ଚିଆ ସିଡ୍‌ସ ଓ ସବ୍‌ଜା ସିଡ୍‌ସ

ଅନେକ ଲୋକ ଫିଟ୍‌ନେସ୍ ଉପରେ ଗୁରୁତ୍ବ ଦେଉଛନ୍ତି। ଫଳରେ ଅନେକେ ସେମାନଙ୍କ ଖାଦ୍ୟରେ ଚିଆ ସିଡ୍‌ସ ଓ ସବ୍‌ଜା ସିଡ୍‌ସ ବା ନଣ୍ଡାବଗୁଲି ଭଳି ସୁପର୍‌ ଫୁଡ୍ ଯୋଡୁଛନ୍ତି। ଏହି ଦୁଇଟି ସୁପର୍‌ ଫୁଡ୍ ପୁଷ୍ଟିକର ପଦାର୍ଥରେ ଭରପୂର ହୋଇଥିବା ବେଳେ ଅନେକ ଲାଭ ମଧ୍ୟ ପ୍ରଦାନ କରିଥାଏ। ନଣ୍ଡାବଗୁଲି ଓ ଚିଆ ସିଡ୍‌ସ ଦେଖିବାକୁ ଏକା ପରି। ତେବେ ଭଲ ଭାବରେ ଦେଖିଲେ ଉଭୟ ମଧ୍ୟରେ ପାର୍ଥକ୍ୟ ଥିବା ଜଣାପଡ଼େ। ନଣ୍ଡାବଗୁଲି ଦେଖିବାକୁ ପୂରା କଳା ହୋଇଥିବା ବେଳେ ଚିଆ ସିଡ୍‌ସ କଳା ଓ ଧଳା ଦାଗଯୁକ୍ତ ଧୂସର ରଙ୍ଗର ହୋଇଥାଏ ।

ଆୟୁର୍ବେଦ ଅନୁସାରେ, ନଣ୍ଡାବଗୁଲିରେ ଶୀତଳତାର ପ୍ରଭାବ ରହିଛି। ତେଣୁ ଏହାକୁ ବିଶେଷ କରି ଖରାଦିନେ ଖାଇବାକୁ ସୁପାରିସ କରାଯାଇଥାଏ। ଏହା ଶରୀରକୁ ଥଣ୍ଡା ରଖିବା ସହ ଏସିଡିଟି ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାକୁ ବର୍ଷସାରା ମଧ୍ୟ ଖାଇହେବ। କାରଣ ଶରୀରର ରକ୍ତ ଶର୍କରାରେ ହଠାତ୍ ବୃଦ୍ଧିକୁ ରୋକିଥାଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ। ଏହାକୁ ପିଇଲେ ଚର୍ମ ଉଜ୍ଜ୍ବଳ ହେବା ସହ କେଶ ମଜଭୁତ ହୁଏ।ଏହାର ଶୀତଳତା ଓ ଲୁବ୍ରିକେଟିଂ ଗୁଣ ଏସିଡିଟି ତଥା ଗ୍ୟାସ୍‌କୁ ହଟାଏ। ନଣ୍ଡାବଗୁଲିରେ ଯଦିଓ ଓମେଗା-୩ କମ୍ ଥାଏ, ତେବେ ପଲିଫେନୋଲ୍‌ ଓ ଫ୍ଲାଭୋନ୍‌ଏଡ୍‌ସ ମାଧ୍ୟମରେ ହୃଦ୍‌ରୋଗର ସୁସ୍ଥତା ବଜାୟ ରଖେ। ନଣ୍ଡାବଗୁଲିକୁ ପାଣିରେ ପକାଇବା ପରେ ଏହା ଶୀଘ୍ର ଫୁଲି ଯାଇଥାଏ। ଏହାକୁ ଫୁଲିବାକୁ ୫ରୁ ୧୦ ମିନିଟ୍ ସମୟ ଲାଗୁଥିବା ବେଳେ ଚିଆ ସିଡ୍‌ସ ପାଣିରେ ଫୁଲିବାକୁ ଅଧିକ ସମୟ ନିଏ। ପାଣିରେ ଫୁଲି ଜେଲି ଭଳି ହେବାକୁ ଏହା ସାଧାରଣତଃ ଗୋଟିଏ ରାତି ସମୟ ନେଇଥାଏ ।