ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଯୁବକ

ଦାଦାବଟି ମାଗିବା ମହଙ୍ଗା ପଡିଛି। ଦାଦାବଟି …

ଦାଦାବଟି ମାଗିବା ମହଙ୍ଗା ପଡିଛି। ଦାଦାବଟି ମାଗିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଫୁଲେଶ୍ୱରୀ ବସ୍ତିର ବିକାଶ କୁମାର ପ୍ରଧାନ(୨୧) ଓ ଚିନ୍ମୟ ମହାରଣା(୧୯)। ଦୁହିଁଙ୍କୁ ରବିବାର ଦିନ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗକାରୀ କାଳୁ ଚରଣ ରାଉତଙ୍କ ଅଭିଯୋଗ କ୍ରମେ ଭରତପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୦୬.୧୨.୨୫ ସନ୍ଧ୍ୟାରେ ଦୁଇ ଅଭିଯୁକ୍ତ ଫୁଲେଶ୍ୱରୀ ବସ୍ତିର ବାପୁନି ଏବଂ ସୁଦର୍ଶନ ନାମକ ଅନ୍ୟ ଦୁଇଜଣଙ୍କ ସହ ମିଶି ଅଭିଯୋଗକାରୀଙ୍କ ଘରକୁ ଯାଇ ତାଙ୍କଠାରୁ ଦାଦାବଟି ଦାବି କରିଥିଲେ ଏବଂ ତାଙ୍କୁ ଆଘାତ କରିବାର ଭୟ ଦେଖାଇଥିଲେ। ଅଭିଯୋଗକାରୀ ଅଭିଯୁକ୍ତ ମାନଙ୍କୁ କୌଣସି ବାଟି ଦେବାକୁ ମନା କରିଦେଇଥିଲେ। ସେହି ଦିନ ମଧ୍ୟ ରାତ୍ରି ପ୍ରାୟ ୧୨ଟା ୩୦ ସମୟରେ ଅଭିଯୁକ୍ତମାନେ ଅନ୍ୟମାନଙ୍କ ସହିତ ଅଭିଯୋଗକାରୀଙ୍କ ଘରକୁ ଆସି ପଥର ଫିଙ୍ଗି କାର କାଚ ଏବଂ ଅନ୍ୟ ପଡେ଼ଶୀଙ୍କ ଗାଡ଼ି କାଚ ଭାଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିବା ପରେ, ଉପରୋକ୍ତ ଅଭିଯୁକ୍ତମାନେ ଅନ୍ୟମାନଙ୍କ ସହିତ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ୫ ଗୋଟି ଗାଡି କ୍ଷତିଗ୍ରସ୍ତ ଅବସ୍ଥାରେ ଜବତ କରିଥିଲେ। ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିଲେ।