ଜମ୍ମୁ-କଶ୍ମୀରରେ ଆତଙ୍କୀ ହମଲା: ଜଣେ ପୁଲିସ ମୃତ

ଧାରା ୩୭୦ ପ୍ରତ୍ୟାହାର କରାଯିବା ସମୟରେ ଜମ୍ମୁ-କଶ୍ମୀର ଅଂଚଳରେ ଶାନ୍ତି ବିରାଜମାନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ତାର ସହ କହିଥିଲେ । ଜମ୍ମୁ-କଶ୍ମୀରର ବହୁ ରାଜନେତାଙ୍କୁ ମାସମାସ ଧରି ଚାରିକାନ୍ଥ ଭିତରେ ରଖିଥିଲେ । ସବୁ ଉଦ୍ୟମ ସତ୍ୱେ ଜମ୍ମୁ-କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିଲାନି । ସମୟ ସହିତ ତାଳ ଦେଇ ସୀମାନ୍ତ ରାଜ୍ୟର ବାତାବରଣ ପୁଣି ଗୋଳମାଳିଆ ହୋଇଯାଇଛି ।

ସୂଚନା ମୁତାବକ, ଜମ୍ମୁ-କଶ୍ମୀରର ବାରାମୂଳାରେ କିଛି ଅଜ୍ଞାତ ବନ୍ଧୁକଧାରୀ ଗୁଳି ମାରି ମୁଖ୍ୟ କନଷ୍ଟେବଲ ମହମ୍ମଦ ଦାରଙ୍କୁ ତାଙ୍କ ଘର ନିକଟରେ ହତ୍ୟା କରିଛନ୍ତି । ମୃତକ ଦାର ପିସିଆର ଭ୍ୟାନରେ ଡ୍ୟୁଟି କରୁଥିଲେ । ଗୁଳିମାଡ଼ରେ ଗୁରୁତର ଆହତ ହେବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆ ଯାଇଥିଲା । ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଯାଇଛି ।

ବିଗତ କିଛିଦିନ ଭିତରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଯାଇଛି । ତିନିଦିନ ଭିତରେ ତୃତୀୟ ଥର ପାଇଁ ଆତଙ୍କୀ ହମଲା କରାଯାଇଛି । ସୋମବାର ପୁଲୱାମାରେ ଦିନ ମଜୁରିଆ ଭାବେ କାମ କରୁଥିବା ୟୁପିର ଜଣେ ଲୋକକୁ ଆତଙ୍କୀମାନେ ମାରି ଦେଇଥିଲେ ।