ଭାରତରେ ଇସଲାମ୍‌ ପ୍ରସାର

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ….

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଂଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଂଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର ଇରାନ)କୁ ବିସ୍ତାର ହୋଇଥିଲା। ଅଷ୍ଟମ ଶତାବ୍ଦୀ ସୁଦ୍ଧା ଏହା ସ୍ପେନ୍‌ରୁ ଆରମ୍ଭ କରି ସିନ୍ଧ୍‌ ଅଂଚଳକୁ ମଧ୍ୟ ବ୍ୟାପିଥିଲା। ପ୍ରଶ୍ନ ହେଉଛି ଏହା ଭାରତରେ କେମିତି ପହଂଚିଥିଲା। ରାଜନୈତିକ ଦୃଷ୍ଟିକୋଣରୁ ହିଂସା ଓ ଲୁଣ୍ଠନକୁ ଆଧାର କରି ଇସ୍‌ଲାମ ଭାରତକୁ ଆସିଥିଲା ବୋଲି କୁହାଯାଏ। କିନ୍ତୁ ବୁଦ୍ଧିଜୀବୀମାନେ କହନ୍ତି, କେବଳ ଏହି ମାଧ୍ୟମରେ ନୁହେଁ ବରଂ ବାଣିଜ୍ୟ, ଯୁଦ୍ଧ, ପ୍ରଚାର, କୃଷି ଓ ପ୍ରବାସନ ମାଧ୍ୟମରେ ଭାରତରେ ଇସ୍‌ଲାମ ଧର୍ମ ପ୍ରବେଶ କରିଥିଲା। ଭାରତରେ ସପ୍ତମ ଶତାବ୍ଦୀରେ ନିର୍ମିତ ଅନେକ ମସ୍‌ଜିଦ ଦେଖାଯାଏ। ସେଗୁଡ଼ିକ ମଧ୍ୟରେ ରହିଛି ଚେରାମାନ ଜୁମା ମସ୍‌ଜିଦ (କେରଳ), ତାମିଲନାଡୁର ପାଲାୟା ଜୁମା ପାଲି, ଗୁଜରାଟର ଘୋଘା ସ୍ଥିତ ବରୱାଡ ମସ୍‌ଜିଦ। ସ୍ଥାନୀୟ ହିନ୍ଦୁ ରାଜା ଏଗୁଡ଼ିକୁ ନିର୍ମାଣ କରିଥିଲେ ଏବଂ ଆରବର ନାବିକ ଓ ବଣିକମାନେ ଏଥିରେ ସହାୟତା ଯୋଗାଇ ଦେଇଥିଲେ। ବାସ୍ତବରେ ଏହି ନାବିକ ଓ ବଣିକମାନେ ପ୍ରଥମେ ଭାରତୀୟ ଉପକୂଳ ଅଂଚଳକୁ ଇସ୍‌ଲାମ ସଂସ୍କୃତି ଆଣିଥିଲେ। ତ୍ରୟୋଦଶ ଶତାବ୍ଦୀର ଏକ ପର୍ସିଆନ (ଇରାନୀୟ) ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ଯେ, ସପ୍ତମ ଶତାବ୍ଦୀରେ ସିନ୍ଧ୍‌କୁ ଆରବୀୟ ଲୁଣ୍ଠନ କରିଥିଲେ। ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଆରବୀୟମାନେ ସିନ୍ଧ୍‌ (ପାକିସ୍ତାନର ଦକ୍ଷିଣପୂର୍ବ ଅଂଚଳ)କୁ ଆକ୍ରମଣ କରିଥିଲେ ଏବଂ ମୁମ୍ବାଇ ନିକଟସ୍ଥ ଥାଣେ ଅଂଚଳକୁ ଦଖଲ କରିବା ଏହାର ଉଦ୍ଦେଶ୍ୟ ଥିଲା। କିନ୍ତୁ ସେତେବେଳେ ସେଠାକାର ପ୍ରତିହାର ରାଜାମାନେ ଆରବୀୟଙ୍କୁ ତଡ଼ି ଦେଇଥିଲେ। ଏହା ସ୍ପଷ୍ଟ ଯେ, ଆରମ୍ଭରୁ ଇସ୍‌ଲାମ ଧର୍ମ ବାଣିଜ୍ୟ ପଥ ଦେଇ ପ୍ରସାର ଲାଭ କରିଥିଲା। ଏହା ସହ ସପ୍ତମ ଶତାବ୍ଦୀରେ ଉପମହାଦେଶରେ ସେନା ଅଭିଯାନ ମାଧ୍ୟମରେ ସେମାନେ ପହଂଚି ସିନ୍ଧ୍‌ ଅଂଚଳକୁ ଯାଇଥିଲେ। ପ୍ରାୟ ଦଶମ ଶତାବ୍ଦୀରେ କେନ୍ଦ୍ର ଏସିଆରୁ ମହମ୍ମଦ ଗଜ୍‌ନୀଙ୍କ ଭଳି ଆକ୍ରମଣକାରୀମାନେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରି ଆସି ଉତର ଭାରତର ମନ୍ଦିରଗୁଡ଼ିକୁ ଲୁଣ୍ଠନ କରିଥିଲେ। ଦ୍ୱାଦଶ ଶତାବ୍ଦୀ ପରଠାରୁ ସେମାନେ ଭାରତରେ ରହିବା ଆରମ୍ଭ କଲେ ଏବଂ ବିଶାଳ କୃଷି ସମ୍ପଦର ମାଲିକାନାକୁ ହାତକୁ ନେଲେ। ଏହି ଲୁଣ୍ଠନକାରୀମାନେ ଆରବର ନ ଥିଲେ ବରଂ ସେମାନେ କେନ୍ଦ୍ର ଏସିଆର ତୁର୍କ (ତୁର୍କୀର ବାସିନ୍ଦା) ଥିଲେ। ପଂଚଦଶ ଶତାବ୍ଦୀରୁ ତୁର୍କ ଓ ଆଫଗାନଙ୍କ ପତିଆରା ମୋଗଲଙ୍କ ଦ୍ୱାରା ହ୍ରାସ ପାଇଲା।

ଭାରତରେ ସୁଲତାନମାନେ ଏକ ନୂଆ ପର୍ସିଆନ ଦରବାର ସଂସ୍କୃତି ମୂଳଦୁଆ ପକାଇ ପୁରୁଣା ସଂସ୍କୃତ ଭାଷା ତଥା ସଂସ୍କୃତି ପରମ୍ପରାକୁ ବଦଳେଇ ଦେଲେ। ସେମାନେ ସାଙ୍ଗରେ ଆଣିଥିବା ଲଢ଼ୁଆ ଘୋଡ଼ାଗୁଡ଼ିକ ନେଇ ସୈନ୍ୟବାହିନୀକୁ ଅଧିକ ଶକ୍ତିଶାଳୀ କରିଥିଲେ। ସେଥିପାଇଁ ରାଜସ୍ଥାନର ବିଭିନ୍ନ ଅଂଚଳରେ ଘୋଡ଼ା ଉପରେ ବସିଥିବା ଦେବତା (ପୀର କିମ୍ବା ବୀର କୁହାଯାଏ)ଙ୍କୁ ଉଭୟ ହିନ୍ଦୁ ଓ ମୁସଲମାନ ପୂଜା କରିଥାନ୍ତି। ଦକ୍ଷିଣ ଭାରତର ମନ୍ଦିରଗୁଡ଼ିକରେ ଭାବର ଓ ରଭୁତାନ ଭଳି ମୁସଲମାନ ଅଶ୍ୱାରୋହୀ ଯୋଦ୍ଧାମାନେ ହିନ୍ଦୁ ଦେବଦେବୀଙ୍କୁ ଜଗିଥିବା ଚିତ୍ର ଦେଖିବାକୁ ମିଳିଥାଏ। ଉତର କିମ୍ବା ଦକ୍ଷିଣ ଭାରତରେ ଏହିସବୁ ଛବି ବା ପ୍ରତୀକ ସଦ୍‌ଭାବନାର ବାର୍ତା ଦେଇଥାଏ। ଦକ୍ଷିଣ ଭାରତର ଶ୍ରୀରଙ୍ଗମ୍‌ ବିଷ୍ଣୁ ମନ୍ଦିର ମୁସଲମାନ ରାଜକୁମାରୀ ତଥା ଭକ୍ତ ବିବି ନାଛିୟାରଙ୍କ କାହାଣୀକୁ ସୂଚିତ କରେ, ଯିଏ ଦେବତାଙ୍କ ଧର୍ମପତ୍ନୀ ମାନ୍ୟତା ପାଇ ପାରିଥିଲେ। ଏହି କାହାଣୀ ଉଭୟ ସଂସ୍କୃତିର ନିବିଡ଼ ସମ୍ପର୍କକୁ ଦର୍ଶାଏ। ଦ୍ୱାଦଶ ଶତାବ୍ଦୀ ପରଠାରୁ ସୁଫିମାନଙ୍କର ଭାରତ ପ୍ରବେଶ ଆରମ୍ଭ ହୋଇଥିଲା। ସେମାନେ କେନ୍ଦ୍ର ଏସିଆର ଇସ୍‌ଲାମୀୟ ସୁଫିବାଦୀ ଥିଲେ। ପୁରୁଣା ଆରବ ସାମ୍ରାଜ୍ୟ ଉପରେ ମଙ୍ଗୋଲୀୟମାନେ ଆକ୍ରମଣ କରି ତାହା ପତନ ଘଟାଇବା ପରେ ସୁଫିମାନେ ଲୋକପ୍ରିୟତା ଲାଭ କରିଥିଲେ। ଅଧ୍ୟାତ୍ମବାଦୀ ସୁଫିମାନେ ବାଣିଜ୍ୟ ପଥ ଦେଇ ଭାରତର ସବୁ ଅଂଚଳରେ ପହଂଚି ପାରିିଥିଲେ। ସେମାନଙ୍କ ମଧ୍ୟରୁ କେତେକ ସୈନ୍ୟ କିମ୍ବା ଘାଜି ଥିଲେ। ବାକିସବୁ ଥିଲେ ଧର୍ମ ପ୍ରଚାରକ; ଯେଉଁମାନେ ଭାବନାତ୍ମକ ଶାନ୍ତି, ନ୍ୟାୟିକ ସେବା, ଔଷଧ ଓ କୃଷିଗତ ଜ୍ଞାନ ବିତରଣ କରୁଥିଲେ। ଏହିସବୁ ଜ୍ଞାନର ଅଧିକାରୀ ହୋଇଥିବାରୁ ଲୋକେ ସେମାନଙ୍କୁ ଭଲ ପାଉଥିଲେ। ସେମାନେ ବିଭିନ୍ନ ସ୍ଥାନରେ ରହୁଥିଲେ ଏବଂ ସେମାନଙ୍କ ମୃତ୍ୟୁ ଘଟିଲା ପରେ ସେମାନଙ୍କ ଦରଘା କିମ୍ବା ସମାଧି ବା କବରସ୍ଥଳୀ ଏକ ଆଧ୍ୟାତ୍ମିକ କେନ୍ଦ୍ର ପାଲଟି ଯାଇଥିଲା। ଲୋକେ ଆଶୀର୍ବାଦ ନେବା ପାଇଁ ସେଠାକୁ ଆସୁଥିଲେ।

କୃଷିଭିତିକ ନୂତନତ୍ୱ ଜ୍ଞାନ ମାଧ୍ୟମରେ ପ୍ରସାର ଲାଭ କରିଥିବା ଇସ୍‌ଲାମ ଧର୍ମକୁ ଅନେକ ସମୟରେ ଅଣଦେଖା କରାଯାଇଛି। ଦଶମ ଶତାବ୍ଦୀରୁ ଭାରତକୁ ଆସିଥିବା ସୁଫିମାନେ କୃଷିର ନୂଆ ଜ୍ଞାନକୌଶଳ ଆରମ୍ଭ କରିଥିଲେ। ସେମାନେ ସ୍ପେନ୍‌ ଓ ପର୍ସିଆରେ ଜଳ ଚକ, ଭୂତଳ କେନାଲ ନିର୍ମାଣ କରିଥିଲେ। ଫଳରେ ଜଳାଭାବ ଅଂଚଳରେ କୃଷି ସମ୍ଭବ ହୋଇପାରିଥିଲା। ସେମାନେ ପ୍ରୟୋଗ କରୁଥିବା କୃଷିଭିତିକ ଜ୍ଞାନକୌଶଳ ସିନ୍ଧ୍‌ ଓ ପଞ୍ଜାବକୁ ଆସିବା ପରେ ସେଠାରେ କୃଷିରେ ଉନ୍ନତି ହୋଇଥିଲା। ଫଳରେ ଏହି ଦୁଇ ଅଂଚଳରେ ଚାଷଜମି ନ ଥିବା ଜାଠମାନେ ଜମି ମାଲିକ ହୋଇଗଲେ ଏବଂ ଆର୍ଥିକ ଲାଭ ପାଇଲେ। ଦେଖିବାକୁ ଗଲେ ଏହିସବୁ ଅଂଚଳରେ ମୁସଲମାନ ସଂଖ୍ୟା ସବୁଠୁ ଅଧିକ ଥିଲା ଏବଂ ସମୟକ୍ରମେ ସେମାନେ ପାକିସ୍ତାନ ଚାଲିଯାଇଥିଲେ। ତେବେ ପୂର୍ବ-ଭାରତରେ ମୋଗଲ ଶାସନ ସମୟରେ ଗଙ୍ଗା ନଦୀ ଅବବାହିକାରେ କୃଷିର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଥିଲା। ମୁଖ୍ୟତଃ ରାଜସ୍ୱ ଭିତିଭୂମି ବୃଦ୍ଧି ପାଇଁ ସେମାନେ ଏହା କରିଥିଲେ। ପରେ ସୀମାନ୍ତ ଅଂଚଳର ଲୋକମାନେ ସୁଫି ବିଦ୍ୱାନ୍‌ଙ୍କ ସହଯୋଗରେ ନୂଆ ବସତି ସ୍ଥାପନ କରିଥିଲେ ଯାହା ପରେ ବାଂଲାଦେଶ ହୋଇଛି। ଏଠାରେ ପଂଚପୀରଙ୍କ ପୂଜା ପରମ୍ପରା ରହିଛି, ଯାହାଙ୍କୁ ପଂଚପାଣ୍ଡବ ବୋଲି ସୂଚିତ କରାଯଏ। କୃଷି ସହ ଜଡ଼ିତ ସ୍ଥାନୀୟ ଦେବୀ ବନ୍‌ ବିବି ସୁନ୍ଦରବନରେ ପୂଜା ପାଉଛନ୍ତି। ପଶ୍ଚିମବଙ୍ଗର କୁଟୀରଗୁଡ଼ିକ ଭଳି ଟେରାକୋଟା ମସ୍‌ଜିଦଗୁଡ଼ିକ ଦେଖିବାକୁ ମିଳେ, ଯାହା ଆରବ ଓ ପର୍ସିିଆନ ମସ୍‌ଜିଦଠାରୁ ଅଲଗା।

ତ୍ରୟୋଦଶ ଶତାବ୍ଦୀର ମଙ୍ଗୋଲ ଆକ୍ରମଣ ପରେ କେନ୍ଦ୍ର ଏସିଆ ଏବଂ ପାରସ୍ୟରୁ ଅନେକ ପ୍ରବାସୀ ମୁସଲମାନ ଦିଲ୍ଲୀ ଓ ବାହାମନି ସାମ୍ରାଜ୍ୟକୁ ଆସିଥିଲେ। ଅନେକେ ବିବାହ ପରେ ଆସିଥିଲେ ଏବଂ କେତେକେ ଭାରତକୁ ଆସି ସ୍ଥାନୀୟ ମହିଳାଙ୍କୁ ବାହା ହୋଇଥିଲେ। ସେମାନେ ଥିଲେ ଇସ୍‌ଲାମ ଧର୍ମାବଲମ୍ବୀ, ପାର୍ସି ଭାଷାଭାଷୀ ଓ ରାଜ ଦରବାରର ପ୍ରତିଷ୍ଠିତ ବ୍ୟକ୍ତି ଏବଂ ପର୍ସିଆନ ଶୈଳୀରେ ମସ୍‌ଜିଦ ନିର୍ମାଣ କରିଥିଲେ। ହେଲେ ସ୍ଥାନୀୟ ସମ୍ଭ୍ରାନ୍ତ ଭାରତୀୟ ମୁସଲମାନମାନେ ପ୍ରବାସୀ ମୁସଲମାନଙ୍କୁ ବିରୋଧ କରିଥିଲେ। ପ୍ରତିଷ୍ଠିତ ମୁସଲମାନ ବର୍ଗ ନୀଚଜାତିରୁ ଧର୍ମାନ୍ତରୀକରଣ ହୋଇଥିବା ମୁସଲମାନଙ୍କୁ ଘୃଣା କରୁଥିଲେ। ଏଣୁ ଭାରତର ଜାତିପ୍ରଥାକୁ ଭାରତରେ ଇସ୍‌ଲାମ ଧର୍ମର ଲୋକେ ଅନୁକରଣ କରିଥିଲେ। ଇସ୍‌ଲାମ ପ୍ରୋଫେଟ ନିଜକୁ ଉଚ୍ଚବର୍ଗର ଗଣୁଥିବା ବେଳେ ସାମାଜିକ ସ୍ତରରେ ଅନଗ୍ରସର ଗୋଷ୍ଠୀର ମୁସଲମାନଙ୍କୁ ନୀଚଜାତି ଭାବେ ଦେଖାଯାଉଥିଲା। ଏହି ଦୁଇ ବର୍ଗ ମଧ୍ୟରେ ଯେଉଁମାନେ ରହିଲେ, ସେମାନେ ଆରବର ବଣିକ ଏବଂ ପାରସ୍ୟର ଉଚ୍ଚବର୍ଗର ଉତରାଧିକାରୀ ଭାବେ ଦାବି କଲେ। ଏହି ପରି ଭାବେ ଭାରତରେ ଇସ୍‌ଲାମ ଧର୍ମର ପ୍ରବେଶକୁ ନେଇ ସାତ ଶତାବ୍ଦୀର କାହାଣୀ ରହିଛି, ଯେଉଁଥିରେ ବାଣିଜ୍ୟ, ଯୁଦ୍ଧ ରହିଛି ଏବଂ ପ୍ରଚାରକ, କୃଷିବିତ୍‌ ଓ ପ୍ରବାସୀ କଥାକୁ ଜଡ଼ିତ କରାଯାଇଛି।