ଜଗନ୍ନାଥଙ୍କ ମାଉସୀ ମା’ ଆଉ କେହି ନୁହନ୍ତି ମା’ ଯଶୋଦା

ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଳିତ ମା’ ଯଶୋଦା ହିଁ ତ୍ରେତୟାରେ ମା’ କୈକେୟୀ ଥିଲେ । ବନବାସରୁ ଫେରିବା ପରେ ମା’ କୈକେୟୀଙ୍କ ବିରସ ମୁହଁକୁ ଦେଖି ଶ୍ରୀରାମଚନ୍ଦ୍ର ତାଙ୍କ ନିକଟକୁ ଯାଇ ପ୍ରଣାମ କରିଥିଲେ । ମା’ କୈକେୟୀ ସେ ପର୍ଯ୍ୟନ୍ତ ନିଜକୁ ଦୋଷୀ ଭାବୁଥିଲେ। ମାତ୍ର ପ୍ରଭୁ ଶ୍ରୀରାମଚନ୍ଦ୍ର ତାଙ୍କ କାନ୍ଧରେ ମୁଣ୍ଡ ରଖି କହିଥିଲେ, ମା’ ତୁମେ ମୋର ଅତି ପ୍ରିୟ । ତୁମେ ବନକୁ ପଠାଇ ମୋତେ ମହାନ କରିଛ। ଯୁଗଯୁଗ ପାଇଁ ତୁମରି ସ୍ନେହ ପାଇଁ ମୁଁ ଧରଣୀକୁ ଆସୁଥିବି।

ଦ୍ୱାପର ଯୁଗରେ ତୁମେ ମୋ ପ୍ରିୟ ଯଶୋଦା ମା’ ହେବ। ଦେବକୀ ମାତାଙ୍କ ଗର୍ଭରୁ ମୁଁ ଜନ୍ମ ନେବି ସତ; କିନ୍ତୁ ତୁମ କୋଳରେ ମୋର ବାଲ୍ୟ ସମୟ କଟିବ । କଳିଯୁଗରେ ପୁରୀ ଶ୍ରୀକ୍ଷେତ୍ରରେ ତମେ ମୋର ଅତି ଆଦରଣୀୟ ମାଉସୀ ମା’ ଅର୍ଦ୍ଧାଶିନୀ ରୂପେ ପୂଜା ପାଇବ।

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା ଦିନ ମୁଁ ତମ ନିକଟରୁ ପୋଡ଼ପିଠା ଖାଇ ଶ୍ରୀମନ୍ଦିରକୁ ଯିବି । ପୁରାଣୁ ଜଣାପଡେ଼, ଶ୍ରୀମନ୍ଦିର ପରିସରରେ ରହିଥିବା ରୋହିଣୀକୁଣ୍ଡରୁ ନିର୍ଗତ ଜଳ ମହାପ୍ରଳୟ ଘଟାଇବା ପରେ ଶାନ୍ତ ହୋଇ ନଥିଲା। ତେଣୁ ମା’ ମହାଲକ୍ଷ୍ମୀଙ୍କ ଆଜ୍ଞାରେ ମା’ ଯୋଗମାୟାଙ୍କ ଅଙ୍ଗରୁ ଜନ୍ମ ନେଲେ ମା’ ଅର୍ଦ୍ଧାଶିନୀ । ମା’ ଅର୍ଦ୍ଧାଶିନୀ ରୋହିଣୀକୁଣ୍ଡରୁ ବାହାରିଥିବା ଜଳକୁ ଶୋଷି ନେଇଥିଲେ । ଯୋଉ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବାକୁ ଆସନ୍ତି, ତାଙ୍କର ଦୁଃଖଯନ୍ତ୍ରଣାକୁ ମା’ ଅଧା ଟାଣିନିଅନ୍ତି ବୋଲି କଥିତ ଅଛି।

ତ୍ରେତୟାର ମା’ କୈକେୟୀ ହୁଅନ୍ତୁ କି ଦ୍ୱାପରର ମା’ ଯଶୋଦା । ଶ୍ରୀକ୍ଷେତ୍ରରେ ମା’ ଅର୍ଦ୍ଧାଶିନୀ ରୂପରେ ମହାପ୍ରଭୁ ଜଗନ୍ନାଥଙ୍କୁ ପୋଡ଼ପିଠା ଖୁଆଇ ଆସୁଛନ୍ତି କାହିଁ କେଉଁ ଅମଳରୁ।