ଓଡ଼ିଶାରୁ ବିକାଶର ଦୂରତା କେଇ ପାଦ!
୨୦୨୪ ସାଧାରଣ ନିର୍ବାଚନ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତର ପ୍ରଭାବ ରାଜ୍ୟ ବିଜେପି ମନରେ ଅସୁମାରି ଆଶା ଭରିଦେଇଛି । ରାଜ୍ୟ କ୍ୟାବିନେଟର ଏକାଧିକ ମନ୍ତ୍ରୀଙ୍କ ଭିଜନରେ ଓଡ଼ିଶା ଆଟ୍ ୨୦୩୬ ରେକର୍ଡ ବାଜୁଛି । ସତରେ କ’ଣ ଓଡ଼ିଶାକୁ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ଆସୁଛନ୍ତି?
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅସଲ ଉଦ୍ଦେଶ୍ୟ କ’ଣ? ପ୍ରକୃତରେ କ’ଣ ଓଡ଼ିଶାର ଜନଜାତି ପରିବାରଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନରେ ଏତେ ଦରଦ?
ବିଜେଡି ଶାସନର ଯୋଉ ଦୋଷଗୁଡ଼ିକ ବିଜେପି ଆଖିକୁ ଦିଶୁଥିଲା, ଏବେ ସେଇ ଦୋଷଗୁଡ଼ିକ ଉପରେ ପରଦା ପକାଇ ଚାଲିଛି ବିଜେପି ସରକାର । ସବୁଠି ଆତ୍ମରକ୍ଷାମୂଳକ କୌଶଳର ପ୍ରୟୋଗ ଜାରି ରହିଛି । ‘ତୁ ମୁତୁରିକୁ ମୁଁ ମୁତୁରି’ । ଏଇ ମନ୍ତ୍ରଟି ଆଜିର ଗଣତନ୍ତ୍ରକୁ ବେଶ ମାନୁଛି ।
ଦେଶର ପିଲାମାନେ ଅଧିକ ଶିକ୍ଷିତ ହୋଇଗଲେ, ଦଳର ପତାକା ଧରି ନେତାଙ୍କ ଆଗରେ କିଏ ବାଇକ ଚଳାଇବ? ଆଗାମୀ ଦିନରେ ୧ କୋଟି ଯୁବକ ଯୁବତୀଙ୍କୁ ଦଳରେ ସାମିଲ କରାଯିବାର ଯୋଜନା ରହିଛି ।
କଂଗ୍ରେସ ଦେଶକୁ ୫୦ ବର୍ଷ ଧରି ଶାସନ କଲା । ବିଜେପି ଦେଶକୁ କିଭଳି ୫୦ ବର୍ଷ ଧରି ଶାସନ କରିବ, ତା’ ପାଇଁ ରୋଡ୍ ମ୍ୟାପ୍ ତିଆରି କରୁଛି ବିଜେପି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଦୃଢ଼ ଆଶା ପୋଷଣ କରିଛି । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆସନରେ କେତେଦିନ ରହିବେ, ତା’ର ଜବାବ ଖୋଦ ବିଜେପି ପାଖରେ ନାହିଁ ।
ଆଇନମନ୍ତ୍ରୀ ହରିଚନ୍ଦନ ଦୃଢ଼ ପ୍ରତିଶ୍ରୁତି ଦେଲେ ଯେ ୨୦୩୬ ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଏତେ ଉଚ୍ଚକୋଟିର ହୋଇ ଯାଇଥିବ ଯେ ଜଣେ ବି ମହିଳା ନାବାଳିକା ଅବା ଯୁବତୀ ଅସଦାଚରଣର ଶିକାର ହେବେନାହିଁ ।
ମନ୍ତ୍ରୀ ହରିଚନ୍ଦନ ଆଉ ବାସ୍ତବ ଦୁନିଆରେ ରହୁନାହାନ୍ତି । ତାଙ୍କ ଆଖିଟା ଏବେ ୨୦୩୬ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଯାଇଛି ।
ଜୁନିୟର ହରିଚନ୍ଦନ ୨୦୩୬ ଭିଜନକୁ ଦୃଷ୍ଟିରେ ରଖି ଆଜିଠାରୁ ଖିଆପିଆ ବୁଲାଚଲା ପୋଷାକ ପରିଚ୍ଛଦ କଥାବାର୍ତା ସବୁ କିଛି ବଦଳାଇ ପାରନ୍ତି । ମାତ୍ର ତେଲଲୁଣ ସଂସାରରେ ଘାଂଟି ହେଉଥିବା ସାଧାରଣ ଲୋକଟିଏ ବର୍ତମାନକୁ ଦୃଷ୍ଟିରେ ରଖି ମୁଣ୍ଡଝାଳ ତୁଣ୍ଡରେ ମାରୁଛି ।
ଦିନକୁ ଯେତିକି ରୋଜଗାର କରୁଛି । ସେତିକି ଭିତରେ ଗଣ୍ଡେ ଖାଇ ଢେ଼ାକେ ପିଇ ଦଣ୍ଡେ ବଂଚିବାକୁ ସଂଘର୍ଷ କରୁଛି । ୨୦୩୬ ଅମଳର ସାମାଜିକ ସୁରକ୍ଷାର କାଳ୍ପନିକ ଚିତ୍ର କେବଳ ରାଜନେତାମାନେ ଦେଖିପାରନ୍ତି । ସାଧାରଣ ଲୋକଙ୍କ ପାଖରେ ସେଭଳି ଦିବ୍ୟଦୃଷ୍ଟି ନାହିଁ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୦୫୦ ଓଡ଼ିଶା ଭିଜନ ବଖାଣିଛନ୍ତି । ମହିଳା ସଶକ୍ତକରଣ ଦ୍ୱାହି ଦେଇ ବିଜେପି ସରକାର ସୁଭଦ୍ରା ଯୋଜନାକୁ ପ୍ରାଥମିକତା ଦେଉଛନ୍ତି ।
ସୁଭଦ୍ରା ଯୋଜନାର ଅସଲ ଚାଲ ରାଜ୍ୟର ପ୍ରତ୍ୟେକ ବୁଦ୍ଧିଜୀବୀ ଜାଣନ୍ତି, କିନ୍ତୁ ସେମାନଙ୍କ ଭିତରୁ କେହି ସୁଭଦ୍ରା ପେଡ଼ିର ଗୁମର ଖୋଲିବାକୁ ସାହସ କରି ପାରୁନାହାନ୍ତି ।
ସମସ୍ତେ ବିଜେପିର ଶାସନ ପ୍ରଣାଳୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଠିକ୍ ଯେମିତି ସାମୁଦ୍ରିକ ଝଡ଼ ପୂର୍ବରୁ ସବୁକିଛି ଶାନ୍ତ, ନିରବ ।
୨୪ ବର୍ଷର ଶାସନ ମାଟିରେ ମିଶିଯାଇଛି । କ୍ଷମତାରେ ଥିଲା ବେଳେ ବିଜେଡି ଯୋଉ ଭୁଲଗୁଡ଼ିକ କରିଛି, ଏବେ ସେଇଆକୁ ଅସ୍ତ୍ର କରି ବିଜେପି ସରକାରକୁ ଅପଦସ୍ତ କରିବା ପାଇଁ ବୃଥା ଉଦ୍ୟମ କରୁଛି ।
ସମୟ ସୁଅରେ ବିଜେପିର ଅହଂକାର ଭାଙ୍ଗିଯିବ, ବିଜେପି ପରେ ଆଉ କେହି କ୍ଷମତାକୁ ଯିବେ । କହିବାର କଥା ହେଉଛି, କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ ।