କଣ୍ଟିକା ଗାଁରେ ବନ୍ଧୁକ ମୁନରେ ଡକାୟତି

ସୁନାଗହଣା ସହ ୭୦ ହଜାର ଟଙ୍କା ଲୁଟ୍, ଫାଙ୍କା ଗୁଳିଚାଳନା କରି ଫେରାର…

ଧାମନଗର(ସାକ୍‌ସୀ ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ଗ୍ରାମ ପଞ୍ଚାୟତର କଣ୍ଟିକା ଗାଁରେ ଏକ ସଶସ୍ତ୍ର ଡକାୟତି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ଦୁର୍ବୃତ୍ତମାନେ ସୁନାଗହଣା ସହ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଫେରାର ହେବା ସମୟରେ ଗ୍ରାମବାସୀ ଘେରିଯିବାରୁ ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରି ଖସି ପଳାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, କଣ୍ଟିକା ଗାଁର ପିତବାସ ରାଉତଙ୍କ ଘରେ ଗତକାଲି ରାତି ପ୍ରାୟ ୧୦ଟା ୧୫ ମିନିଟ୍‌ ସମୟରେ ଏହି ଘଟଣା ଘଟିଥିଲା। ପିତବାସ ପରିସ୍ରା କରିବା ପାଇଁ ଘର ବାହାରକୁ ଯାଇଥିବା ସମୟରେ ଡକାୟତମାନେ ତାଙ୍କୁ ଆକ୍ରମଣ କରି ଘର ଭିତରକୁ ପଶିଥିଲେ ।

ପିତବାସଙ୍କ ବଡ଼ଭାଇଙ୍କ ସୁଧିକର୍ମ ଅବସରରେ ଘରେ ପରିବାର ସଦସ୍ୟଙ୍କ ସମେତ ବିବାହିତ ଝିଅ, ବୋହୂ ଓ ଛୋଟ ପିଲାମାନେ ଉପସ୍ଥିତ ଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ସହ ସେମାନଙ୍କ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାପରେ ଆଲମିରା ଭାଙ୍ଗି ସେଥିରେ ଥିବା ସୁନାଗହଣା ଓ ନଗଦ ଟଙ୍କା ମଧ୍ୟ ନେଇଯାଇଥିଲେ।ଡକାୟତମାନେ ଘରେ ପଶିବା ସମୟରେ ପିତବାସଙ୍କ ବୋହୂ ଭଦ୍ରକରେ ରହୁଥିବା ତାଙ୍କ ପୁଅଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଅଙ୍କଠାରୁ ସୂଚନା ପାଇ ଧୁଷୁରୀ ପୁଲିସ ପ୍ରାୟ ୨୦ ମିନିଟ୍‌ ମଧ୍ୟରେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଡକାୟତମାନେ କେଉଁ ଦିଗରେ ଫେରାର ହୋଇଥାଇପାରନ୍ତି, ସେନେଇ ଅନୁମାନ କରି ତିହିଡ଼ି ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ପରେ ତିହିଡ଼ି ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।ଉଭୟ ଥାନାର ପୁଲିସ ରାତିସାରା ଘଟଣାସ୍ଥଳରେ ରହି ତଦନ୍ତ ଚଳାଇଥିଲେ। ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଓ ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରାଯାଇଥିଲା। ତେବେ ତଦନ୍ତ ଜାରି ରହିଥିବାରୁ ଡକାୟତମାନଙ୍କ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ  ।