ମହିଳାଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ମହିଳାଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ଘଟଣାରେ ଜଟଣୀ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଟଣୀ ଥାନା ନିକଟସ୍ଥ ଚିନ୍ତାମଣୀନଗରର ପ୍ରତାପ କୁମାର ବେହେରା(୩୩)। ତାଙ୍କୁ ରବିବାର ଦିନ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗକାରିଣୀ ଶ୍ରୀମତୀ ପ୍ରିୟଙ୍କା ବେହେରା (୨୯ବର୍ଷ)ଙ୍କ ଦ୍ୱାରା ଦାଖଲ କରାଯାଇଥିବା ଲିଖିତ ରିପୋର୍ଟ ଆଧାରରେ ଜଟଣୀ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ୧୭ ତାରିଖ ଦିନ ୧୦ଟା ସମୟରେ ଅଭିଯୋଗକାରିଣୀ ଚିନ୍ତାମଣି ନଗର (ନାଲିମଠ) ସ୍ଥିତ ତାଙ୍କ ଘରର କୋଠରୀରେ ଶୋଇଥିବା ବେଳେ ପାରିବାରିକ ବିବାଦକୁ କେନ୍ଦ୍ର କରି ତାଙ୍କ ଭାଇ ତଥା ଅଭିଯୁକ୍ତ ପ୍ରତାପ ଓ ପ୍ରଭାତ ଜୋରଜବରଦସ୍ତ ଭାବରେ କୋଠରୀରେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ । ଏହାକୁ ଦେଖି ଅଭିଯୋଗକାରିଣୀଙ୍କ ବାପା ଓ ଜେଜେମା ହସ୍ତକ୍ଷେପ କରି ବିରୋଧ କରିବାରୁ ଅଭିଯୁକ୍ତ ମାନେ ଲାଠି ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିଥିଲେ ।

ଫଳସ୍ୱରୂପ ତାଙ୍କ ବାପାଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଗୋଡରେ ଆଘାତ ଲାଗିଥିଲା ଏବଂ ତାଙ୍କ ଜେଜେମାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା। ଅଭିଯୁକ୍ତ ମାନେ ଅଭିଯୋଗକାରିଣୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ବେକକୁ ଚାପି ଦେଇଥିଲେ ଏବଂ ତାଙ୍କ ହାତକୁ ମଧ୍ୟ ଆକ୍ରମଣ କରିଥିଲେ। ଏହା ସହିତ ଘଟଣା ସମୟରେ ଅଭିଯୁକ୍ତ ମାନେ ଅଭିଯୋଗକାରିଣୀଙ୍କ ବାପାଙ୍କ ବେକକୁ ଚାପି ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ପଡେ଼ଶୀ ମାନଙ୍କ ହସ୍ତକ୍ଷେପରେ ଅଭିଯୁକ୍ତମାନେ ଅଭିଯୋଗକାରିଣୀ ଓ ତାଙ୍କ ପରିବାରକୁ ଭୟଙ୍କର ପରିଣାମ ଦେବାକୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଆହତ ମାନଙ୍କୁ ପ୍ରଥମେ ଜଟଣୀ ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଯୋଗକାରିଣୀଙ୍କ ପିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ସମ୍‍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୋଗକାରିଣୀଙ୍କ ପିତାଙ୍କ ଅବସରକାଳୀନ ଭତ୍ତା ବଣ୍ଟନକୁ କେନ୍ଦ୍ରକରି ପାରିବାରିକ ବିବାଦ ହେତୁ ଏହି ଘଟଣା ଘଟିଥିଲା। ଅଭିଯୋଗକାରିଣୀଙ୍କ ବାପା ତାଙ୍କ ଅବସରକାଳୀନ ସମସ୍ତ ଟଙ୍କା ଅଭିଯୋଗକାରିଣୀଙ୍କ ନାମରେ କରିଥିବା ଓ ତାଙ୍କ ଦୁଇପୁଅଙ୍କୁ ଏହାରୁ ବାଦଦେଇ ଥିବାରୁ ଏହି ବିବାଦ ଉପୁଜିଥିଲା। ୨୦ ତାରିଖ ସକାଳ ପ୍ରାୟ ୭ ଘଟିକା ସମୟରେ ନିର୍ଭର ଯୋଗ୍ୟ ସୂଚନା ପାଇ ଚିନ୍ତାମଣିନଗର ଅଞ୍ଚଳରେ ଏକ ଚଢ଼ଉ କରାଯାଇ ଅଭିଯୁକ୍ତ ପ୍ରତାପ କୁମାର ବେହେରା ଓରଫ ପପିକୁ ଗିରଫ କରାଯାଇଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ଅପରାଧରେ ନିଜ ସମ୍ପୃକ୍ତି ସ୍ୱୀକାର କରିଥିଲା। ପ୍ରାଥମିକ ପ୍ରମାଣ ସୁଦୃଢ଼ ଭାବରେ ପ୍ରତିଷ୍ଠତ ହୋଇଥିବାରୁ ସମସ୍ତ ଆଇନଗତ ଔପଚାରିକତା ପୂରଣ କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।