ଲୋଭନୀୟ ଗ୍ୟାରେଂଟି ମାୟାରେ ପଡ଼ନ୍ତୁନି

ରାଜନୈତିକ ଦଳଗୁଡ଼ିକ ଆୟକର ଛାଡ଼ ସୁବିଧା ପାଇବା ଉଚିତ କି? ଏ ପ୍ରଶ୍ନ ଏବେ ଅଧିକାଂଶ ଭୋଟରଙ୍କୁ ଆନ୍ଦୋଳିତ କରୁଛି । ନିର୍ବାଚନ କମିଶନ ଯୋଉ ଉଦ୍ଦେଶ୍ୟ ରଖି ରାଜନୈତିକ ଦଳଗୁଡ଼ିକୁ ଆୟକର ଛାଡ଼ ସୁବିଧା ପ୍ରଦାନ କରୁଥିଲେ । ସେହି ମହତ ଉଦ୍ଦେଶ୍ୟ ଏବେ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । ଦୁଇ ଜାତୀୟ ଦଳ ସମେତ ବହୁ ଆଂଚଳିକ ଦଳଗୁଡ଼ିକର ପାଣ୍ଠି ଦିନକୁ ଦିନ ମୋଟା ହେଉଛି । ମୁମ୍ବାଇର ଜଣେ ସିଙ୍ଗଡ଼ା ବ୍ୟବସାୟୀ ୫୦୦ କୋଟି ଟଙ୍କାର ମାଲିକ ହେବା ବିଷୟଟାକୁ ଆୟକର ବିଭାଗ ସହି ପାରିଲାନି । ମାତ୍ର ଗୋଟିଏ ରାଜନୈତିକ ଦଳ ପାଣ୍ଠିର ଓଜନ ୧୧ ହଜାର କୋଟି ଟଙ୍କାକୁ ଟପିଲାଣି । ସେ ବିଷୟଟାକୁ ଆୟକର ବିଭାଗ ପଛକୁ ପକାଇ ଦେଉଛି । ଏପରି କାହିଁକି?

ବାବୁ ରାମଦେବଙ୍କ ପୌରୋହିତ୍ୟରେ ପତଞ୍ଜଳି କମ୍ପାନୀ ତା’ର ବ୍ୟବସାୟ ଜାରି ରଖିଛି । ଏଲୋପାଥିକ କମ୍ପାନୀରୁ ପ୍ରସ୍ତୁତ ବଟିକା ଓ ଔଷଧ ବିରୋଧରେ ବିଷୋଦଗାର କରିବା ସହିତ ପତଞ୍ଜଳି କମ୍ପାନୀ ପ୍ରସ୍ତୁତ ଔଷଧିୟ ସାମଗ୍ରୀଗୁଡ଼ିକ ଭାରତର ଚିକିତ୍ସା କ୍ଷେତ୍ର ପାଇଁ ଦମ୍‌ଦାର ସାବ୍ୟସ୍ତ ହୋଇଛି କହି ବାବୁ ରାମଦେବ ନିକଟରେ ସୁପ୍ରିମକୋର୍ଟଙ୍କ ଛାଟ ଖାଇଛନ୍ତି ।

ବାବୁ ରାମଦେବଙ୍କ ମୁହଁ ଫୁଟାଣି ସୁପ୍ରିମକୋର୍ଟଙ୍କ ଆଖିକୁ ଭଲ ଦେଖାଗଲାନି । ମାତ୍ର ବାବୁ ରାମଦେବଙ୍କ ଯାବତୀୟ ଅପପ୍ରଚାରକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବାଦ କରିନାହାନ୍ତି । ତା’ ମାନେ କ’ଣ ବାବୁ ରାମଦେବ ଓ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ଭାଡ଼ିର ପାରା । ଦୁହେଁ ଜନତାଙ୍କୁ ଧୋକା ଦେବାକୁ ଡାହା ମିଛ କହୁଛନ୍ତି ।

ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରକାଶିତ ଲୋଭନୀୟ ବିଜ୍ଞାପନକୁ ଆଖିବୁଜି ବିଶ୍ୱାସ କରି ଠକାମିର ଶିକାର ହେଉଛନ୍ତି ପ୍ରାୟ ୮୦ ଭାଗ ଜନତା । ଅଧିକ ଭୋଟ ଆଶାରେ ବହୁ ରାଜନୈତିକ ଦଳ ବେଶ କିଛିଦିନ ଧରି ଲୋଭନୀୟ ବିଜ୍ଞାପନ ପ୍ରସାରଣ ଓ ପ୍ରକାଶନ ଆରମ୍ଭ କରିଛନ୍ତି ।   କିଛି ଜାତୀୟ ଓ ଆଂଚଳିକ ଦଳ ପ୍ରତିଶ୍ରୁତିର ଗ୍ୟାରେଂଟି ଦେଉଛନ୍ତି । ଆମେ କେବଳ ଏତିକି ଚାହୁଁଛୁ, କାହାର ଲୋଭନୀୟ ଗ୍ୟାରେଂଟିକୁ ବିଶ୍ୱାସ କରି ଭୋଟରମାନେ ଯେପରି ପ୍ରତାରଣାର ଶିକାର ନ ହୁଅନ୍ତୁ କାରଣ କମ୍ପାନୀର ମିଛ ପ୍ରତିଶ୍ରୁତିକୁ ଅଦାଲତରେ ଚାଲେଂଜ କରା ଯାଇପାରିବ; କିନ୍ତୁ ରାଜନୈତିକ ଦଳଗୁଡ଼ିକର ଲୋଭନୀୟ ଗ୍ୟାରେଂଟିକୁ କୌଣସି ପରିସ୍ଥିତିରେ ଅଦାଲତରେ ଚାଲେଂଜ କରା ଯାଇପାରିବନି ।