ପାହାଳ ପୁଲିସକୁ ପୁଣି ବଡ ସଫଳତା

ନିଶା ମାଫିଆ ରମେଶ ଗିରଫ, ୧୨ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର୍ ଜବତ

ପାହାଳ ଥାନା ଅଧିକାରୀ ଅଶ୍ୱିନୀ ଜେନା …

ପାହାଳ ଥାନା ଅଧିକାରୀ ଅଶ୍ୱିନୀ ଜେନା ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ, ଗୋଟିଏ କାରରେ କିଛି ଗଞ୍ଜେଇ ଆସୁଛି। ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ଟିମ୍ କାରକୁ ଟାର୍ଗେଟ କରୁଥିଲେ। କାରଟି ବୌଦ୍ଧରୁ ଭୁବନେଶ୍ୱର ଦେଇ ବାଲେଶ୍ୱର ଯିବାକୁ ଯୋଜନା କରୁଥିଲା। ୧୬ ନମ୍ବର ଜାତୀୟ ରାଜପଥରେ ଥାନା ଅଧିକାରୀ ଶ୍ରୀ ଜେନାଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ପାହା ଜଗନ୍ନାଥ ମନ୍ଦିର ନିକଟରେ କାବୁ କରି ନେଇଥିଲେ। ଗାଡିକୁ ଚେକିଂ କରିବା ବେଳେ କାର ଭିତରେ ୯ ପ୍ୟାକେଟ ଗଞ୍ଜେଇ ରହିଥିଲା।

ଯାହାର ଓଜନ ୨ କ୍ୱିଣ୍ଟାଲ ୫୨ କେଜି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ପରେ ପୁଲିସ ଗଞ୍ଜେଇ ମାଫିଆକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲାର ଗୁଟୁପାଲ୍ଲୀର ରମେଶ ମେହେର(୨୫)। ଟାଟା ୱିଙ୍ଗର କାରକୁ ମଧ୍ୟ ପୁଲିସ ଜବତ କରିଛି । ଗିରଫ ରମେଶର ଆଉ କିଏ କିଏ ସହଯୋଗୀ ଅଛନ୍ତି କି ନାହିଁ ତାର ଖୋଳତାଡ କରୁଛି ପାହାଳ ଥାନା ପୁଲିସ। ଗାଡିର ମାଲିକ ନିଜେ ରମେଶ ହୋଇଥିବାରୁ ସେ ସେହି ଗାଡିକୁ ଚଲାଉଥିଲେ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହୋଇଯିବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯିବା ସହ ଗାଡିକୁ ପୁଲିସ ଜବତ କରିଛି। ଏନେଇ ଜୋନ୍ -୪ ଏସିପି କହିଛନ୍ତି ଯେ, ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ ମିଳିବ। ନିଶା ମାଫିଆକୁ କିଭଳି ଅଧିକରୁ ଅଧିକ ସଜ୍ଜା ମିଳିବ ସେ ନେଇ ଆମେ ଚାର୍ଜସିଟ କୋର୍ଟରେ ପ୍ରଡ୍ୟୁସ କରିବୁ । ସପ୍ତାହେ ତଳେ ୨୦ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପାହାଳ ପୁଲିସ ଅଭିଯୁକ୍ତ ସାଙ୍ଗକୁ ଗିରଫ କରି ବଡ ସଫଳତା ପାଇଥିବାବେଳେ ପୁଣି ଏତେ ପରିମାଣର ଗଞ୍ଜେଇ ଜବତ ଘଟଣା ପୁଲିସ ପାହାଳ ପୁଲିସର ମନୋବଳକୁ ସୁଦୃଢ଼ କରିଛି ।