ଆଜିର ଦିନଟି ପ୍ରତ୍ୟେକ ନାରୀଙ୍କର ନାରୀତ୍ୱ ପ୍ରତି ସମର୍ପିତ। ସମାଜରେ ପ୍ରତ୍ୟେକ ନାରୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ମିଳିବା ଦରକାର। ମାତ୍ର ପୁରୁଷପ୍ରଧାନ ସମାଜରେ ନାରୀଙ୍କୁ ସବୁ ସମୟରେ ଅପମାନିତ ହେବାକୁ ପଡୁଛି। ନାରୀଙ୍କ ନାରୀତ୍ୱ ପ୍ରତି ପ୍ରଶ୍ନ କରିବା ଅର୍ଥ ସେମାନଙ୍କ ମୌଳିକ ଅଧିକାରର ହନନ। ଜଣେ ନାରୀ ଶିକ୍ଷିତ ହେଲେ ଗୋଟିଏ ସମାଜ ଶିକ୍ଷିତ ହୋଇଥାଏ, ନାରୀର ଆତ୍ମସମ୍ମାନ ସହିତ ଖେଳିବା ମାନବାଧିକାର ଉଲ୍ଲଙ୍ଘନକୁ ବୁଝାଇଥାଏ।
ପରିବାରରେ ଝିଅ, ବୋହୂ, ଭଉଣୀ, ମା’, ମାଉସୀ, ଝିଆରୀ, ମାଇଁ, ଖୁଡ଼ି ଭାଉଜ ରୂପରେ ଆମକୁ ସର୍ବଦା ସ୍ନେହୀ ମଣିଷଟିଏ ମିଳିଥାନ୍ତି, ସେମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ସମ୍ମାନ ପ୍ରଦର୍ଶନ କରିବା ଆମ ସମସ୍ତଙ୍କର ପ୍ରଧାନ କର୍ତବ୍ୟ। ଜଣେ ନାରୀକୁ ମାନସିକ ଅବା ଶାରିରୀକ ଆଘାତ କରିବା ମହା ଅପରାଧ। ଆମ ସମାଜରେ ଝିଅଟିର ଚାଲିଚଳଣୀ, ବେଶପୋଷାକ, ଶାରିରୀକ ଅବୟବ, କେଶ ବିନ୍ୟାସ, କଥା କହିବାର ଢଙ୍ଗକୁ କଟାକ୍ଷ କରିବା ଏକ ଦେହସୁହାରେ ପଡ଼ିଯାଇଛି। ମାତ୍ର ଏପରି କରିବା ଆଦୌ ଠିକ ନୁହେଁ। ଯୋଉ ସମାଜରେ ଆମେ ମା’ ଦୁର୍ଗା, ମା’ ପାର୍ବତୀ, ମା’ ଲକ୍ଷ୍ମୀ, ମା’ ସରସ୍ୱତୀ, ମା’ ମଙ୍ଗଳା, ମା’ ଶାରଳା ଇତ୍ୟାଦି ମାତୃଶକ୍ତିକୁ ପୂଜାର୍ଚ୍ଚନା କରୁଛେ, ସେହି ସମାଜରେ ନାରୀକୁ କଥା କଥାକେ ଅପମାନିତ, ଝିଅଟି ପ୍ରତି ଲୋଲୁପ ଦୃଷ୍ଟି ପକାଇବା ଅକ୍ଷମଣୀୟ ଅପରାଧ। ପାଶ୍ଚାତ୍ୟ ସଭ୍ୟତାରେ ନାରୀକୁ ଉପଭୋଗ୍ୟା ମନେ କରାଯାଇପାରେ। ମାତ୍ର ଆମ ସମାଜରେ ତାହା ସବୁଠାରୁ ଘୃଣ୍ୟ କର୍ମ। ଆଜି ସାରା ପୃଥିବୀରେ ପ୍ରାୟ ୨୩୦ କୋଟି ଝିଅ ଅବା ମହିଳା ପୁରୁଷଙ୍କ ଶ୍ୱେନଦୃଷ୍ଟିର ଶିକାର ହେଉଛନ୍ତି। ଦିନକୁ ଦିନ ଝିଅ ଅବା ନାରୀ ପ୍ରତି ହିଂସା ହାର ବୃଦ୍ଧି ପାଉଛି, ଏହାର ପ୍ରତିକାର ପାଇଁ ଆମକୁ ଏକଜୁଟ ହେବାକୁ ପଡ଼ିବ। ଏକ ରିପୋର୍ଟରୁ ଜଣାପଡେ଼, ୫ ବର୍ଷରୁ କମ୍ ବୟସର ପ୍ରାୟ ୨୦ ଲକ୍ଷ ଶିଶୁକନ୍ୟା ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ପୁରୁଷ ଜାତିର ହୀନଦୃଷ୍ଟିର ଶିକାର। ୨୦୩୦ ସୁଦ୍ଧା ନାରୀ ପ୍ରତି ହୀନମନ୍ୟତାକୁ ଶୂନରେ ପହଂଚାଇବାର ଯୋଉ ବଜ୍ର ଶପଥ ଆମେମାନେ କରିଛେ, ତାହା କେତେଦୂର ସଫଳ ହୋଇପାରିବ, ଆପଣମାନେ ବିଚାର କରନ୍ତୁ।