ଶ୍ରଦ୍ଧା ହତ୍ୟାକାଣ୍ଡ ସାରାଦେଶକୁ ଚହଲାଇ ଦେଇଥିଲା । ସଇତାନ ଅଫତାବ କେବଳ ପ୍ରେମ ପାଗଳିନୀ ଶ୍ରଦ୍ଧାଙ୍କୁ ହତ୍ୟା କରି ନଥିଲା; ତାଙ୍କର ମରଶରୀରକୁ କରତରେ ଖଣ୍ଡଖଣ୍ଡ କରି ୩୫ ଗଡ଼ କରିଥିଲା । ସେଗୁଡ଼ିକୁ ବେଶ ଗୋପନୀୟତାର ସହ ଦିଲ୍ଲୀର ବିଭିନ୍ନ ଅଂଚଳରେ ଫିଙ୍ଗି ଦେଇଥିଲା । ଏବେ ଠିକ୍ ସେହିଭଳି ଏକ ଛାତିଥରା ମାମଲା ପୁଣି ସାମ୍ନାକୁ ଆସିଛି । ନିର୍ଦ୍ଦୟ ପୁଅ ତା’ ବାପାଙ୍କୁ ନିର୍ମମ ହତ୍ୟା କରିବା ପରେ ମୃତଦେହକୁ ୩୦ ଖଣ୍ଡ କରି ସେଗୁଡ଼ିକୁ ଏକ ନଳକୂଅ ଭିତରେ ପକାଇ ଦେଇଥିଲା । ଘଟଣାଟି କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର । ଅଭିଯୁକ୍ତ ପୁଅ ବିଠଲକୁ ମାତ୍ର ୨୦ ବର୍ଷ । ବାଗଲକୋଟର ମୁଘୋଲ ଇଲାକାରେ ବିଠଲଙ୍କ ଘର । ସୋମବାର ପୁଲିସ ଅଭିଯୁକ୍ତ ବିଠଲକୁ ଗିରଫ କଲା । ପୁଲିସ ଜେରା କରିବାରୁ ବିଠଲ ସବୁ ଘଟଣା ବଖାଣିଲା । ବିଠଲ କହିଛି ଯେ ତାର ବାପା ପରଶୁରାମ ଜଣେ ମଦ୍ୟପ । ମଦ ପିଇ ତାକୁ ସବୁବେଳେ ମାଡ଼ ମାରନ୍ତି । ଡିସେମ୍ବର ୬ ତାରିଖରେ ବାପା ପରଶୁରାମ ମଦ ପିଇ ଘରକୁ ଆସିଲେ । ସାମାନ୍ୟ ଘଟଣାରେ ଉତକ୍ଷିପ୍ତ ହୋଇ ବିଠଲକୁ ପ୍ରବଳ ମାଡ଼ ମାରିଲେ ।
ବିଠଲ ମୁଣ୍ଡକୁ ପିତ ଚଢ଼ିଗଲା । ସେ କାଳବିଳମ୍ବ ନକରି ଏକ ରଡ୍ ଧରି ବାପାଙ୍କୁ ନିର୍ଘାତ୍ ମାଡ଼ ମାରିଲା । ପୁଅର ମାଡ଼ରେ ବାପା ମରିଗଲେ । ଆଖି ଆଗରେ ବାପାଙ୍କ ନିଶ୍ଚଳ ଶରୀର ଦେଖି ବିଠଲ ଜଡ଼ ପାଲଟିଗଲା । କ’ଣ କରିବ ପ୍ରଥମେ ଭାବି ପାରିଲାନି । କିନ୍ତୁ ପରେ ବାପାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ଗାଁ ବାହାରେ ଜମି ମଝିରେ ଖୋଳା ଯାଇଥିବା ନଳକୂଅ ଭିତରେ ପକାଇବାକୁ ନିଷ୍ପତି ନେଲା । ଯୋଜନା ମୁତାବକ କରତଟିଏ ଯୋଗାଡ଼ କଲା । ବହୁ କଷ୍ଟ କରି ବାପାଙ୍କ ମୃତଦେହକୁ ୩୦ ଖଣ୍ଡ କଲା । ସେଗୁଡ଼ିକୁ ଅତି ସତର୍କତାର ସହ ନେଇ ଗାଁ ବାହାରେ ଥିବା ପରିତ୍ୟକ୍ତ ନଳକୂଅ ଭିତରକୁ ପକାଇଦେଲା ।
କାଳେ କିଏ ବାପାଙ୍କ ବିଷୟରେ ପଚାରିବେ ଭାବି ଫେରାର୍ ହୋଇଗଲା । ମାତ୍ର ଶନିବାର ଘରକୁ ଫେରିବାରୁ ଲୋକମାନେ ବାପାଙ୍କ ସଂପର୍କରେ ପଚାରିଲେ । ତହୁଁ ବିଠଲ କହିଲା ଯେ ବାପାଙ୍କ ସହ ପାଟିତୁଣ୍ଡ କରି ସେ ଘରୁ ପଳାୟନ କରିଥିଲା । ବାପାଙ୍କ ସଂପର୍କରେ ତା’ ପାଖରେ କୌଣସି ଖବର ନାହିଁ । ମାମଲା ପୁଲିସ କାନକୁ ଗଲା । ପୁଲିସର ସନ୍ଧାନୀ ଆଖିରେ ବିଠଲ ଧରା ପଡ଼ିଗଲା । ପ୍ରଥମେ ବିଠଲ କିଛି ଜାଣିନି କହୁଥିଲା । ମାତ୍ର ପୁଲିସର ଧମକ ଚମକକୁ ବେଶି କ୍ଷଣ ହଜମ କରିପାରିଲାନି ବିଠଲ ।