ନାଗରିକମାନଙ୍କୁ ଚିନ୍ତିତ କରୁଛି– ଏମିତି କ’ଣ ଘଟିଲା ଯେ କେବଳ ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ୱରର ବାୟୁ ଗୁଣମାନ ଏତେ ଭୟାବହ ଭାବେ ଅବନତ ହୋଇଗଲା? ଏକ୍ୟୁଆଇ ହଠାତ୍ ଜଣେଇ ଦେଲା ଯେ, ସହର “ସୁରକ୍ଷିତ’ ଅବସ୍ଥାରୁ “ଅସ୍ୱାସ୍ଥ୍ୟକର’ ଶ୍ରେଣୀକୁ ଖସିପଡିଛି। ଏହା ନାଗରିକମାନଙ୍କୁ ଆଶ୍ଚର୍ଯ୍ୟ ଓ ଦ୍ୱିଧାରେ ପକାଇ ଦେଇଛି।
ଭୁବନେଶ୍ୱର ଦୀର୍ଘ ସମୟ ଧରି ଏକ ଆଧୁନିକ, ସୁଯୋଜିତ ଏବଂ ପ୍ରଦୂଷଣମୁକ୍ତ ସହର ଭାବେ ନିଜ ପରିଚୟ ଗଢ଼ିଥିଲା। ପ୍ରାୟ ଚାରି-ପାଂଚବର୍ଷ ପୂର୍ବ ପର୍ଯ୍ୟନ୍ତ ଏଠାର ବାୟୁ ଗୁଣମାନ ସ୍ୱାସ୍ଥ୍ୟକର ଥିଲା, ଯାହା ଦେଶର ଅନେକ ବଡ ସହର ତୁଳନାରେ ଏହାକୁ ବସବାସ ପାଇଁ ଅଧିକ ଆକର୍ଷଣୀୟ କରିଥିଲା, ଯାହାର ପ୍ରତିଫଳ ଆଜି ସହରରେ ଦ୍ରୁତ ହାରରେ ଉଠୁଥିବା ଅପାର୍ଟମେଂଟ୍ ଓ ଅପେକ୍ଷାତୀତ ଉଚ୍ଚଜମି-ଘର ମୂଲ୍ୟରେ ସ୍ପଷ୍ଟ ଦେଖାଯାଉଛି।
ଏହି ପରିସ୍ଥିତିରେ ପ୍ରଶାସନ ହଠାତ୍ ଜାଗ୍ରତ ହୋଇ ଯାନବାହନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସି) ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି, ଯାହାର ପରିଣାମ ହେଲା ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ସାମ୍ନାରେ ଲମ୍ବା ଯାନ ଲାଇନ୍ । ଏହି ଭିଡ ନିଜେ ଏହାର ସୂଚନା ଦେଉଛି ଯେ, ପୂର୍ବରୁ ଏହି ନିୟମର ପାଳନ କେତେ ଦୁର୍ବଳ ଥିଲା । ଆଜି ମଧ୍ୟ ଏହି ପ୍ରଶ୍ନ ରହିଯାଉଛି ପିୟୁସି ସାର୍ଟିଫିକେଟଗୁଡିକ ସତ୍ୟ, ପ୍ରଦୂଷଣ ନିୟନ୍ତ୍ରଣର ମାପକ କି, ନା କେବଳ ଔପଚାରିକ।
ବୈଧ ପିୟୁସି ସାର୍ଟିଫିକେଟ୍ ନଥିବା ଯାନକୁ ଜରିମାନା ଏବଂ ଇନ୍ଧନ ନାମଞ୍ଜୁରୀ ଲାଗୁ କରାଯାଇଛି। ଫଳରେ, ଯାନ ମାଲିକମାନେ ଟ୍ରାଫିକ୍ ଚାଲାଣ ଜରିମାନା ଜମା କରିବା ଏବଂ ଅନଲାଇନ୍ ବ୍ୟବସ୍ଥାର ପ୍ରାଯୁକ୍ତିକ ସମସ୍ୟା ସମାଧାନ କରିବା ମଧ୍ୟରେ ଧାୌଁଡ କରୁଛନ୍ତି । “ପିୟୁସି ନାହିଁ, ଇନ୍ଧନ ନାହିଁ’ ନିୟମର ସମୟସୀମା ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବଢ଼ାଯାଇଥିଲେ ମଧ୍ୟ, ସନ୍ଦେଶ ସ୍ପଷ୍ଟ– ଯାନ ଉତ୍ସର୍ଜନ ଉପରେ କଠୋର ନିୟନ୍ତ୍ରଣ ଏବେ ରାଜଧାନୀର ଦ୍ରୁତ ଅବନତ ହେଉଥିବା ବାୟୁ ଗୁଣମାନ ରୋକିବାର ମୁଖ୍ୟ ଅସ୍ତ୍ର ହୋଇଯାଇଛି। ଗତ କିଛି ବର୍ଷ ଧରି ରାଜଧାନୀର ବାୟୁ ଗୁଣମାନ ମାତ୍ରାଧିକ ଭାବେ ଖରାପ ହୋଇଛି– ଯାହାର ପ୍ରମୁଖ କାରଣ ହେଲା ତ୍ୱରିତ ଯାନୀକରଣ, ନିର୍ମାଣ କାର୍ଯ୍ୟ, ଆଂଚଳିକ ଧୂଳି ଓ ଅନ୍ୟାନ୍ୟ ସ୍ଥାନୀୟ ଉତ୍ସ । ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଥିବା ସତ୍ୱେ ତଥ୍ୟ ଦର୍ଶାଉଛି ଯେ, କେବଳ ପିୟୁସି ପାଳନ ଦ୍ୱାରା ଦୀର୍ଘକାଳୀନ ସୁଧାର ଆସିବା କଠିନ, ଯଦି ଏହା ସହିତ ଗଭୀର ଓ ବ୍ୟାପକ ନୀତିଗତ ପଦକ୍ଷେପ ଯୋଗ ନହୁଏ।
ବାୟୁ ଗୁଣମାନ ସୂଚକାଙ୍କ (ଏକ୍ୟୁଆଇ) ହେଉଛି ଦେଶସ୍ତରରେ ଗ୍ରହଣୀୟ ଏକ ସଂଯୁକ୍ତ ମାପକ, ଯାହା ପିଏମ୍୨.୫, ପିଏମ୍୧୦ (ପାର୍ଟିକୁଲେଟ ମ୍ୟାଟର) ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଓଜୋନ୍ ଓ ଅନ୍ୟାନ୍ୟ ପ୍ରଦୂଷକ ଉପରେ ଆଧାରିତ। ୦–୫୦ ଏକ୍ୟୁଆଇକୁ ଭଲ, ୫୧–୧୦୦କୁ ମଧ୍ୟମ, ୧୦୧-୨୦୦କୁ ସମ୍ବେଦନଶୀଳ ଲୋକଙ୍କ ପାଇଁ ଅସ୍ୱାସ୍ଥ୍ୟକର ବୋଲି ମନାଯାଏ । ୩୦୧-୫୦୦ ମଧ୍ୟରେ ଏକ୍ୟୁଆଇ “ଅତ୍ୟନ୍ତ ଖରାପ, ଗୁରୁତର’ ଓ “ବିପଜ୍ଜନକ’ ଶ୍ରେଣୀରେ ପଡେ।
ଗତ ପନ୍ଦର ଦିନରେ ଭୁବନେଶ୍ୱରର ଏକ୍ୟୁଆଇ ୨୪୦- ୨୫୦ ମଧ୍ୟରେ ରହିଛି, ଯାହା “ଅସ୍ୱାସ୍ଥ୍ୟକର/ଗୁରୁତର’ ଶ୍ରେଣୀରେ ପଡେ। ପିଏମ୍୨.୫ ଓ ପିଏମ୍୧୦ ଜାତୀୟ ମାନକଠାରୁ ଅଧିକ ଥିବାରୁ ଅସ୍ଥମା, ଶ୍ୱାସକୋଷ ଓ ହୃଦ୍ରୋଗୀ, ଶିଶୁ ଓ ବୃଦ୍ଧମାନେ ଦୀର୍ଘସମୟ ବାହାରେ ଶାରୀରିକ କାର୍ଯ୍ୟକଳାପ କରିବାରୁ ବଂଚିତ ହେଉଛନ୍ତି । ଐତିହାସିକ ତଥ୍ୟ ଦେଖିଲେ ଭୁବନେଶ୍ୱରର ବାୟୁ ଗୁଣମାନ କ୍ରମେ ଖରାପ ହୋଇଆସୁଛି । ୨୦୨୦ରେ ଔସତ ଏକ୍ୟୁଆଇ ୯୫ ଥିଲା । ୨୦୨୧ରେ ସର୍ବୋତମ ୭୩ ରେକର୍ଡ ହୋଇଥିଲା । ପରେ ଏହା ୨୦୨୩ରେ ୮୯, ୨୦୨୪ରେ ୧୦୬ ଓ ୨୦୨୫ରେ ୧୨୧ ପହଂଚିଛି । କେତେକ ସମୟରେ ଏକ୍ୟୁଆଇ ୩୫୦ ଉପରକୁ (ଅତ୍ୟନ୍ତ ଖରାପ) ମଧ୍ୟ ଯାଇଛି । ଯାନବାହନ ଉତ୍ସର୍ଜନ ଏଥିରେ ଏକ ପ୍ରମୁଖ ଉତ୍ସ ଭାବେ ଚିହ୍ନିତ।
ତଥାପି, ଅନ୍ୟ ସହରମାନଙ୍କ ଅନୁଭବ ଦର୍ଶାଉଛି ଯେ, ପିୟୁସି ପାଳନ ଏକାକୀ ସ୍ଥାୟୀ ସମାଧାନ ନୁହେଁ ।
ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସମସ୍ୟାର ସମାଧାନ ହୋଇପାରିନାହିଁ । ଦିଲ୍ଲୀ ଏନସିଆର ପାଇଁ “ବାୟୁ ଗୁଣମାନ ପରିଚାଳନା ଆୟୋଗ’ (ସିଏକ୍ୟୁଏମ) ଗଠିତ ହୋଇଛି, ଯାହା ଯାନ, ଶିଳ୍ପ, ଫସଲ ଅବଶେଷ ଜଳାଣ, ନିର୍ମାଣ ଧୂଳି ପରି ବହୁ ଉତ୍ସକୁ ନେଇ ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟ କରେ । ଏକ୍ୟୁଆଇ ମାନ ଅନୁଯାୟୀ ସିଏକ୍ୟୁଏମ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (ଜିଆରଏପି) ଲାଗୁ କରେ– ଯାନ ଚଳାଚଳ, ନିର୍ମାଣ କାର୍ଯ୍ୟ ଓ ଭାରୀ ଶିଳ୍ପ ଉପରେ ନିୟନ୍ତ୍ରଣ ସହ ଏହି ସମନ୍ୱିତ ପଦକ୍ଷେପ ଫଳରେ ପଞ୍ଜାବ ଓ ହରିୟାଣାରେ ଖେତ ଜଳାଣ ଘଟଣା ୫୦% ରୁ ଅଧିକ କମିଛି । ଏହି ପ୍ରସଙ୍ଗରେ, ଭୁବନେଶ୍ୱର ଓ ଅନ୍ୟ ନଗରମାନଙ୍କ ପାଇଁ ନୀତି ହେବା ଦରକାର– ବ୍ୟାପକ, ତଥ୍ୟାଧାରିତ ଓ ସମନ୍ୱିତ।
ପ୍ରଥମେ, ବାୟୁ ନିରୀକ୍ଷଣ ଓ ରିପୋର୍ଟିଂକୁ ଶକ୍ତ କରିବା ଆବଶ୍ୟକ । ସମସ୍ତ ପ୍ରମୁଖ ସହରରେ ଏକ୍ୟୁଆଇ ମନିଟରିଂ ଷ୍ଟେସନ୍ ବ?ାଇବା ଏବଂ ମାସିକ ଋତୁକାଳୀନ ରିପୋର୍ଟ ପ୍ରକାଶ କରିବା ଦରକାର । ଦ୍ୱିତୀୟତଃ, ସମନ୍ୱିତ ପ୍ରଦୂଷଣ ପରିଚାଳନାର ଅର୍ଥ- ପିୟୁସି କାର୍ଯ୍ୟାନୁଷ୍ଠାନ ସହ ଯାନ ନବୀକରଣ ନୀତି (ଇଭି ପ୍ରୋତ୍ସାହନ, ପୁରୁଣା ଯାନ ଉପରେ ନିୟନ୍ତ୍ରଣ), ନକଲି ପିୟୁସି କେନ୍ଦ୍ର ଉପରେ କଠୋର ପଦକ୍ଷେପ ଜାରି ରଖିବା ଆବଶ୍ୟକ। ତୃତୀୟତଃ, ନିର୍ଦ୍ଦିଷ୍ଟ ଉତ୍ସ ନିୟନ୍ତ୍ରଣ ସବୁଠୁ ଜରୁରି। ୨୦୨୩ରେ ପ୍ରକାଶିତ ଏକ ଗବେଷଣା ଦର୍ଶାଉଛି ଯେ ପିଏମ୍୧୦ ଉତ୍ସର ୩୦% ରାସ୍ତା ଧୂଳି, ୨୭.୬% ଯାନ, ୨୩.୫% ଗୃହସ୍ଥ ଓ ୪.୭% ଶିଳ୍ପ ଠାରୁ ଆସୁଛି । ନାଇଟ୍ରୋଜେନ ଅକ୍ସାଇଡ ୮୧% ଯାନ ଉତ୍ସର୍ଜନ ଦ୍ୱାରା ହେଉଛି। ଏହା ସ୍ପଷ୍ଟ କରେ ଯେ, ଧୂଳି ନିୟନ୍ତ୍ରଣ ସଙ୍ଗେ ସଙ୍ଗେ ଯାନ ଉତ୍ସର୍ଜନ ନିୟନ୍ତ୍ରଣ ବାୟୁ ଗୁଣମାନ ସୂଚକାଙ୍କ (ଏକ୍ୟୁଆଇ)କୁ ଅନୁକୂଳ ରଖିବାକୁ ଦୁଇ ମୁଖ୍ୟ ଉପାୟ ଅଟେ।
ଚତୁର୍ଥତଃ, କଟକ-ଭୁବନେଶ୍ୱର ଦୀର୍ଘକାଳୀନ ଯୋଜନା (୨୦୧୧), କଟକ-ଭୁବନେଶ୍ୱର ସିଡିପି, ବିକଶିତ ଓଡିଶା ଭିଜନ୍ ୨୦୩୬ (ଏବଂ ୨୦୪୭)ରେ ପ୍ରଦୂଷଣ ଲାଗି ଲକ୍ଷ୍ୟ ରଖାଯାଇଛି। ଆଇଆଇଟି ଖଡଗପୁର ଦ୍ୱାରା ପ୍ରସ୍ତୁତ, ଭୁବନେଶ୍ୱର ପାଇଁ ବ୍ୟାପକ ବିକାଶ ଯାଜନା (ସିଡିପି) ୨୦୩୦ରେ ମଧ୍ୟ ଏଥିଲାଗି ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି- ଯଦିଓ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ଉପରେ ଅସମାନ ବ୍ୟବସ୍ଥା ରହିଛି । ଏସବୁରେ ପ୍ରଦୂଷଣ ନିୟନ୍ତ୍ରଣକୁ ମାପଯୋଗ୍ୟ ଲକ୍ଷ୍ୟ ସହ ସ୍ପଷ୍ଟ ଭାବେ ଯୋଡିବା ଦରକାର।
ପଂଚମତଃ, ଲୋକସଂପୃକ୍ତତା ଓ ବ୍ୟାବହାରିକ ପରିବର୍ତନ ଅତ୍ୟନ୍ତ ଆବଶ୍ୟକ। ସାର୍ବଜନୀନ ପରିବହନ, ସାଇକେଲର ଅଧିକ ଉପଯୋଗ, ଶିଳ୍ପାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନର କାର୍ଯ୍ୟ ସମୟ କ୍ରମାନୁସାରେ ନିର୍ଦ୍ଧାରଣ କରିବାକୁ ହେବ। ଏକ୍ୟୁଆଇ ସଚେତନତା ଅଭିଯାନର ମଧ୍ୟ ଅତ୍ୟନ୍ତ ଆବଶ୍ୟକତା ଅଛି ।
ଓଡିଶାର ପ୍ରମୁଖ ସହରମାନଙ୍କର ବାୟୁ ଗୁଣମାନ ଏକ ବହୁମାତ୍ରିକ ସମସ୍ୟାର ସମାଧାନ ଲାଗି ଯାନ ପ୍ରମାଣପତ୍ର କଠୋର କରାଯିବା ଜରୁରି ହେଲେ ମଧ୍ୟ, ଏହା ଏକାକୀ ପର୍ଯ୍ୟାପ୍ତ ନୁହେଁ । ପରିବହନ, ନଗର ଯୋଜନା, ଶିଳ୍ପ, ନିର୍ମାଣ ଓ ନାଗରିକ ଆଚରଣ- ସମସ୍ତ କ୍ଷେତ୍ରରେ ସମନ୍ୱିତ, ତଥ୍ୟାଧାରିତ ଓ ଲକ୍ଷ୍ୟମୁଖୀ କାର୍ଯ୍ୟ ଆବଶ୍ୟକ।
ପରିବେଶ ଆଜି ନଗର ବିକାଶ ନୀତିର ଏକ ଘୋଷିତ ଆଧାର, କିନ୍ତୁ ଏପର୍ଯ୍ୟନ୍ତ ନିୟମାନୁଷ୍ଠାନର ମଜବୁତ ମୂଳ ହୋଇପାରିନି । “ସବୁଙ୍କ ଦାୟିତ୍ୱ’ ହୋଇଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାୟ “କାହାର ପ୍ରାଥମିକତା ନୁହେଁ’ ହୋଇ ରହିଛି। ସୁଧାର ସମ୍ଭବ, କିନ୍ତୁ କ୍ଷଣିକ ଅଭିଯାନରେ ନୁହେଁ, ବରଂ ପ୍ରଣାଳୀଗତ, ତଥ୍ୟାଧାରିତ ସ୍ଥାୟୀ ମାଧ୍ୟମରେ । ଏହି ବିଷୟ ଆଜି ସରକାରଙ୍କ ସମ୍ମୁଖରେ ଥିବା ଆହ୍ୱାନ ଅଟେ।