ସେଲୁନ ଭିତରେ ଗୁଳି କରି ହତ୍ୟା

ଦିଲ୍ଲୀ: ଦିଲ୍ଲୀର ନଜଫଗଡ଼ରେ ଗୋଟିଏ ସେଲୁନ ଭିତରେ ପଶି ଆତତାୟୀମାନେ ଦୁଇଜଣଙ୍କୁ ଗୁଳି କରି ମାରି ଦେଇଛନ୍ତି ।   ଦୁଇ ଆତତାୟୀଙ୍କୁ ପୁଲିସ ଚିହ୍ନଟ କରିସାରିଛି । ଶୁଣିବାକୁ ମିଳୁଛି, ସୋସିଆଲ ମିଡିଆରେ ପୋଷ୍ଟକୁ କେନ୍ଦ୍ର କରି ବିବାଦର ସୂତ୍ରପାତ ହୋଇଥିଲା ଯାହାର ପରିଣାମ ସ୍ୱରୂପ ଦୁଇଟି ଜୀବନ ଚାଲିଗଲା । ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ।

ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦୁଇ ଅଭିଯୁକ୍ତ ସଂଜୀବ ତହିୟା ଓରଫ ସଂଜୁ ଓ ହର୍ଷ ଓରଫ ଚିଂଟୁ ନଜଫଗଡ଼ସ୍ଥିତ ଇନ୍ଦିରା ପାର୍କ ନିକଟ ସେଲୁନରେ ଆଶିଷ ଓ ସୋନୁକୁ ଗୁଳି କରି ମାରି ଦେଇଛନ୍ତି । ଗୁଳିର ଶିକାର ହେବା ପୂର୍ବରୁ ଆଶିଷ ଓ ସୋନୁ କେଶ କାଟିବା ପାଇଁ ସେଲୁନକୁ ଯାଇଥିଲେ । ସଂଜୁ ଓ ଚିଂଟୁ ଅତର୍କିତ ସେଲୁନ ଭିତରେ ପଶି ଯୁକ୍ତିତର୍କ କରିଥିଲେ । ସେଲୁନରେ କାର୍ଯ୍ୟରତ ଦୁଇଜଣ ମହିଳା କର୍ମଚାରୀ ଭୟରେ ପଳାୟନ କରିଥିଲେ । ସିସିଟିଭି ଫୁଟେଜରେ ଆଶିଷ ଓ ସୋନୁ ଭୟରେ ହାତଯୋଡ଼ି ଜୀବନ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।