ବାବ୍ରି ମସଜିଦ୍‌ ଭଙ୍ଗା ଦିବସ

୧୯୯୨ ଡିସେମ୍ବର ୬ ତାରିଖ ଦିନ ଅଯୋଧ୍ୟାର …

୧୯୯୨ ଡିସେମ୍ବର ୬ ତାରିଖ ଦିନ ଅଯୋଧ୍ୟାର ବିବାଦୀୟ ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା। ଷୋଡ଼ଶ ଶତାବ୍ଦୀର ମସଜିଦ ଭାବେ ଅଯୋଧ୍ୟାରେ ଠିଆ ହୋଇଥିବା ବାବ୍ରି ମସଜିଦ୍‌କୁ ଭାଙ୍ଗିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମେତ ବହୁ ହିନ୍ଦୁ ସଂଗଠନ ଏକଜୁଟ୍‌ ହୋଇଥିଲେ। ଅଯୋଧ୍ୟା ହେଉଛି ହିନ୍ଦୁ ଧର୍ମଗ୍ରନ୍ଥ ‘ରାମାୟଣ’ରେ ବର୍ଣ୍ଣିତ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ। ମୋଗଲ କମାଣ୍ଡର ମୀର ବାକିଙ୍କ ନିର୍ଦ୍ଦେଶରେ ନିର୍ମିତ ମସଜିଦ କ୍ରମେ ବାବ୍ରି ମସଜିଦ ଭାବେ ପରିଚୟ ସୃଷ୍ଟି କରିଥିଲା।

ଯେଉଁ ସ୍ଥାନରେ ବାବ୍ରି ମସଜିଦ ନିର୍ମାଣ କରାଯାଇଥିଲା, ତାହା ଏକଦା ରାମଙ୍କ ଜନ୍ମପୀଠ ଥିଲା ବୋଲି ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ସ୍ପଷ୍ଟ କରିଥିଲା।
୧୯୮୦ ମସିହାରେ ବିଶ୍ୱ ହିନ୍ଦୁ ପରିଷଦ ଓ ଭାରତୀୟ ଜନତା ପାର୍ଟି ମିଳିତ ଭାବେ ଶ୍ରୀରାମଙ୍କ ଜନ୍ମପୀଠରେ ଭଗବାନ ରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ଠିଆ କରିବେ ଘୋଷଣା କଲେ। ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତୀୟ ଏକାଧିକ ସଭା ଓ ଶୋଭାଯାତ୍ରା ଭାରତର ରାଜନୀତିକୁ ପ୍ରଭାବିତ କରିଥିଲା। ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ୍‌ଭାନୀଙ୍କ ନେତୃତ୍ୱରେ ଆରମ୍ଭ ରାମ ରଥଯାତ୍ରା ସାରାଦେଶକୁ ଅଯୋଧ୍ୟା ପ୍ରତି ଆକର୍ଷିତ କଲା। ସମସ୍ତଙ୍କ ମନରେ ଗୋଟିଏ ଜାଗରଣ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବ।
୧୯୯୨ ଡିସେମ୍ବର ୬ ତାରିଖ ଦିନ ବିଶ୍ୱ ହିନ୍ଦୁ ପରିଷଦ ଓ ବିଜେପି ପକ୍ଷରୁ ବାବ୍ରି ମସଜିଦ ନିକଟରେ ଏକ ଜନସମାବେଶ ଆୟୋଜନ କରିଥିଲେ। ସେହି ସଭାରେ ପ୍ରାୟ ଦେଢ଼ଲକ୍ଷ ଲୋକ ଠୁଳ ହୋଇଥିଲେ। ଜନସମାବେଶ କ୍ରମେ ଜନ ଆନ୍ଦୋଳନରେ ପରିଣତ ହୋଇଗଲା। ଜନସମାବେଶ ନିକଟରେ ମୁତୟନ ସୁରକ୍ଷାକର୍ମୀଙ୍କ ତାଗିଦକୁ ଭ୍ରୁକ୍ଷେପ ନକରି କର୍ମୀମାନେ ବାବ୍ରି ମସଜିଦ ଆଡକୁ ଆଗେଇଲେ।

କର୍ମୀମାନଙ୍କୁ ଅଟକାଇବାକୁ ଯାଇ ସୁରକ୍ଷାକର୍ମୀ ନାନା ଫନ୍ଦିଫିକର କଲେ, କର୍ମୀମାନେ ନ ଛୋଡ଼ବନ୍ଧା। ଯେକୌଣସି ଉପାୟରେ ବାବ୍ରି ମସଜିଦ ଭାଙ୍ଗିବୁ। ସେୟା ହେଲା, ବାବ୍ରି ମସଜିଦ ମାଟିରେ ମିଶିଲା। ବାବ୍ରି ମସଜିଦ ଭଙ୍ଗା ଘଟଣାରେ ବିଜେପି ଓ ଭିଏଚ୍‌ପିର ୬୮ ଜଣ ରାଜନେତା ଓ ଧାର୍ମିକ ନେତାଙ୍କୁ ଅଭିଯୁକ୍ତ କରାଗଲା।
ବାବ୍ରି ମସଜିଦ ଭଙ୍ଗା ଘଟଣାକୁ କେନ୍ଦ୍ର କରି ଦେଶରେ ଏକାଧିକ ହିନ୍ଦୁ-ମୁସଲିମ ଦଙ୍ଗା ଚାଲିଲା। ଉକ୍ତ ଦଙ୍ଗାରେ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଲେ। ହିନ୍ଦୁ-ମୁସଲିମ ଦଙ୍ଗା କ୍ରମେ ଭାରତରୁ ପଡେ଼ାଶୀ ପାକିସ୍ତାନ ଓ ବାଂଲାଦେଶକୁ ବ୍ୟାପିଥିଲା।