କିଏ ଆରମ୍ଭ କରିଥିଲେ ମା’ ସରସ୍ୱତୀଙ୍କ ଆରାଧନା?

ବସନ୍ତ ପଂଚମୀ ଦିନ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆରାଧନା କରାଯିବାର ବିଧି ରହିଛି । ସେଦିନ ମା’ଙ୍କୁ ସ୍ମରଣ, ପୂଜନ ଓ ମା’ଙ୍କ ନାମରେ ସ୍ନାନ, ଦାନ ଓ ଧ୍ୟାନ କଲେ; ମା’ ସାଧକ ସାଧିକାଙ୍କ ଜିଭରେ ବିରାଜମାନ କରିଥାନ୍ତି । ମା’ଙ୍କ ଆଶୀର୍ବାଦ ଫଳରେ ଅଜ୍ଞାନୀ ମଧ୍ୟ ପଣ୍ଡିତ ବୋଲାଇବା ସହିତ ଯଶ ମାନ ସାମାଜିକ ପ୍ରତିଷ୍ଠା ଲାଭ କରିଥାଏ ।

ଜାଣନ୍ତି, ମା’ ସରସ୍ୱତୀଙ୍କ ଆରାଧନା ପ୍ରଥମେ କିଏ ଆରମ୍ଭ କରିଥିଲେ । ମସ୍ତକରେ ମୟୂର ପର, ଗଳାରେ ବୈଜୟନ୍ତୀ ମାଳା, ହାତରେ ବ୍ରହ୍ମାଣ୍ଡକୁ ମୋହଗ୍ରସ୍ତ କରିବା ପାଇଁ ମୂରଲୀ ଧରିଥିବା ଭଗବାନ ଶ୍ରୀକୃଷ୍ଣ ହିଁ ପ୍ରଥମେ ମା’ଙ୍କ ଆରାଧନା କରିଥିଲେ ।

ବ୍ରହ୍ମା ବୈବର୍ତ ପୁରାଣରେ ପ୍ରକୃତି ଖଣ୍ଡ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ପୂଜିତ ହୋଇଥିବାରୁ ମାତା ପ୍ରତ୍ୟେକ ଲୋକରେ ସମସ୍ତଙ୍କ ଦ୍ୱାରା ପୂଜିତ ହୋଇ ଆସୁଛନ୍ତି । ମା’ଙ୍କ କୃପା ବଳରେ ମହାମୂର୍ଖ ମହାପଣ୍ଡିତ ହୋଇ ଲୋକପ୍ରିୟତା ଲାଭ କରନ୍ତି । ମୂର୍ଖ କାଳିଦାସ କଥା ମନେପକାନ୍ତୁ । ପ୍ରଭୁ ଶ୍ରୀକୃଷ୍ଣ ମାଘମାସ ଶୁକ୍ଳପକ୍ଷ ପଂଚମୀ ତିଥିରେ ମା’ ସରସ୍ୱତୀଙ୍କୁ ଆରାଧନା କରିଥିଲେ । ମା’ଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯିବାର ବିଧି ରହିଛି । ମଣିଷ, ଦେବତା, ମୁନି, ଯୋଗୀ, ନାଗ, ଗନ୍ଧର୍ବ ଓ ରାକ୍ଷସମାନେ ମଧ୍ୟ ବଡ଼ ଭକ୍ତିର ସହିତ ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।