ଡାଇବାକୁ ସମ୍ମତି ପ୍ରଦାନ କରିଛନ୍ତି । ମାମଲାର ବିଚାର ମଣିପୁର ବାହାରେ କରିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି । ମଣିପୁରରେ ମୈତେୟୀ ଓ କୁକି ସମୁଦାୟ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷର ଅବସାନ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସଦକୁ ଜଣାଇଛି ।