କ୍ରିକେଟ୍‌ ଦୁନିଆରେ ପାଦଦେଲେ ଅର୍ଜୁନ ତେନ୍ଦୁଲକର

ପାଣାଜୀ: ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଦୁନିଆରେ ପାଦ ଦେଇଛନ୍ତି ପୂର୍ବତନ କ୍ରିକେଟିୟର ସଚିିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ । ମଙ୍ଗଳବାର (୧୩ ଡିସେମ୍ବର) ଆରମ୍ଭ ହୋଇଛି ରଣଜୀ ଟ୍ରଫି । ଅର୍ଜୁନ ତେନ୍ଦୁଲକର ଗୋଆ ଟିମ ପକ୍ଷରୁ ଖେଳିବାର ସୁଯୋଗ ପାଇଛନ୍ତି । ଚଳିତ ସିଜନରେ ଅର୍ଜୁନ ମୁମ୍ବାଇ ଟିମ୍‌ ବଦଳରେ ଗୋଆ ଟିମରେ ଯୋଗ ଦେଇଛନ୍ତି ।
ଆଜି ଗୋଆ ଓ ରାଜସ୍ଥାନ ଭିତରେ ମୁକାବିଲା ଥିଲା । ରାଜସ୍ଥାନ ପ୍ରଥମେ ବୋଲିଂ ବାଛିନେଲା । ୨୩ ବର୍ଷୀୟ ଅର୍ଜୁନ ଗୋଆ ଟିମର ପ୍ରଥମ ୧୧ ଜଣଙ୍କ ଭିତରେ ଅଛନ୍ତି । ପ୍ରଥମ ଦିନରେ ଖେଳ ଶେଷସୁଦ୍ଧା ଅର୍ଜୁନ ୧୨ଟି ବଲକୁ ସାମ୍ନା କରି ୪ ରନ୍‌ କରି ଅପରାଜିତ ଅଛନ୍ତି ।

ପ୍ରଥମ ଦିନରେ ଗୋଆ ୫ ୱିକେଟ୍‌ ହରାଇ ୨୧୦ ରନ୍‌ କରିଛି । ଗୋଆ ପକ୍ଷରୁ ସୁଯଶ ୮୧ ରନ୍‌ କରି ଅପରାଜିତ ଅଛନ୍ତି । ସ୍ନେହଲ ୫୯ ରନ୍‌ କରିଛନ୍ତି । ଚଳିତ ଅଗଷ୍ଟରେ ଅର୍ଜୁନ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନକୁ ପ୍ରାର୍ଥନା କରି ଅନ୍ୟତ୍ର ଖେଳିବାକୁ ଅନୁମତି ଲୋଡ଼ିଥିଲେ । ଅର୍ଜୁନଙ୍କୁ ମୁମ୍ବାଇ ପକ୍ଷରୁ ଖେଳିବାକୁ ସୁଯୋଗ ମିଳୁ ନଥିଲା । ତେଣୁ ସେ ଗୋଆ ଟିମରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆଇପିଏଲ୍‌ ସଂସ୍କରଣରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ ଖେଳାଳି ହୋଇଥିଲେ ମଧ୍ୟ ଅଦ୍ୟାବଧି ଖେଳିବାର ସୁଯୋଗ ପାଇନାହାନ୍ତି । ଅର୍ଜୁନ ଆଇପିଏଲ୍‌ ପ୍ରଥମ ସଂସ୍କରଣରେ ୨୦ ଲକ୍ଷ ଟଙ୍କା ଓ ଦ୍ୱିତୀୟ ସଂସ୍କରଣରେ ୩୦ ଲକ୍ଷ ଟଙ୍କା ବିନିମୟରେ ବୁଝାମଣା କରି ମୁମ୍ବାଇ ଇଣ୍ଡିଆନ୍‌ ଟିମରେ ଅଛନ୍ତି ।