ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଷ୍ଟାଫ୍ ସିଲେକ୍ସନ କମିସନ୍ ଅଧ୍ୟକ୍ଷ ସଦସ୍ୟଙ୍କ ପଏସ ବିରଂଚି ସାହୁ ଜେରା ବେଳେ ଚାଂଚଲ୍ୟକର ତଥ୍ୟ ଦେଇଥିବା ଜଣାପଡିଛି । ଜେରା ସମୟରେ ଚାକିରୀ କେଳେଙ୍କାରୀରେ ଅନେକ ନେତା ଓ ଅଫିସରଙ୍କ ସମ୍ପୃକ୍ତି ରହିଥିବା ସ୍ୱୀକାର କରିଛନ୍ତି । ସେମାନଙ୍କ ସମ୍ପର୍କରେ ଭିଜିଲାନ୍ସ କୌଣସି ସୂଚନା ଦେଇ ନଥିଲେ ମଧ୍ୟ କିଛି ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ଅଧିକାରୀଙ୍କୁ ତଦନ୍ତର ପରିସରର୍ଭୃକ୍ତ କରାଯାଇଛି । ଆବଶ୍ୟକସ୍ଥଳେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ନେତା ଓ ଅଫିସରଙ୍କୁ ଭିଜିଲାନ୍ସ ଜେରା କରିବ । ତେବେ କିଏ ସେ ନେତା, ମନ୍ତ୍ରୀ ଓ ଅଫିସର? ତାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିବା ଜଣାପଡିଛି ।
ରିମାଣ୍ଡରେ ଥିବା ବେଳେ ବିଂରଚି ବହୁ ଗୁମର ଖୋଲିଛନ୍ତି । ସେ ଲାଂଚ କଥାକୁ ଯଦିଓ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରି ନାହାନ୍ତି, ହେଲେ ନିଜ ପତ୍ନୀକୁ ଆଗରେ ରଖି ଚାକିରୀ ସହିତ ସେ ବୀମାବେପାର ଚଳାଇଆସୁଥିବା କହିଛନ୍ତି । ଖାଲି ସେତିକି ନୁହେଁ, ଓଏସ୍ଏସ୍ସିରେ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ବଡ଼ ଅର୍ଥରାଶିର ବୀମା କରିବା ପାଇଁ ବାଧ୍ୟ କରୁଥିଲେ । ଚାକିରୀ ପାଇବାକୁ ହେଲେ ଲକ୍ଷାଧିକ ଟଙ୍କା ଲାଂଚ ସମେତ ବିରଂଚିଙ୍କ ପାଖରେ ଏକ ବୀମା କରିବାକୁ ପଡୁଥିଲା । ସିଧାସଖଳ ଲାଂଚ ନନେଇ ସେ ବୀମା ଜରିଆରେ ପ୍ରାର୍ଥୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । କମିସନ୍ ଅଫିସରେ ଥିବା କେଉଁମାନେ ପରୀକ୍ଷାରେ ସିଲେକ୍ଟ ହୋଇଛନ୍ତି ତାହା ଆଗୁଆ ଦେଖିଦେଉଥିଲେ । ପରେ ସେମାନଙ୍କୁ କଲ କରି ଚାକିରୀ ପାଇବାକୁ ହେଲେ ଦେଖା କରିବାକୁ କହୁଥିଲେ । ପରେ ସେମାନଙ୍କୁ ଦେଖାହୋଇ ୨ରୁ ୩ଲକ୍ଷ ଟଙ୍କା ଲାଂଚ ସମେତ ତାଙ୍କ ପାଖେ ଏକ ବୀମା କରିବାକୁ ବାଧ୍ୟ କରାଉଥିଲେ । ସମ୍ପୃକ୍ତ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ପରୀକ୍ଷା ଦ୍ୱାରା ଚାକିରୀ ଏକ ପ୍ରକାର ପକ୍କା ହୋଇଯାଇଥିବା ବେଳେ ସେମାନେ ବିରଂଚି କଥାରେ ପଡ଼ି ଚାକିରୀ ପାଇବାକୁ ସେମାନେ ଅଯଥା ଲାଂଚ ସମେତ ବୀମା ପଲିସି କରୁଥିଲେ । ଏସବୁ କଥା ଭିଜିଲାନ୍ସ ଆଗରେ ଶ୍ରୀସାହୁ ନିଜେ ସ୍ୱୀକାର କରିଥିବା ସୂଚନା ମିଳିଛି ।
ଭିଜିଲାନ୍ସ ସୂଚନା ଅନୁସାରେ, ଓଏସ୍ଏସ୍ସିରେ କିରାଣୀ ଭାବେ ଚାକିରୀ କରିବା ସହ ବିରଂଚିô ବୀମା ବ୍ୟବସାୟ କରୁଥିଲେ । ୨୦୦୯ ମସିହାରୁ ସେ ଏହି ଧନ୍ଦାରେ ପସିଥିଲେ । ନିଜ ପତ୍ନୀଙ୍କୁ ଏଜେଂଟ ସଜାଇ ନିଜେ ଗ୍ରାହକ ଖୋଜିବା ସହ ଟଙ୍କା କାରବାର କରୁଥିଲେ । ୧୨ବର୍ଷରେ ପ୍ରାୟ ୯୦୦ଜଣଙ୍କ ବୀମା ପଲିସି କରାଇଛନ୍ତି । ଏବାବଦକୁ ଲକ୍ଷାଧିକ ଟଙ୍କା ବିରଂଚି କମିସନ ପାଉଛନ୍ତି । ଏମାନଙ୍କ ମଧ୍ୟରୁ ଓଏସ୍ଏସ୍ସିରେ ପରୀକ୍ଷା ଦେଇଥିବା କେତେକ ପ୍ରାର୍ଥୀ ମଧ୍ୟ ଅଛନ୍ତି । ଏପର୍ଯ୍ୟନ୍ତ ଭିଜିଲାନ୍ସ ୨୧ଜଣଙ୍କ ସନ୍ଧାନ କରିପାରିଛି । ସେମାନଙ୍କ ସମ୍ପର୍କରେ ଭିଜିଲାନ୍ସ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛି । ବିଶେଷକରି ସେମାନେ ବିରଂଚିଙ୍କ ନିକଟରେ କାହିଁକି ବୀମା ପଲିସି କରିଥିଲେ? ତାଙ୍କୁ ଚାକିରୀ ବଦଳରେ ପଲିସି କରିବାକୁ ବାଧ୍ୟ କରାଯାଇଥିଲା କି? ଏବେ ସେମାନେ କ’ଣ କରୁଛନ୍ତି? କେଉଁଠି ଚାକିରୀ କରିଛନ୍ତି? ଚାକିରୀ କେମିତି ପାଇଲେ? ଏହିସବୁ ଦିଗକୁ ନେଇ ଭିଜିଲାନ୍ସ ଖୋଳତାଡ୍ କରୁଛି ।
ବିରଂଚିଙ୍କ ଚନ୍ଦ୍ରଶେଖରପୁର ସ୍ଥିତ ନିଳାଦ୍ରୀବିହାର ଘରୁ ୧୧୪ଟି ଓଏସ୍ଏସ୍ସି ପ୍ରାର୍ଥୀଙ୍କ ଆଡ୍ମିଟ୍ କାର୍ଡ ମିଳିଥିଲା । ଯାଂଚ କରିବାରୁ ୧୦୭ଜଣ କୌଣସି ଚାକିରୀ ପାଇନାହାନ୍ତି । ତେବେ ବାକି ୭ଜଣ ପ୍ରାର୍ଥୀ ଚାକିରୀ ପାଇଥିବାବେଳେ ସେମାନଙ୍କୁ ତଦନ୍ତ ପରିସରର୍ଭୁକ୍ତ କରାଯିବ । ତାଙ୍କ ଆଡ୍ମିଟ୍ କାର୍ଡ ବିରଂଚିଙ୍କ ଘରେ କେମିତି ଆସିଲା? ବିରଂଚିଙ୍କ ସହିତ ତାଙ୍କର ସମ୍ପର୍କ କ’ଣ? ଚାକିରୀ ପାଇଁ କେତେଟଙ୍କା ଦେଇଛନ୍ତି? ଏଭଳି ଅନେକ ଦିଗକୁ ନେଇ ସେମାନଙ୍କୁ ପଚରାଉଚରା କରାଯିବ । ସେହିପରି ତଦନ୍ତ କରିବାରୁ ବିରଂଚି ବହୁତ୍ ଶସ୍ତାରେ ଜମି କିଣିଥିବା ଜଣାପଡ଼ିଛି । ଏନେଇ ଜମି ବିକ୍ରି କରିଥିବା ଲୋକଙ୍କୁ ଭିଜିଲାନ୍ସ ସମନ୍ କରିଛି । ସେମାନଙ୍କୁ ପଚରାଉଚରା କରାଯିବା ସହ ବିରଂଚିଙ୍କ କେଳେଙ୍କାରୀର ଆଉ ଏକ ଅଧ୍ୟାୟ ଖୋଜିବ ଭିଜିଲାନ୍ସ ।