ପରିବହନ ବିଭାଗ ନୁହେଁ ଟଙ୍କା ସାଉଁଟା କେନ୍ଦ୍ର

ଭୁବନେଶ୍ୱର: ପରିବହନ ବିଭାଗ ସହିତ ସବୁ ଯାନବାହନ ଚାଳକ ଓ ମାଲିକଙ୍କର ଘନିଷ୍ଠ ସଂପର୍କ ରହିଛି । ମୋଟର ଯାନ ନିରୀକ୍ଷକ କେତେବେଳେ କୋଉଠି କୋଉ ଅବତାରରେ କାହାକୁ ମାଡ଼ିବସିବେ ଓ କେତେ ଟଙ୍କାର ଜରିମାନା ଆଦାୟ କରିବେ; ତା’ର କୌଣସି ଠିକଣା ନାହିଁ ।

ଏମିତି ଗୋଟିଏ ନଗଦ ଟଙ୍କା ସାଉଁଟା ବିଭାଗରେ ଗୋଟିଏ ପଂଚାନନ ବେହେରାଙ୍କୁ ଧରି ଭିଜିଲାନ୍ସ ବାହାଦୁରି ନେବା ଆଦୌ ଠିକ ନୁହେଁ । ପରିବହନ ବିଭାଗର ପ୍ରତି କର୍ମଚାରୀଙ୍କ ଦରମାରେ ଆଦୌ ହାତ ବାଜେନା ।

ଅନ୍ୟ କର୍ମଚାରୀଙ୍କ ଭଳି ନୟାଗଡ଼ ଜିଲ୍ଲାର ମୋଟର ଯାନ ନିରୀକ୍ଷକ ପଂଚାନନ ବେହେରା ସେତେଟା ଧୂର୍ତ ହୋଇ ନଥିବାରୁ ତାଙ୍କର ଚୋରାଧନ ଭିଜିଲାନ୍ସ ଅଧିକାରୀଙ୍କ ଦୃଷ୍ଟିରେ ପଡ଼ିଗଲା । ଶୁଣିବାକୁ ମିଳିଛି, କେବଳ ଭୁବନେଶ୍ୱରରେ ପଂଚାନନ ପ୍ରାୟ ୨୭ଟି ପ୍ଲଟ କିଣିଛନ୍ତି । ତା’ ଭିତରୁ ୧୦ଟି ପ୍ଲଟ ବେନାମୀ ।

କୋଟିପତି ପଂଚାନନ ପ୍ରାୟ ୭୨ ଲକ୍ଷ ଟଙ୍କା ଜମା ରଖିଛନ୍ତି । ପଂଚାନନଙ୍କ ସାଲେପୁରସ୍ଥିତ ଭିଟାମାଟି ସମେତ ୭ଟି ଆଡ୍ଡାକୁ ଚଢ଼ଉ କରିଥିଲା ଭିଜିଲାନ୍ସ । ପଂଚାନନଙ୍କ ମାଲିକାନାରେ ଥିବା ୩୧ଟି ପ୍ଲଟର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ମାତ୍ର କାଗଜପତ୍ରରେ ମାତ୍ର ୨ କୋଟି ଟଙ୍କା ଉଲ୍ଲେଖ ରହିଛି । ପାଣ୍ଡରା, ପଥରଗାଡ଼ିଆ, ଶୈଳଶ୍ରୀ ବିହାର ଭଳି ଅଂଚଳରେ ଜମି କିଣିଛନ୍ତି ।