ମହଙ୍ଗା ପଡ଼ିବ ଗାଡ଼ିତଳେ ଚାପି ମାରିବା

ନୂଆଦିଲ୍ଲୀ: ମନେପକାନ୍ତୁ, ଦିଲ୍ଲୀ ସୀମାନ୍ତରେ ଧାରଣାରତ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଚାରିଜଣ କୃଷକଙ୍କୁ ମାରିଥିଲା ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ । ଅଭିଯୁକ୍ତ ବାଳୁଙ୍ଗାକୁ ସାବାଡ୍‌ କରିବା ବଦଳରେ ଅଭୟ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦିଜୀ । ଅବଶ୍ୟ ଅଂଟି ନିଅାଁକୁ ବେଶିଦିନ କୋଳରେ ରଖି ପାରିଲେନି; ଦେଶବାସୀଙ୍କ ଆଗରେ ସାଧୁପଣିଆ ଦେଖାଇବାକୁ ବାଧ୍ୟ ହୋଇଥିଲେ ପ୍ରଧାନମନ୍ତ୍ରୀ । ଏବେ ପୁଣି କୃଷକମାନେ ମାତିଛନ୍ତି । ନିର୍ବାଚନ ସରିବା ପର୍ଯ୍ୟନ୍ତ ଧାରଣା ଚାଲୁରଖିବା ମତଲବରେ ଏକାଧିକ ଚାଷୀ ସଂଗଠନ ସାରାଦେଶକୁ ଉଠାଇବ ପକାଇବ । ଚାଷୀଙ୍କ ଗର୍ଜନରେ ବିଜେପି ହାତରୁ କିଛି ଆସନ ଖସିବାର ଆଶଙ୍କା ଉପୁଜିଲାଣି ।

ଅତଏବ ଅବୁଝା କୃଷକ ମହାମେଳିକୁ କୌଣସି ମତେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଘୁଂଚାଇବା ଉଦ୍ୟମ ଚାଲିଛି । ନିର୍ବାଚନ ପରେ ଫଳାଫଳକୁ ଦୃଷ୍ଟିରେ ରଖି ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ସେପରି କିଛି ଗୋଟିଏ ମତଲବ ମନରେ ରଖିଥିବାରୁ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି କୃଷକ ନେତାଙ୍କ ସହିତ ଆଲୋଚନା କରିବାକୁ ଉଚିତ ମଣିଲେନି । ଦଳର ତୁଙ୍ଗନେତାଙ୍କୁ ଚାଷୀ ନେତାଙ୍କ ସହିତ ବିଚାର ବିମର୍ଶ କରିବାକୁ ପରାମର୍ଶ ଦେଇ ବିଦେଶ ଗସ୍ତରେ ପଳାଉଛନ୍ତି ।

ନିର୍ବାଚନ ପରେ କୃଷକଙ୍କ ବେକରେ ଯୁଆଳି ଯୋଚିବା ଜିଦରେ ଅଟଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ କୃଷକଙ୍କ ପାଇଁ କୌଣସି ଗ୍ୟାରେଂଟି ନାହିଁ ।

ସୂଚନା ମୁତାବକ, କୃଷକ ସଂଗଠନ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଡାକରା ଦିଆଯାଇଛି । ଫେବୃଆରୀ ୧୩ରୁ ୧୫ ଯାଏ ନୂଆଦିଲ୍ଲୀରେ ଚାଷୀଙ୍କ ମହା ସମାବେଶ ମସୁଧାକୁ ଭଣ୍ଡୁର କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆଦିଲ୍ଲୀରେ ମାସକ ପାଇଁ କୌଣସି ସମାବେଶକୁ ବାରଣ କରାଯାଇଛି । ଦିଲ୍ଲୀ ସୀମାନ୍ତରେ ଚାଷୀଙ୍କୁ ଟ୍ରାକ୍ଟର ଧରି ପ୍ରବେଶ କରିବାକୁ ମନା ।

ଶୁଣିବାକୁ ମିଳିଛି, କୃଷକଙ୍କ ଦିଲ୍ଲୀ ଚଲୋ’କୁ ଭଣ୍ଡୁର କରିବା ପାଇଁ ହରିୟାଣା ପୁଲିସ ଆଜି ଡ୍ରୋନ୍‌ ସିଷ୍ଟମ ଓ ଲୁହବୁହା ଗ୍ୟାସକୁ ପରୀକ୍ଷଣ କରିଛି । କୃଷକଙ୍କ ଉନ୍ନତି ପାଇଁ ମୋଦି ସରକାର ଅନୁମୋଦନ କରିଥିବା ତିନୋଟି କୃଷି ଆଇନକୁ ବିଜେପିର କଳା ଆଇନ ବୋଲି ସମାଜବାଦୀ ପାର୍ଟି ସମେତ ଆହୁରି କିଛି ଦଳ ଅଭିଯୋଗ କରୁଛନ୍ତି ।

କଥା ଉଠୁଛି, ଯଦି ମୋଦିଙ୍କ କୃଷି ଆଇନରେ କୃଷକଙ୍କ ସ୍ୱାର୍ଥ ପାଇଁ ବହୁତ କିଛି ସୁବିଧା ରହିଛି । ମୋଦିଜୀ କୃଷକ ସମାବେଶକୁ ଡରିବା ବଦଳରେ ସ୍ୱାଗତ କରିବା ଉଚିତ ନୁହେଁ କି?