ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି-୨୦୨୬

ଅସୁରାଳି,(ସାକ୍‌ସୀ ନ୍ୟୁଜ୍‌ ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମ ପଞ୍ଚାୟତର କଣ୍ଟିକା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଳସାହି ଓ ରଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ଭରତ ଚନ୍ଦ୍ର କର ସଭାପତିତ୍ୱ କରିଥିବାବେଳେ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ କର ମୁଖ୍ୟ ଅତିଥି ଏବଂ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଗଙ୍ଗାଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପାଳସାହି ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଦାଶ ସମ୍ମାନିତ ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଜେନ୍ଦ୍ର ଖଟୁଆ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବ୍ରଜକିଶୋର ସିଅଳ ସଂଯୋଜନା କରିଥିଲେ।ଏହି ଅବସରରେ ମୋଟ ୧୧ଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ଦକ୍ଷତା, ସୃଜନଶୀଳତା ଓ ପ୍ରତିଭାର ପରିଚୟ ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତିଗତ ପ୍ରତିଯୋଗିତାରୁ ଦୁଇଜଣ ଏବଂ ଦଳଗତ ପ୍ରତିଯୋଗିତାରୁ ଛଅଜଣ ଛାତ୍ରଛାତ୍ରୀଙ୍କୁ ଆଗାମୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାସ, ଗୋପାଳ ଖଟୁଆ, ଦୁଃଶାସନ ରାଉତ, ରମାକାନ୍ତ ବାରିକ ଓ ସୁମିତ୍ରା ବେହେରା ଉପସ୍ଥିତ ଥିଲେ। ସେହିପରି ଅଜିତ ଦାସ, କାମଦେବ ସେଠୀ, ଅନ୍ନପୂର୍ଣ୍ଣା ରାଉତ ଓ ଧର୍ମାନନ୍ଦ ଭାରତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ଉନ୍ମେଷ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଏହି କାର୍ଯ୍ୟକ୍ରମ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା। ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଓ ସହଯୋଗର ମନୋଭାବ ସୃଷ୍ଟି କରିବାରେ ସୁରଭି କାର୍ଯ୍ୟକ୍ରମ ସହାୟକ ହୋଇଥିଲା। ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ ।