ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ବେଳେ ଦୁଇ ଦଲାଲଙ୍କୁ ଗିରଫ କରିଛି ବାଲିଅନ୍ତା ପୁଲିସ । ଗିରଫ ଦୁଇ ଦଲାଲ ହେଲେ ବାଲିଅନ୍ତା ଥାନା ନିକଟସ୍ଥ ଭୁବନପୁରର ଅଜୟ କୁମାର ବେହେରା(୫୨) ଓ ସୁକୁରା ବିନ୍ଧାଣୀ(୪୦)। ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ନିଜ ଅଞ୍ଚଳରେ ପାଟ୍ରୋଲିଂ ଡ୍ୟୁଟି ସମ୍ପାଦନ କରୁଥିବା ବେଳେ ଦୁଇ ଅଭିଯୁକ୍ତ ଏକ ଟ୍ରାକ୍ଟର ସାହାଯ୍ୟରେ କୁଶଭଦ୍ରା ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ନେଇ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ଏହି ସୂଚନା ଆଧାରରେ ପାଟ୍ରୋଲିଂ ଟିମ ଭୁବନପୁର ଗ୍ରାମ ରାସ୍ତାରେ ଅତର୍କିତ ଚଢଉ କରି ବେଆଇନ ବାଲି ଚାଲାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ହେପାଜତରୁ ଏକ ବାଲି ଭର୍ତ୍ତି ଟ୍ରାକ୍ଟର ଜବତ କରିଥିଲେ। ତଦନ୍ତ ସମୟରେ ଉଭୟ ଚାଲାଣ ହେଉଥିବା ବାଲି ସମ୍ପର୍କିତ କୌଣସି ବିଭାଗୀୟ ଅଧିକାରୀଙ୍କ ଅନୁମତି ପତ୍ର ଦେଖାଇପାରିନଥିବା ବେଳେ, ଦୀର୍ଘଦିନ ହେବ ଏହି ବ୍ୟବସାୟ ବେଆଇନ ଭାବେ କରି ଆସୁଥିବା କଥା ସ୍ୱୀକାର କରିଥିଲେ । ଅଭିଯୁକ୍ତ ଅଜୁ ଓରଫ ଅଜୟ କୁମାର ବେହେରାଙ୍କ ନାମରେ ପୂର୍ବରୁ ମଧ୍ୟ ବାଲିଅନ୍ତା ଥାନାରେ ୩ ଗୋଟି ବେଆଇନ ବାଲି ଚାଲାଣ ଜନିତ ମାମଲା ରହିଥିବା ବେଳେ ଅଭିଯୁକ୍ତ ଡ୍ରାଇଭର ସୁକୁରା ଓରଫ ସୁକୁରା ବିନ୍ଧାଣୀଙ୍କ ନାମରେ ମଧ୍ୟ ବାଲିଅନ୍ତା ଥାନାରେ ଏକ ବେଆଇନ ବାଲି ଚାଲାଣ ଜନିତ ମାମଲା ରହିଥିବା ଜଣାପଡିଛି।