ଲୋପ ପାଇବାକୁ ବସିଥିଲା ଛଂଚାଣ, ଏବେ ହସୁଛି ଆମେରିକା ଆକାଶ

ଶିକାରୀ ପକ୍ଷୀ ଭାବେ ଛଂଚାଣକୁ ସମସ୍ତେ ଜାଣନ୍ତି । ଦୂର ଆକାଶରେ ଉଡୁଥିବା ଛଂଚାଣ ମାଟି ଉପରେ ପଡ଼ିଥିବା ଛୋଟ ଛୋଟ ଦ୍ରବ୍ୟକୁ ସ୍ପଷ୍ଟ ଦେଖିପାରେ । ମଣିଷଠାରୁ ୫ ଗୁଣ ଶକ୍ତିଶାଳୀ ଦୃଷ୍ଟିଶକ୍ତିର ଅଧିକାରୀ ଛଂଚାଣ ତା’ର ମୁନିଆଁ ଓ ତୀକ୍ଷ୍‌ଣ ଦାନ୍ତରେ ୬ କିଲୋ ଓଜନର ଶିକାରକୁ ଅକ୍ଲେଶରେ ବୋହି ନେଇ ଆକାଶକୁ ଉଡ଼ିଯାଏ। ଏମିିତି ଏକ ଶକ୍ତିଶାଳୀ ପକ୍ଷୀକୁ ଜାତୀୟ ପକ୍ଷୀ ଭାବେ ଗ୍ରହଣ କରିଛି ଆମେରିକା। କିଛିବର୍ଷ ତଳେ ଆମେରିକାରେ ଛଂଚାଣ ବଂଶ କମିବାକୁ ଲାଗିଲା।

ଦ୍ରୁତଗତିରେ ଛଂଚାଣ ବଂଶ ଲୋପ ପାଉଥିବାର ଦେଖି ଆମେରିକା ପ୍ରଶାସନ ତାକୁ ବିରଳ ପ୍ରଜାତି ଭାବେ ଘୋଷଣା କଲେ । ଛଂଚାଣ ବଂଶର ସୁରକ୍ଷା ପାଇଁ ନାନା ବଳିଷ୍ଠ ପଦକ୍ଷେପ ଗ୍ରହଣ କଲେ । ଏବେ ଆମେରିକାରେ ଛଂଚାଣ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ପାଇଛି। ଏହା କିପରି ସମ୍ଭବ ହେଲା ଜାଣନ୍ତି। ଆମେରିକାର ଈଗଲ ଫାଉଣ୍ଡେସନ୍‌ ରିପୋର୍ଟ ଅନୁସାରେ ୧୭୮୨ ମସିହାରେ ଛଂଚାଣକୁ ଆମେରିକାର ଜାତୀୟ ପକ୍ଷୀ ମାନ୍ୟତା ମିଳିଲା। ସେତେବେଳେ ଆମେରିକାରେ ପ୍ରାୟ ୧ ଲକ୍ଷ ଛଂଚାଣ ଥିଲେ । କିନ୍ତୁ ପରେ ସେମାନଙ୍କ ସଂଖ୍ୟା କମିବା ଆରମ୍ଭ କଲା । ଲୋକମାନେ ସେତେବେଳେ ଚିକେନ୍‌ ଖାଇବାକୁ ପସନ୍ଦ କରୁଥିବାରୁ ଛଂଚାଣକୁ ଶତ୍ରୁ ଭାବୁଥିଲେ।

ଲୋକମାନେ ଛଂଚାଣକୁ ଶିକାର କରି ଟୋପିରେ ସଜାଇଲେ । କ୍ରମେ ତାହା ଫେସନରେ ପରିଣତ ହୋଇଗଲା । ଠିକ ସମୟରେ ମଶାବଂଶକୁ ନିପାତ କରିବା ପାଇଁ ବଜାରକୁ ଆସିଲା ଡିଡିଟି । ଘର ବାହାରେ ଡିଡିଟି ପଡ଼ିବାରୁ ତାହା ପୋଖରୀ, ନଦୀ, ଗଡ଼ିଆ, ଜମିରେ ମିଶିଲା। ମଶାବଂଶ ଲୋପ ପାଇଲାନି ମାତ୍ର ଡିଡିଟି ମିଶା ନଦୀ, ଗଡ଼ିଆ, ପୋଖରୀ ପାଣି ପିଇ ଛଂଚାଣ ସଂଖ୍ୟା ଲୋପ ପାଇଗଲା।

ଛଂଚାଣ ହରାଇ ପକ୍ଷୀପ୍ରେମୀମାନେ ଚିନ୍ତା ପ୍ରକଟ କଲେ; ମାତ୍ର ସାଧାରଣ ଜନତାଙ୍କ ଉପରେ ତା’ର କିଛି ଫରକ ପଡ଼ିଲାନି। ଆମେରିକାରେ ଛଂଚାଣ ସଂଖ୍ୟା ୪୦୦ ହୋଇଗଲା। ଆମେରିକା ପ୍ରଶାସନର ଚେତା ପଶିଲା। ବିଲୁପ୍ତ ପ୍ରାୟ ପକ୍ଷୀକୁ ବଂଚାଇବା ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଆରମ୍ଭ କରାଗଲା। ବୈଜ୍ଞାନିକଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଛଂଚାଣକୁ ଜଙ୍ଗଲରେ ଛଡ଼ାଗଲା । ଏବେ ଆମେରିକାରେ ଛଂଚାଣ ସଂଖ୍ୟା ସନ୍ତୋଷଜନକ ରହିଛି।