ଗତ ଦଶନ୍ଧି ମଧ୍ୟରେ ଭାରତରେ ମାତୃ ମୃତ୍ୟୁ ଅନୁପାତ (ଗଗଜ) ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପାଇଛି। କିନ୍ତୁ ୨୦୧୫ ପରଠାରୁ ଉନ୍ନତିର ଗତି ଧୀର ହୋଇଯାଇଛି। ୨୦୨୩ ରେ ବିଶ୍ୱ ସ୍ତରରେ ୨.୪ ଲକ୍ଷ ମାତୃ ମୃତ୍ୟୁ ମଧ୍ୟରୁ ପ୍ରାୟ ୨୪,୭୦୦ ଭାରତରେ ଘଟିଥିଲା ଯାହା ସର୍ବାଧିକ ମାତୃ ମୃତ୍ୟୁ ହାର ଥିବା ଦେଶମାନଙ୍କ ମଧ୍ୟରୁ ଗୋଟିଏ କରିଦେଇଛି।
ଯଦିଓ ଗଗଜ ହ୍ରାସ ପାଇ ୧୧୬ ହୋଇଛି ରାଜ୍ୟଗୁଡ଼ିକ ମଧ୍ୟରେ ଅସମାନତା, ସ୍ୱାସ୍ଥ୍ୟସେବାର ଗୁଣବତା ଏବଂ ସମୟୋଚିତ ଚିକିତ୍ସାର ଅଭାବ ପ୍ରମୁଖ ଚାଲେଞ୍ଜ ରହିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଏହି ଅଭାବଗୁଡ଼ିକୁ ତୁରନ୍ତ ସମାଧାନ କରାନଯାଏ, ତେବେ ୨୦୩୦ ସୁଦ୍ଧା ସୁରକ୍ଷିତ ମାତୃତ୍ୱର ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପାରେ।
କ’ଣ କହୁଛି ରିପୋର୍ଟ:
ଦି ଲାନ୍ସେଟ୍ ରିପୋର୍ଟ ଅନୁଯାୟୀ ଭାରତ ସର୍ବାଧିକ ମାତୃ ମୃତ୍ୟୁହାର ଥିବା ଦେଶମାନଙ୍କ ମଧ୍ୟରେ ରହିଛି। ୨୦୨୩ ମସିହାରେ, ଗର୍ଭଧାରଣ ଏବଂ ପ୍ରସବ ସମ୍ବନ୍ଧୀୟ କାରଣ ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୨୪୦,୦୦୦ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହା ମଧ୍ୟରୁ ପ୍ରାୟ ୨୪୭୦୦ ମୃତ୍ୟୁ ଭାରତରେ ରେକର୍ଡ କରାଯାଇଥିଲା।
ନାଇଜେରିଆ, ପାକିସ୍ତାନ ଏବଂ ଇଥିଓପିଆ ଭଳି ଦେଶ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ତଥାପି, ଦୀର୍ଘକାଳୀନ ତଥ୍ୟ ଦର୍ଶାଉଛି ଯେ ଭାରତ ମାତୃ ମୃତ୍ୟୁହାର ହ୍ରାସ କରିବା ପାଇଁ ଭଲ ପ୍ରୟାସ କରିଛି। ୧୯୯୦ ମସିହାରେ ଏହି ସଂଖ୍ୟା ପ୍ରାୟ ୧.୧୯ ଲକ୍ଷ ଥିବା ବେଳେ, ୨୦୧୫ ମସିହାରେ ଏହା ୩୬,୯୦୦ ଏବଂ ୨୦୨୩ ମସିହାରେ ୨୪,୭୦୦ କୁ ହ୍ରାସ ପାଇଲା।ସେହିପରି, ମାତୃ ମୃତ୍ୟୁ ଅନୁପାତ ମଧ୍ୟ ୧୯୯୦ ମସିହାରେ ୫୦୮ ରୁ ୨୦୨୩ ମସିହାରେ ପ୍ରତି ୧ ଲକ୍ଷ ଜୀବିତ ଜନ୍ମରେ ୧୧୬ କୁ ହ୍ରାସ ପାଇଛି, ଯାହା ଉନ୍ନତିର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ।
ବିଶେଷଜ୍ଞ ମଣ୍ଡଳୀଙ୍କ ମତ: ବିଶେଷଜ୍ଞଙ୍କ ମତରେ, ଏହି ଉନ୍ନତି ମୁଖ୍ୟତଃ ବର୍ଦ୍ଧିତ ନିରାପଦ ପ୍ରସବ, ଉନ୍ନତ ପ୍ରସବ ପୂର୍ବ ଯତ୍ନ ଏବଂ ସରକାରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ପରିଚାଳିତ ହୋଇଛି। ତଥାପି, ରାଜ୍ୟଗୁଡ଼ିକ ମଧ୍ୟରେ ଅସମାନତା ରହିଛି। କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି, ଯେତେବେଳେ ଉତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ପରିସ୍ଥିତି ଚିନ୍ତାଜନକ ରହିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଅଧିକାଂଶ ମାତୃ ମୃତ୍ୟୁ ଅତ୍ୟଧିକ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ, ସଂକ୍ରମଣ ଏବଂ ଅନ୍ୟାନ୍ୟ ଜଟିଳତା ଭଳି ପ୍ରତିରୋଧଯୋଗ୍ୟ କାରଣ ଯୋଗୁଁ ହୁଏ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରା ନଯାଏ, ତେବେ ୨୦୩୦ ସୁଦ୍ଧା ସୁରକ୍ଷିତ ମାତୃତ୍ୱ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପାରେ।