ବିଜୟଙ୍କ ମୁଣ୍ଡରେ ଚାଳ

ସତ୍ୟପାଠରେ ୧୦୦ କୋଟିର ପାର୍ଥକ୍ୟ! ଇସି ଓ ଆୟକର ବିଭାଗକୁ ହାଇକୋର୍ଟ ନୋଟିସ ପଠାଇ ସତ୍ୟାସତ୍ୟ ଜାଣିବାକୁ ଚାହିଁଛନ୍ତି।
ଅଭିନେତାରୁ ନେତା ବନିଥିବା ବିଜୟଙ୍କ ଅଡୁଆ ବଢ଼ିଛି। ମାଡ୍ରାସ ହାଇକୋର୍ଟ ବିଜୟଙ୍କ ସତ୍ୟପାଠରେ ୧୦୦ କୋଟିର ପାର୍ଥକ୍ୟ ଥିବା ଆବେଦନର ଶୁଣାଣି କରିଛନ୍ତି। ଏହାର ଶୁଣାଣି କରି କୋର୍ଟ ବିଜୟ, ଭାରତୀୟ ନିର୍ବାଚନ କମିଶନ ଓ ଆୟକର ବିଭାଗକୁ ନୋଟିସ କରିଛନ୍ତି।

ବିଜୟ ତାମିଲନାଡୁ ବିଧାନସଭା ନିର୍ବାଚନରେ ନୂଆ କରି ଉଭା ହୋଇଛନ୍ତି। ସେ ଏକାବେଳକେ ତ୍ରିଚୀ ଓ ପେରାମ୍ବୁରରୁ ଲଢ଼ୁଛନ୍ତି। ଏହି ଦୁଇଟି ଆସନ ପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆସନ୍ତା ୨୩ରେ ମତଦାନ କରାଯିବ।
କଥା କ’ଣ କି? ପେରାମ୍ବୁରର ଜଣେ ଭୋଟର ଭି ବିଗ୍‌ନେଶ ବିଜୟଙ୍କ ସତ୍ୟପାଠକୁ ଅସତ୍ୟପାଠ ଦର୍ଶାଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜୟଙ୍କ ତ୍ରିଚି ଓ ପେରାମ୍ବୁର ସତ୍ୟପାଠ ଦୁଇଟିରେ ଆୟ ମାମଲାରେ ଭିନ୍ନତା ରହିଛି।
ଆବେଦନକାରୀଙ୍କ ଯୁକ୍ତି ହେଲା ଯେ ତ୍ରିଚୀ ସତ୍ୟପାଠରେ ବିଜୟ ନିଜର ଆୟ ୨୨୦ କୋଟି ଟଙ୍କା ଦର୍ଶାଇଛନ୍ତି। କିନ୍ତୁ ପେରାମ୍ବୁରରେ ସେ ୧୧୫ କୋଟି ଟଙ୍କା ଆୟ କରୁଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଅର୍ଥାତ ଦୁଇଟି ଯାକ ଆସନରେ ସେ ଦାଖଲ କରିଥିବା ଆୟ ସଂକ୍ରାନ୍ତ ତଥ୍ୟରେ ୧୦୫ କୋଟିର ପାର୍ଥକ୍ୟ ରହିଛି।

ଏହି ଆବେଦନର ଶୁଣାଣି ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ଧର୍ମମାଦିକାରୀ ଓ ଜଷ୍ଟିସ ଅରୁଲ ମୁରୁଗାନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ‘ଏହା ଗୋଟିଏ ଅନିୟମିତତା। ୧୦୦ କୋଟିରୁ ଅଧିକ ଟଙ୍କା ସମ୍ପର୍କରେ ଗୋଟିଏ ନିର୍ବାଚନ ନର୍ବାଚନ ମଣ୍ଡଳୀରେ ପାର୍ଥକ୍ୟ। ତା’ ପୁଣି ଗୋଟିଏ ସପ୍ତାହ ମଧ୍ୟରେ।’
କୋର୍ଟ ଏହାପରେ ବିଜୟ, ନିର୍ବାଚନ କମିଶନ ଓ ଆୟକର ବିଭାଗକୁ ବିସ୍ତୃତ ତଥ୍ୟ ମାଗିଛନ୍ତି। କୋର୍ଟ ଏହି ସମୟରେ ଚୂଡାନ୍ତ ନିଷ୍କର୍ସ ବାହାର କରିନାହାନ୍ତି। ସବୁ ପକ୍ଷକୁ ଶୁଣିବା ପରେ ହିଁ କୌଣସି ମତାମତ ଏହା ଉପରେ ଦିଆଯାଇପାରିବ ବୋଲି କହିଛନ୍ତି।
ରାଜ୍ୟ ପାଇଁ କେତେଗୁଡ଼ିଏ ସପନ ଦେଖି ବିଜୟ ରାଜନୀତିକୁ ଓହ୍ଲାଇଛନ୍ତି। ହେଲେ ୟେ ନିଅାଁଲଗା ଭୋଟରଟା ତାଙ୍କ ବାଟରେ କଂଟା ହୋଇ ଠିଆ ହୋଇଛନ୍ତି। ବିଧାନସଭାରେ ନ ପଶୁଣୁ ବିଜୟଙ୍କ ମୁଣ୍ଡରେ ଯୋଉ ଚାଳଟା ବାଜିଲା, ତା’ର ପରିଣାମ କ’ଣ ହେବ?