ଦାଦବଟି ନ ଦେବାରୁ ଯୁବକଙ୍କୁ ହାଣିଲେ,ବନ୍ଧା ହେଲେ ୩

ରାଜଧାନୀରେ ଦିନକୁ ଦିନ ଅପରାଧୀ ବଢ଼ି ବଢ଼ି ଚାଲିଛି। କମିଶନରେଟ୍‍ ପୁଲିସକୁ ଚକମା ଦେଇ ଅଭିଯୁକ୍ତମାନେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟାଉଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିବା ଛଡା ଅନ୍ୟ ଉପାୟ ନାହିଁ। ଦାଦାବଟି ନ ଦେବାରୁ ଜଣେ ଯୁବକଙ୍କ ଘରେ ପଶି ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ଲହୁଲୁହାଣ କରିବା ଘଟଣାରେ ଏୟାରପୋର୍ଟ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏୟାରଫିଲ୍ଡ ଥାନା ଭିମଟାଙ୍ଗିର ପ୍ରଦୀପ୍ତ କୁମାର ସାହୁ ଓରଫ ପିଣ୍ଟୁ(୩୨), ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ଜଗନ୍ନାଥ ମନ୍ଦିର ପାଖରେ ରହୁଥିବା ରାଜେଶ କୁମାର ସାହୁ(୨୮) ଓ ଶିଶୁପାଳଗଡର ଭରତ କୁମାର ନାୟକ(୨୯) । ଗିରଫ ଅଭିଯୁକ୍ତମାନଙ୍କଠାରୁ ପୁଲିସ ଖଣ୍ଡା, କଟୁରୀ ଜବତ କରିଛି । ଅଭିଯୋଗକାରିଣୀ ମାମା ହାଂସଦାଙ୍କ ଲିଖିତ ଅଭିଯୋଗ ଆଧାରରେ ଏୟାରପୋର୍ଟ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁକରି ଏହାର ତଦନ୍ତ କରିବା ସହ ନିମ୍ନୋକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପରିବାର ସହ କାର୍ଗିଲବସ୍ତି ଅନ୍ତର୍ଗତ ମଦନମୋହନ ସାହିରେ ରୁହନ୍ତି । ଗତ ୧୦.୧୨.୨୦୨୫ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ତାଙ୍କ ଭାଇ ଦୁର୍ଗା ମାଧବ ଜେନା ଘରେ ଏକା ଥିବା ସମୟରେ ଷ୍ଟାର ପିଣ୍ଟୁ ଏବଂ ସହଯୋଗୀମାନେ ତାଙ୍କ ଘରକୁ ଆସି ଦାଦାବଟି ମାଗିଥିଲେ। ଭାଇ ଟଙ୍କା ଦେବାକୁ ମନା କରିବାରୁ, ସେମାନେ ତାଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ ।

ଏହା ପରେ, ଅଭିଯୁକ୍ତ ମାନେ ଘରେ ପଶି ତାଙ୍କ ଭଣଜାକୁ ଖରାପ ଭାଷାରେ ଗାଳି ଦେବା ସହ ହତ୍ୟା କରିବାକୁ ଧମକ ଦେଇଥିଲେ । ସେମାନେ ଅଭିଯୋଗକାରିଣୀ ଏବଂ ତାଙ୍କ ସ୍ୱାମୀ ପ୍ରକାଶ ବେହେରାଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିଥିଲେ । ଇତିମଧ୍ୟରେ ଜଣେ ଅଭିଯୁକ୍ତ ପ୍ରଶାନ୍ତ ପତି ଓରଫ ଦୀପକ ଓରଫ ଦୀପୁ ମାନ୍ୟବର ଅଦାଲତରେ ଆତ୍ମସମର୍ପଣ କରିଥିଲେ । ମାମଲାର ଅଧିକ ତଦନ୍ତ କାଳରେ ନିମ୍ନୋକ୍ତ ତିନି ଅଭିଯୁକ୍ତ ଗଞ୍ଜାମ ଖଲ୍ଲିକୋଟର ଏକ ଫାର୍ମ ହାଉସରେ ଆତ୍ମଗୋପନ କରିଥିବା ନେଇ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ଅତର୍କିତ ଚଢଉ କରି ତିନି ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ହେପାଜତରୁ ୩ଟି ମରଣାସ୍ତ୍ର ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ୱୀକାର କରିଥିଲେ । ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ପ୍ରଦୀପ୍ତ କୁମାର ସାହୁ ଓରଫ ଷ୍ଠାର ପିଣ୍ଟୁ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ତାଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ମୋଟ ୨୦ ଗୋଟି ଭିନ୍ନ ଅପରାଧ ଜନିତ ମାମଲା ରହିଥିବା ଜଣାପଡିଛି । ମାମଲାର ଅଧିକ ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି।