ଭାରତର ‘ପୁତୁଲ୍‌’ ବାଂଲାଦେଶରେ ‘ଖାଲିଦା’

୧୯୪୫ ମସିହାର ଅବିଭକ୍ତ ଭାରତ। ଅଗଷ୍ଟ ମାସ ୧୫ ….

୧୯୪୫ ମସିହାର ଅବିଭକ୍ତ ଭାରତ। ଅଗଷ୍ଟ ମାସ ୧୫ ତାରିଖରେ ବେଙ୍ଗଲ ପ୍ରେସିଡେନ୍ସିର ଜଲପାଈଗୁଡିରେ ଏକ ସାଧାରଣ ପରିବାରରେ ଖାଲିଦା ମଜୁମଦାରଙ୍କ ଜନ୍ମ। ତାଙ୍କୁ ଗେହ୍ଲାରେ ପରିବାର ଲୋକେ ଡାକୁଥିଲେ ପୁତୁଲ। ରାଜନୈତିକ ଚାକଚକ୍ୟର ଲାଳସା ନଥିଲା ତାଙ୍କର। କ୍ରାନ୍ତିକାରୀ ହେବାର ସ୍ୱପ୍ନ ବି ଦେଖି ନଥିଲେ। ଏହା ମଧ୍ୟରେ ପାକିସ୍ତାନୀ ସେନା କ୍ୟାପ୍‌ଟେନ ଜିୟାଉର ରେହମାନଙ୍କୁ ବିବାହ କଲେ ଖାଲିଦା।

୧୯୬୫ରେ ସ୍ୱାମୀଙ୍କ ସହ ପାକିସ୍ତାନ ଚାଲିଗଲେ। ପୁତୁଲ ନାମ ବଦଳାଇ ଖାଲିଦା ଜିଆ ରଖିଲେ। ୧୯୬୫ ଭାରତ- ପାକିସ୍ତାନ ଯୁଦ୍ଧରେ ଜିୟାଉର ନିଯୁକ୍ତ ଥିଲେ। ଏପରିକି ସ୍ୱାଧିନ ବାଂଲାଦେଶରେ ୧୯୭୭ରେ ଜିୟାଉର ହେଲେ ରାଷ୍ଟ୍ରପତି। ଆଉ ଖାଲିଦା ହେଲେ ଫାଷ୍ଟ ଲେଡି। ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲା। ହେଲେ ଗୋଟିଏ ଗୁଳିକାଣ୍ଡ ତାଙ୍କ ଜୀବନ ବଦଳାଇଥିଲା।
ଜିୟାଉରଙ୍କ ହତ୍ୟା ପରେ ବିଧବା ହେଲେ ଖାଲିଦା। ସ୍ୱାମୀଙ୍କ ବିରହ ତାଙ୍କୁ ମଜଭୁତ କଲା। ଏଇଠୁ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିଅର। ରାଜନୀତି ତାଙ୍କ ପ୍ଲାନିଂରେ ନଥିଲା ବରଂ ତାଙ୍କ ଭାଗ୍ୟରେ ଥିଲା। ୧୯୮୩ରେ ସେ ନେଲେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିଂର କମାଣ। ମହମ୍ମଦ ଇରଶାଦଙ୍କ ଅନ୍ତରୀଣ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ। ଭାଷଣ ଦେଲେ, ଗିରଫ ହେଲେ।
୧୯୯୦ରେ ଇରଶାଦଙ୍କ ଶାସନ ଭାଙ୍ଗିଲା। ଲୋକତନ୍ତ୍ର ଫେରିଲା। ଆଉ ଖାଲିଦା ଜିଆ ହେଲେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ ସାମ୍ନାରେ ଥିଲା ଅନେକ ଚାଲେଞ୍ଜ।
ଏଇଠୁ ଆରମ୍ଭ ହୋଇଥିଲା ଅସଲ ଲଢେଇ। ମୁହାଁମୁହିଁ ହେଲେ ଦୁଇ ମହିଳା ନେତ୍ରୀ। ଆଜୀବନ ଶତ୍ରୁତାରେ ପରିଣତ ହେଲା ଲମ୍ୱା ରାଜନୈତିକ ଲଢେଇ। ଗୋଟିଏ ପଟେ ଖାଲିଦା ଆଉ ଗୋଟେ ପଟେ ହସିନା। ଦୁହିଁଙ୍କ ପିତା ଓ ପତି ଥିଲେ ସ୍ୱାଧୀନତା ସଂଗ୍ରାମୀ। ହେଲେ ଦୁହିଁଙ୍କ ବିଚାରାଧାରା ଥିଲା ଭିନ୍ନ। ଖାଲିଦା ଥିଲେ ଭାରତର କଟ୍ଟର ବିରୋଧୀ। ହସିନାଙ୍କ ସମୟରେ ବଦଳିଥିଲା ଭାରତ ସହ ବାଂଲାଦେଶ ସମ୍ପର୍କ।

୨୦୦୭ରେ ଖାଲିଦାଙ୍କ ବିରୋଧରେ ହେଲା ଭ୍ରଷ୍ଟାଚାର ମାମଲା। ସମର୍ଥକ କହିଲେ ଷଡଯନ୍ତ୍ର। ବିରୋଧୀ କହିଲେ ଆଇନ ତା କାମ କରୁଛି। ଦୀର୍ଘ ଦିନ ଯାଏ ହସ୍ପିଟାଲ ଓ ଜେଲ୍‌ ଚକ୍କର କାଟିଲେ ଖାଲିଦା। ପୁଅ ତାରିକ ରେହମାନ ନିର୍ବାସନ ଦଣ୍ଡ ଭୋଗିଲେ। ଆଉ ଜଣେ ପୁଅ ଅରାଫାତ ରେହମାନଙ୍କ ହୃଦଘାତରେ ମୃତ୍ୟୁ ହେଲା।
ହସ୍ପିଟାଲ, ଆଇସିୟୁ ଏବଂ ହ୍ୱିଲ୍‌ ଚେୟାର। ଶେଷ ସମୟରେ ରାଜନୀତିରୁ ଦୂରେଇ ରହିଲେ। ହେଲେ ବିଏନ୍‌ପି କର୍ମକର୍ତାଙ୍କ ପାଇଁ ତାଙ୍କ ନାମ ହିଁ ଯଥେଷ୍ଟ। ଦୀର୍ଘଦିନର ଜେଲ୍‌ ଓ ଅସୁସ୍ଥତା ଯୋଗୁଁ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଆଉ ଡିସେମ୍ୱର ୩୦ରେ ଖବର ବାଜିଲା ଏବେ ଆଉ ନାହାନ୍ତି ଖାଲିଦା ଜିଆ।

ଖାଲିଦାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଶେଖ୍‌ ହସିନା କହିଛନ୍ତି, ‘ବିପିଏନ୍‌ ଅଧ୍ୟକ୍ଷା ଏବଂ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଦେଶର ରାଜନୈତିକ ଜୀବନ ପାଇଁ ଏହା ବଡ଼ କ୍ଷତି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଗଣତନ୍ତ୍ର ପ୍ରତିଷ୍ଠା ସଂଗ୍ରାମରେ ତାଙ୍କର ଭୂମିକା ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ରାଷ୍ଟ୍ର ସର୍ବଦା ମନେ ରଖିବ।
୮୦ ବର୍ଷ ବୟସରେ ଖାଲିଦାଙ୍କ ପରଲୋକ ହେଲା। ୧୯୯୧ରେ ଖାଲିଦା ପ୍ରଥମ ଥର ପାଇଁ ବାଂଲା ପ୍ରଧାନମନ୍ତ୍ରୀ ହେଲେ। ମୋଟ ଦୁଇ ଥର ବାଂଲାଦେଶ ସରକାରର ନେତୃତ୍ୱ ନେଇଥିଲେ। ଗୃହିଣୀରୁ ରାଜନୀତି ମୈଦାନକୁ ଲମ୍ପ ପ୍ରଦାନ କରିଥିଲେ। ବାଂଲାଦେଶରେ ଖାଲିଦା ଅଧ୍ୟାୟର ଅବସାନ ଘଟିଲା।