ଦୋକାନ ଭିତରୁ ସ୍ତ୍ରୀ ଙ୍କ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣି ଲେ ପରିବାର ଲୋକେ
କେନ୍ଦୁଝର ରେ ଦୋକାନ ଭିତରୁ ମାଲିକାଣୀଙ୍କ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଘୁଟୁରୁରେ ଚାଞ୍ଚଲ୍ୟ …
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ଟାଉନ୍ ଥାନା ଅନ୍ତର୍ଗତ ଘୁଟୁରୁରେ ଚାଞ୍ଚଲ୍ୟ । ଅର୍ଚ୍ଚନା ଟ୍ରେଡର୍ସ ଶୋରୁମ୍ ଭିତରୁ ମାଲିକାଣୀ ଅର୍ଚ୍ଚନା ପରିଡ଼ାଙ୍କ ମୃତଦେହ ଉଦ୍ଧାର । ଆଜି ସକାଳେ ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ା ଥାନାରେ ଖବର ଦେଇଥିଲେ ଯେ, ଦୋକାନ ଭିତରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।୨୦୧୪ ମସିହାରେ ହାଣ୍ଡିଭଙ୍ଗା ଅଞ୍ଚଳର ଅଭିମନ୍ୟୁ ପରିଡ଼ାଙ୍କୁ ବିବାହ କରିଥିଲେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଅର୍ଚ୍ଚନା ବାରିକ ଙ୍କୁ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି । ଘୁଟୁରୁରେ ଅର୍ଚ୍ଚନା ଟ୍ରେଡର୍ସ ଓ ଶୁଭ ମଟର୍ସ ନାମରେ ସେମାନଙ୍କର ବ୍ୟବସାୟ ରହିଛି ।
ତେବେ ଅର୍ଚ୍ଚନାଙ୍କ ପରିବାର ପକ୍ଷରୁ ଆସିଛି ଗୁରୁତର ଅଭିଯୋଗ । ପରିବାରଲୋକଙ୍କ କହିବା ଅନୁସାରେ, ଅଭିମନ୍ୟୁ ନିୟମିତ ମଦ୍ୟପାନ କରି ଅର୍ଚ୍ଚନାଙ୍କୁ ମାରପିଟ କରୁଥିଲେ । ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି । ଅର୍ଚ୍ଚନା ଓ ଅଭିମନ୍ୟୁ ବଣିଆପାଟ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ପରିବାର ପକ୍ଷରୁ କୁହାଯାଇଛି । ତେବେ ଅର୍ଚ୍ଚନାଙ୍କୁ ସେଠାରେ ହତ୍ୟା କରି ତାଙ୍କ ମୃତଦେହ ଅର୍ଚ୍ଚନା ଟ୍ରେଡର୍ସ ଭିତରେ ଆଣି ରଖାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି ।ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ନେଇ ମଧ୍ୟ ସୂଚନା ରହିଛି । ତେବେ ଏହି ନୋଟ୍ରେ ସ୍ୱାମୀଙ୍କୁ ଦାୟୀ ନ କରିବାକୁ ଲେଖାଯାଇଥିବା ନେଇ ପରିବାର ପକ୍ଷରୁ ଆପତ୍ତି ଉଠାଯାଇଛି । ନୋଟ୍ଟି ଅର୍ଚ୍ଚନା ନିଜେ ଲେଖିନାହାନ୍ତି, ବରଂ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ଏହା ଲେଖିଥିବା ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି ।
ଅର୍ଚ୍ଚନାଙ୍କ ମୁଣ୍ଡରେ ଆଘାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ନେଇ ମଧ୍ୟ ପରିବାର ପକ୍ଷରୁ ଦାବି କରାଯାଇଛି । ଏହାକୁ ନେଇ ହତ୍ୟା ସନ୍ଦେହ ଆହୁରି ଘନୀଭୂତ ହୋଇଛି ଓ ହାତ୍ୟାକାରୀ ସ୍ୱାମୀ କୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ାଙ୍କୁ ପୋଲିସ ଘଟଣା ସ୍ଥଳରୁ ନେବା ସମୟରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା ଏପରିକି କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ, ପୋଲିସ୍ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି
ଏହା ହତ୍ୟା ନା ଆତ୍ମହତ୍ୟା? ମୃତ୍ୟୁ ପଛର ପ୍ରକୃତ କାରଣ କଣ? ସୁଇସାଇଡ୍ ନୋଟ୍ଟି ସତରେ ଅର୍ଚ୍ଚନାଙ୍କର ନା ଅନ୍ୟ କେହି ଲେଖିଛି? ଏସବୁର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । କେନ୍ଦୁଝର ରୁ ଅଞ୍ଜନ କୁମାର ରଣା ଙ୍କ ରିପୋର୍ଟ ।