ପତ୍ନୀ ପିଠିରେ ବସି ଶାସନ କରୁଛନ୍ତି ସ୍ୱାମୀ
ଓଡ଼ିଶାର ପଂଚାୟତିରାଜ ବ୍ୟବସ୍ଥାର କଦର୍ଯ୍ୟ ରୂପ
ଝାରସୁଗୁଡ଼ା: ଓଡ଼ିଶାର ପଂଚାୟତିରାଜ ବ୍ୟବସ୍ଥାରେ ଗୋଟିଏ ଆଖିକୁ ସୁନ୍ଦର ଦିଶିବା ପାଇଁ ରହିଛି; ଆଉ ଗୋଟିଏ ପୁରୁଷ ପ୍ରଧାନ ସମାଜର କଦର୍ଯ୍ୟ ଚେହେରା ବଖାଣୁଛି। ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି। ନିର୍ବାଚିତ ମହିଳା ଲୋକପ୍ରତିନିଧି ନାମକୁ ମାତ୍ର ସରପଂଚ। ସରପଂଚ ଭାବେ ଶାସନ କରୁଛନ୍ତି ମହିଳା ଲୋକପ୍ରତିନିଧିଙ୍କ ସ୍ୱାମୀ। ସରକାରୀ ବୈଠକରେ ମହିଳା ଲୋକପ୍ରତିନିଧିମାନେ ଯୋଗଦାନ କରୁଛନ୍ତି। ମାତ୍ର କ୍ଷେତ୍ରୀୟ ସ୍ତରରେ ପ୍ରତିଟି କାମକୁ ତଦାରଖ କରୁଛନ୍ତି ମହିଳା ଲୋକପ୍ରତିନିଧିଙ୍କ ବାପା, ଭାଇ ଅଥବା ସ୍ୱାମୀ।
ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ଏପରି ବ୍ୟବହାର କରାଯାଉଛି। ଏଭଳି ଲଜ୍ଜାକର ଶାସନ ବ୍ୟବସ୍ଥା ଲାଗୁ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗର୍ବ ଅନୁଭବ କରୁଛନ୍ତିି। ଏବେ ମଧ୍ୟ ଓଡ଼ିଶାର ଗ୍ରାମାଂଚଳରେ ନିର୍ବାଚିତ ମହିଳା ଲୋକ ପ୍ରତିନିଧି ସ୍ୱାଧୀନ ନିଷ୍ପତି ନେବାର ଅଧିକାର ପାଇନାହାନ୍ତି। ସମାଜର ରକ୍ଷଣଶୀଳ ମନୋଭାବ ସେମାନଙ୍କ ଗୋଡ଼କୁ ବାନ୍ଧି ଦେଉଛି। ସମାଜର ତଥାକଥିତ ବଡ଼ପଣ୍ଡାମାନେ ସେମାନଙ୍କ ମୁହଁକୁ ବନ୍ଦ କରି ଦେଉଛନ୍ତି।
ଯୋଉ ରାଜ୍ୟରେ ମହିଳା ପୁଲିସ ଅଧିକ୍ଷକ ବିନା କନଷ୍ଟେବଲରେ ପଦାକୁ ବାହାରି ପାରୁନାହାନ୍ତି। ସେଭଳି ସାମାଜିକ ପରିବେଶରେ ପଂଚାୟତିରାଜ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ଏକ ଉପହାସ ମାତ୍ର । ଝାରସୁଗୁଡ଼ାର ମଣ୍ଡାସାହିସ୍ଥିତ ରାଜ୍ୟ ପଛୁଆ ବର୍ଗ ମହାସଂଘର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ରରେ ଏଭଳି ମତାମତ ପ୍ରକାଶ ପାଇଥିଲା।