ଜାଭଲିନ୍ ଥ୍ରୋରେ ଟୋକିଓରେ ସ୍ୱର୍ଣ୍ଣ ଜିତିଲେ ନୀରଜ

 ଟୋକିଓ: ଅଲିମ୍ପିକ୍ସରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଆଜି ଟୋକିଓ ଅଲିମ୍ପିକ୍ସର ୧୬ ତମ ଦିନରେ ଜାଭଲିନ୍ ଥ୍ରୋର ଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ଭାରତୀୟ ଖେଳାଳି ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହାସହ ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ଖେଳାଳି ଟୋକିଓରେ ରୌପ୍ୟ କିମ୍ବା ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ନୀରଜ ପ୍ରଥମ ଖେଳାଳି ଭାବେ ଆଜି ଟୋକିଓରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ଆଜି ଯାଏ ଅଲିମ୍ପିକ୍ସର କୌଣସି ସଂସ୍କରଣରେ ଭାରତର କେହି ବି ଆଥଲେଟିକ୍ସରେ ପଦକ ଜିତି ନଥିଲେ। ଶେଷଥର ପାଇଁ ୧୯୦୦ ମସିହାର ଜୁଲାଇ ୨୨ରେ ବ୍ରିଟିଶ-ଇଣ୍ଡିଆର ନୋରମାନ ପ୍ରୀଟଚାର୍ଡ ୨୦୦ ମିଟର ରନିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ଏହାପରେ ବ୍ରିଟିଶ ଇଣ୍ଡିଆ କିମ୍ବା ସ୍ୱାଧୀନତା ପରେ କୌଣସି କ୍ରୀଡ଼ାବିତ ଭାରତ ପାଇଁ ଆଥଲେଟିକ୍ସରେ ପଦକ ଜିତି ନଥିଲେ।