ପତ୍ନୀଙ୍କୁ ଖୁସି ରଖନ୍ତୁ, ଶନିଦେବଙ୍କ କୃପାଲାଭ କରନ୍ତୁ

୨୦୨୩ ଜାନୁଆରୀ ୧୭ ତାରିଖରେ ଗ୍ରହରାଜ ଶନି କୁମ୍ଭ ରାଶିକୁ ଚଳନ କରିବେ । ଶନିଙ୍କ ବକ୍ରଦୃଷ୍ଟି ପ୍ରଭାବରେ ଜାତକକୁ ଦୁଃଖ ଓ ଯନ୍ତ୍ରଣା ଦେଇ ଗତି କରିବାକୁ ପଡେ଼ । ଏପରିକି ଅଧିକାଂଶ ଲୋକ ଶନି ପ୍ରତିମା ସାମ୍ନାରେ ଠିଆ ହେବାକୁ ଭୟ କରନ୍ତି । ଲୋକମାନେ ଶନିଙ୍କୁ ଏତେ ଡରନ୍ତି କ’ଣ ପାଇଁ? ଶନିଙ୍କର ବକ୍ର ଦୃଷ୍ଟିର ରହସ୍ୟ କ’ଣ? ଆଜି ସେହି ବିଷୟରେ କହିବାକୁ ଉଚିତ ମନେକରୁଛୁ ।
ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଶନିଙ୍କ ଦୃଷ୍ଟିରୁ ଖସିବା ସହଜ ନୁହେଁ । ଜାତକର ସାମାନ୍ୟ ଦୋଷକୁ ଶନି କ୍ଷଣେ ସହିପାରନ୍ତି ନାହିଁ । ତୁରନ୍ତ ଦଣ୍ଡ ପ୍ରଦାନ କରନ୍ତି ।
ଶାସ୍ତ୍ରାନୁମତେ ଶନିଦେବ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ । ସବୁବେଳେ ଶ୍ରୀକୃଷ୍ଣଙ୍କ ଭଜନ, କୀର୍ତନ, ଧ୍ୟାନରେ ମଗ୍ନ ରହୁଥିଲେ । ଯୁବକ ବୟସର ଉପନୀତ ହୁଅନ୍ତେ ସେ ରାଜା ଚିତ୍ରରଥଙ୍କ କନ୍ୟାଙ୍କ ପାଣି ଗ୍ରହଣ କଲେ । ବିବାହ ପରେ ମଧ୍ୟ ଶନିଦେବ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣରେ ଲୀନ ରହୁଥିଲେ । ପ୍ରାଣପ୍ରିୟା ପତ୍ନୀ ନିଜକୁ ଯେତେ ସଜେଇ ଦେଲେ ମଧ୍ୟ ଗ୍ରହରାଜ ଶନି ତାଙ୍କ ଉପରେ କ୍ଷଣଟିଏ ଦୃଷ୍ଟି ପକାଉ ନଥିଲେ । ଶନିଙ୍କର ଏଭଳି ଆଚରଣକୁ ପତ୍ନୀ ସହିପାରିଲେ ନାହିଁ । କ୍ରୋଧରେ ଅଭିଶାପ ଦେଇ କହିଲେ, ଯାହା ଉପରେ ଶନିଙ୍କର ଦୃଷ୍ଟି ପଡ଼ିବ, ସେ ବିନାଶ ହୋଇଯିବ । ପତ୍ନୀଙ୍କ ଅଭିଶାପ ପରଠାରୁ ଶନିଙ୍କର ଦୃଷ୍ଟିରେ ଯିଏ ପଡ଼ିଲା, ତା’ର ହିନସ୍ତା ଆରମ୍ଭ ହୋଇଗଲା । ତହୁଁ ଶନିଦେବ କାହା ଉପରେ କୌଣସି ଦୃଷ୍ଟି ପକାଇବାକୁ ଉଚିତ ମଣନ୍ତି ନାହିଁ । ଶନିଦେବ ସର୍ବଦା ତଳକୁ ମୁହଁ କରି ଚଳପ୍ରଚଳ କରିଥାନ୍ତି ।

ଶନିଙ୍କଠାରୁ ପ୍ରକୃତ କଥା ଶୁଣିବା ପରେ ପତ୍ନୀ ଅନୁତାପ କଲେ ସତ; ମାତ୍ର ଅଭିଶାପ ପ୍ରତ୍ୟାହାର କରିବାର ଶକ୍ତି ପତ୍ନୀଙ୍କ ପାଖରେ ନଥିଲା । ଶନି କାହାର ବିନାଶ କରିବାକୁ ଚାହାନ୍ତି ନାହିଁ । ତେଣୁ ସିଂହାସନରେ ବସିଲେ ମଧ୍ୟ ତଳକୁ ମୁହଁ କରିଥାନ୍ତି । ଇନ୍ଦ୍ରନୀଳ ମଣି ଶରୀର ଧାରଣ କରିଥିବା ଶନିଦେବଙ୍କ କୁପ୍ରଭାବରୁ ରକ୍ଷା ପାଇବାକୁ ଚାହୁଁଥିଲେ, ନୀଳ ରଙ୍ଗର ପୋଷାକପତ୍ର ଅଥବା ରୁମାଲ ବ୍ୟବହାର କରନ୍ତୁ ।

ପାଖରେ ନୀଳରଙ୍ଗର ରୁମାଲ ଥିଲେ, ଶନି ଓ ରାହୁଙ୍କ କୁଦୃଷ୍ଟିରୁ ରକ୍ଷା ମିଳିଥାଏ । ପାଠପଢ଼ା ସ୍ଥାନ ହେଉ କି କର୍ମସ୍ଥଳୀ ହେଉ, ନୀଳରଙ୍ଗର ସାମାନ୍ୟ ପ୍ରୟୋଗ ଅବଶ୍ୟ କରନ୍ତୁ ।